ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁ(ଆରସିବି) ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ପୂର୍ବରୁ ଆରସିବିର ଅଧିନାୟକ କିଏ ହେବ ସେ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଆଜି ଦଳ ନିଜ ଅଧିନାୟକଙ୍କ ନାମ ଘୋଷଣା କରିଛି।ଆଇପିଏଲ ୨୦୨୫ ସିଜିନ ପାଇଁ କ୍ରିକେଟର ରଜତ ପଟିଦାରଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି ଆରସିବି। ଏବିଷୟରେ ଦଳ ଆଜି ଘୋଷଣା କରିଛି। ୨୦୨୧ ମସିହାରୁ ଆରସିବି ସହିତ ଥିବା ପଟିଦାର ଫ୍ରାଞ୍ଚାଇଜର ୮ମ ଅଧିନାୟକ ହେବେ।

Advertisment

ଷ୍ଟାର କ୍ରିକେଟର ତଥା ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି ବହୁତ ଆଲୋଚନା ହେଉଥିଲା, କିନ୍ତୁ ଏହା ହୋଇନାହିଁ। ତେବେ ଦଳ ପଟିଦାରଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେବା ପରେ ଏବେ ବିରାଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

"ମୁଁ  ଅନ୍ୟମାନଙ୍କ ପରି ସମସ୍ତଙ୍କୁ ଜଣାଇବାକୁ ଆସିଛି ଯେ, ରଜତ ପଟିଦାର ଆରସିବିର ନୂତନ ଅଧିନାୟକ ହେବାକୁ ଯାଉଛନ୍ତି। ରଜତ, ପ୍ରଥମେ ମୁଁ ତୁମକୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ତୁମକୁ ବହୁତ ବହୁତ ଶୁଭକାମନା । ତୁମେ ଫ୍ରାଞ୍ଚାଇଜିରେ ରହି ନିଜ ପ୍ରଦର୍ଶନ ବଳରେ ସମଗ୍ର ଭାରତରେ ଆରସିବିର ସମସ୍ତ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଛ। ସେମାନେ ତୁମକୁ ଖେଳୁଥିବାର ଦେଖି ଉତ୍ସାହିତ ହୋଇଯାନ୍ତି। ତେଣୁ, ତୁମେ ଏହି ପଦବୀ ପାଇଁ ଯୋଗ୍ୟ। ମୁଁ ଏବଂ ଦଳର ଅନ୍ୟ ସଦସ୍ୟମାନେ ତୁମ ପଛରେ ରହିବେ ଏବଂ ତୁମକୁ ଆମ ସମସ୍ତଙ୍କ ସମର୍ଥନ ମିଳିବ" ବୋଲି କୋହଲି ଆରସିବି ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ କହିଛନ୍ତି।