ଗାଙ୍ଗୁଲିଙ୍କୁ ଟପିଲେ କୋହଲି, ଭାରତୀୟ ଅଧିନାୟକ ଭାବେ ଦିନିକିଆରେ ସର୍ବାଧିକ ସ୍କୋରର୍‌

ହାମିଲଟନ୍‌ : ରନ୍‌ ମେସିନ୍‌ ଭାବେ ପରିଗଣିତ ବିରାଟ କୋହଲି ବୁଧବାର ସ୍ଥାନୀୟ ସେଡନ୍‌ ପାର୍କରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଅବସରରେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। କୋହଲି (୫୧ ରନ୍‌) ତାଙ୍କ ଅର୍ଧଶତକୀୟ ପାଳି ଅବସରରେ ଏହି ଫର୍ମାଟ୍‌ରେ ସବୁଠୁ ଅଧିକ ରନ୍‌ କରିଥିବା ଭାରତୀୟ ଅଧିନାୟକଙ୍କ ତାଲିକାରେ ସୌରଭ ଗାଙ୍ଗୁଲିଙ୍କୁ ଟପି ଯାଇଛନ୍ତି। ୩୧ ବର୍ଷ ବୟସ୍କ କୋହଲି ଅଧିନାୟକ ଭାବେ ମୋଟ ୫୧୨୩ ରନ୍‌ କରିଥିଲା ବେଳେ ପୂର୍ବତନ ଅଧିନାୟକ ତଥା ଏବର ବିସିସିଆଇ ସଭାପତି ଗାଙ୍ଗୁଲି ୧୪୮ ମ୍ୟାଚ୍‌ରୁ ୫୦୮୨ ରନ୍‌ କରିଥିଲେ। ତେବେ ଗାଙ୍ଗୁଲିଙ୍କୁ ଟପିବା ପାଇଁ କୋହଲି ମାତ୍ର ୮୭ ମ୍ୟାଚ୍‌ ଖେଳିଛନ୍ତି। ଏଥିମଧ୍ୟରେ କୋହଲିଙ୍କର ୨୧ ଶତକ ଓ ୨୩ ଅର୍ଧଶତକ ସାମିଲ ଥିଲା ବେଳେ ତାଙ୍କ ହାରାହାରି ୭୬.୪୬ ରହିଛି। ଅନ୍ୟତମ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋ‌ନି ଭାରତୀୟ ଭାବେ ଏହି ତାଲିକା‌ର ଶୀର୍ଷରେ ରହିଛନ୍ତି। ଧୋନି ଅଧିନାୟକ ଭାବେ ୬୬୪୧ ରନ୍‌ କରିଥିଲା ବେଳେ ମହମ୍ମଦ ଆଝାରୁଦ୍ଦିନ୍‌ ୫୨୩୯ ରନ୍‌ ସହ ଦ୍ବିତୀୟରେ ଅଛନ୍ତି।

ମୋଟାମୋଟି ଭାବେ ଜଣେ ଅଧିନାୟକ ଭାବେ ଦିନିକିଆରେ ସର୍ବାଧିକ ରନ୍‌ ସ୍କୋର୍‌ କରିଥିବାର ବିଶ୍ବ କୀର୍ତ୍ତିମାନ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ନାମରେ ରହିଛି। ପଣ୍ଟିଂ ୨୩୦ ଦିନିକିଆରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲା ବେଳେ ୮୪୯୭ ରନ୍‌ କରିଛନ୍ତି। ତାଙ୍କ ପଛକୁ ଧୋନି, ନ୍ୟୁଜିଲାଣ୍ଡର ଷ୍ଟିଫେନ୍‌ ଫ୍ଲେମିଂ (୬୨୯୫ ରନ୍‌, ୨୧୮ ମ୍ୟାଚ୍‌) ଓ ଶ୍ରୀଲଙ୍କାର ଅର୍ଜୁନ ରଣତୁଙ୍ଗା (୫୬୦୮ ରନ୍‌, ୧୯୩ ମ୍ୟାଚ୍‌) ରହିଛନ୍ତି।

ସମ୍ବନ୍ଧିତ ଖବର