କୋହଲିଙ୍କୁ କ୍ୟାରିୟରର ସର୍ବଶ୍ରେଷ୍ଠ ଆଇସିସି ର‍୍ୟାଙ୍କିଙ୍ଗ୍‌, ଏସିଆରେ କେବଳ କୁମାର ସାଙ୍ଗାକାର ଆଗରେ

ଦୁବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାରିୟରର ସର୍ବଶ୍ରେଷ୍ଠ ଆଇସିସି ର‍୍ୟାଙ୍କିଙ୍ଗ୍‌ ମିଳିଛି। ଇଂଲଣ୍ଡ ବିରୋଧରେ ୩ୟ କ୍ରିକେଟ୍‌ ଟେଷ୍ଟ ମ୍ୟାଚ୍‌ରେ ଉତ୍ତମ ପ୍ରଦର୍ଶନ କରି କୋହଲି ଏହି ର‍୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। କୋହଲି ନଟିଂହାମ୍‌ର ଟ୍ରେଣ୍ଟ ବ୍ରିଜ୍‌ ଷ୍ଟାଡିୟମରେ ୯୭ ଓ ୧୦୩ ରନ୍‌ ପାରି ଖେଳିଛନ୍ତି। ଭାରତ ଏହି ଟେଷ୍ଟକୁ ୨୦୩ ରନ୍‌ ଜିତିଛି।

ବର୍ମିଂହାମରେ ପ୍ରଥମ ଟେଷ୍ଟରେ ୧୪୯ ଓ ୫୧ ରନ୍‌ ଯୋଡ଼ିଥିବା କୋହଲିଙ୍କୁ ଶ୍ରେଷ୍ଠ ସ୍ଥାନ ମିଳିଥିଲା କିନ୍ତୁ ଲର୍ଡସ ଠାରେ ୨ୟ ଟେଷ୍ଟରେ ଭାରତ ହାରିଜିବା ପରେ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ। ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବା ପରେ ସେ ପୁଣି ଥରେ ଶୀର୍ଷ ସ୍ଥାନକୁ ପହଞ୍ଚି ପାରିଛନ୍ତି। ସର୍ବକାଳୀନ ରେଟିଙ୍ଗ ପଏଣ୍ଟ କଥା ଯଦି ଆଲୋଚନା କରିବା ଏବେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟସ୍‌ମ୍ୟାନ କୁମାର ସାଙ୍ଗାକାର ଏସୀୟ ବ୍ୟାଟସ୍‌ମ୍ୟାନଙ୍କ ତାଲିକାରେ ଆଗରେ ଅଛନ୍ତି।

ଏସୀୟ ବ୍ୟାଟସ୍‌ମ୍ୟାନ୍‌

୯୩୮- କୁମାର ସାଙ୍ଗାକାର (୨୦୦୭)
୯୩୭- ବିରାଟ କୋହଲି (୨୦୧୮)
୯୩୩- ମହମ୍ମଦ ୟୁସୁଫ (୨୦୦୬)
୯୧୬- ସୁନିଲ ଗାଭାସ୍କର (୧୯୭୯)
୮୯୮- ସଚିନ ତେନ୍ଦୁଲକର (୨୦୦୨)

କୋହଲିଙ୍କୁ ଏବେ ୯୩୭ ପଏଣ୍ଟ ମିଳିଛି, ଯାହାକି ଟେଷ୍ଟ କ୍ରିକେଟ ଇତିହାସରେ ୧୧ତମ ସର୍ବଶ୍ରେଷ୍ଠ ରେଟିଙ୍ଗ ପଏଣ୍ଟ। ଡନ ବ୍ରାଡମ୍ୟାନ୍‌ ୯୬୧ ପଏଣ୍ଟ ପାଇ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଷ୍ଟିଭ ସ୍ମିଥ ଦ୍ୱିତୀୟ(୯୪୭), ଲେନ ହଟନ (୯୪୫), ଜେକ ହବସ୍‌(୯୪୨), ରିକି ପଣ୍ଟିଙ୍ଗ(୯୪୨), ପିଟର ମେ(୯୪୧), ଗ୍ୟାରି ସୋବର୍ସ, କ୍ଲାଇଡ ଭୋଲକୋଟ, ଭିଭିଆନ ରିଚାର୍ଡ ଓ କୁମାର ସାଙ୍ଗାକାରଙ୍କୁ ୯୩୮ ରେଟିଙ୍ଗ୍‌ ପଏଣ୍ଟ ମିିଳିଛି।

ସୂଚନାଯୋଗ୍ୟ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୩୨ ବର୍ଷ ମଧ୍ୟରେ ଶ୍ରେଷ୍ଠ ବିଜୟ ହାସଲ କରିଛି। କ୍ରମାଗତ ଭାବରେ ୨ଟି ଟେଷ୍ଟରେ ପରାଜିତ ହେବା ପରେ ୩ୟ ଟେଷ୍ଟରେ ବିଜୟୀ ହୋଇଛି। ଇଂଲଣ୍ଡକୁ ୨୦୩ରେ ପରାସ୍ତ କରିଛି।

ସମ୍ବନ୍ଧିତ ଖବର