ସୁପର ସଣ୍ଡେରେ କୋହଲିଙ୍କ କମାଲ: ୯ ବର୍ଷରେ ୯୦୦୦ ରନ୍‌, ଗ୍ରୀନପାର୍କରେ ସ୍ମୃତି ସାଉଁଟିଲେ ବିରାଟ

କାନପୁର: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ କ୍ୟାରିୟରର ୯୦୦୦ ରନ୍‌ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କରେ ରବିବାର ପୂରଣ କରିଛନ୍ତି। ମ୍ୟାଚ ପ୍ରତି ୫୫.୯୦ ହାରରେ କୋହଲି ଏହି ବିରାଟ ରନ୍‌ ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଅନ୍ତିମ ଦିନିକିଆରେ କୋହଲି ଏହା ପୂରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ କୋହଲି ୯ ବର୍ଷରେ ୯ ହଜାର ରନ୍‌ ପୂରଣ କରିଛନ୍ତି। କୋହଲିଙ୍କ ଏହା ହେଉଛି ୨୦୨ତମ ମ୍ୟାଚ। ଓପନର ରୋହିତ ଶର୍ମାଙ୍କ ସହିତ ୧୦୬ଟି ବଲ ଖେଲି ୧୦୦ ରନ୍‌ ଭାଗିଦାରି ହେବା ପରେ କୋହଲି ବ୍ୟାଟକୁ ଦ୍ରୁତ ଗତିରେ ଚଳାଇଥିଲେ। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୫୯ଟି ବଲରେ ତାଙ୍କର ୪୬ତମ ଅର୍ଦ୍ଧଶତକ ପୂରା କରିଛନ୍ତି।

ଜାତୀୟ ରାଜଧାନୀ ଦିଲ୍ଲୀରେ ଜନ୍ମଲାଭ କରିଥିବା ୨୮ ବର୍ଷିଅ ଖେଳାଳି ୧୭୫ ତମ ଦିନିକିଆରେ ୭୦୦୦ ରନ୍‌ ପୂରା କରିଥିବା ବେଳେ କେରଳର କୋଚି ଷ୍ଟାଡିୟମରେ ୨୦୧୩ ନଭେମ୍ବର ୨୧ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦିନିକିଆରେ ୫୦୦୦ ରନ୍‌ ପୂରା କରିଥିଲେ। ବର୍ଷ ୨୦୦୮ ଅଗଷ୍ଟ ୧୮ରେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ପାଦ ଥାପିଥିବା କୋହଲି କୋଚିରେ ୧୨୦ ତମ ମ୍ୟାଚରେ ୮୬ ରନ୍‌ ସଂଗ୍ରହ କରିବା ସହିତ ସେହି ସ୍ମୃତି ସାଉଟି ଥିଲେ।

କୋହଲି ଏପର୍ଯ୍ୟନ୍ତ ୧୯୪ଟି ଇନିଂସରେ ବ୍ୟାଟିଂ କରିଛନ୍ତି। ସର୍ବେଚ୍ଚ ୧୮୩ ରନ୍‌ ସଂଗ୍ରହ କରିଥିବା ଟିମ୍‌ ଇଣ୍ଡିଆର ଏହି ଯୁବ ଅଧିନାୟକ ୩୧ଟି ଶତକ ହାସଲ କରିଥିବା ବେଳେ ୪୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିଭଳି ସେ ୮୩୮ଟି ଚୌକା ମାରିଥିବା ବେଳେ ୯୯ଟି ଛକା ମାରିଛନ୍ତି।

ସମ୍ବନ୍ଧିତ ଖବର