ଗଣିତରେ ଅତ୍ୟନ୍ତ ଦୁର୍ବଳ ଥି‌ଲେ କୋହଲି

ମୁମ୍ବାଇ : ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସାଂପ୍ରତିକ କ୍ରିକେଟ୍‌ର ‌‌ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ମାନ୍ୟତା ମିଳିଛି। ମାତ୍ର ୩୦ ବର୍ଷ ବୟସରେ ସେ ଅଗଣିତ କୀର୍ତ୍ତିମାନର ଅଧିକାରୀ ହୋଇ ସାରିଲେଣି। ହେଲେ ଏବେ ବି ‘ଗଣିତ’ କଥା ପଡ଼ିଲେ କୋହଲି ଡରିଯାଆନ୍ତି। ଏପରିକି ଏକଦା ସେ ୧୦୦ରୁ ମାତ୍ର ୩ ନମ୍ବର ରଖିଥିଲେ। ‘ଗଣିତ’ରେ ବିଫଳ ହେବାର କାହାଣୀ ଉପରୁ ନିଜେ କୋହଲି ହିଁ ପରଦା ଉଠାଇଛନ୍ତି। ଅଙ୍କ କଷା ତାଙ୍କୁ ଆଗରୁ ଆସୁ ନଥିଲା, ଏବେ ବି ଆସେନି ବୋଲି କୋହଲି ସ୍ବୀକାର କରିଛନ୍ତି। ଜଣେ ସଫଳ କ୍ରି‌କେଟର ହେବା ଲାଗି ସେ ଯେତିକି ପରିଶ୍ରମ କରିଛନ୍ତି, ମ୍ୟାଟ୍ରିକ୍ ପରୀକ୍ଷାରେ ଗଣିତରେ ଉତ୍ତୀର୍ଣ୍ଣ ହେବା ଲାଗି ତା’ଠାରୁ ଅଧିକ ପରିଶ୍ରମ କରିଥିବା କୋହଲି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି। ସେ କହିଛନ୍ତି, ଗଣିତରେ ସର୍ବାଧିକ ୧୦୦ ନମ୍ବର ଥାଏ। ଏଥିରେ ମୁଁ ଏତେ ଭଲ ଥିଲି ଯେ ଥରେ ମାତ୍ର ୩ ନମ୍ବର ରଖିଥିଲି। ମୁଁ ସେତେବେଳେ ବୁଝି ପାରୁ ନଥିଲି, ଜଣେ ଗଣିତ ପଢ଼ିବାର ଆବଶ୍ୟକତା କ’ଣ ପାଇଁ ଅଛି? ମୁଁ ନିଜକୁ କେବେ ବି ଗଣିତ ସହ ଯୋଡ଼ି ପାରି ନଥିଲି। କଷ୍ଟେମଷ୍ଟେ ଦଶମ ପାସ୍ କରିବାକୁ ଚାହୁଁଥିଲି। କାରଣ ଦଶମ ପରେ ନିଜ ଇଚ୍ଛାରେ ଅନ୍ୟ ବିଷୟ ପଢ଼ିବାର ସୁଯୋଗ ରହିଛି। ଗଣିତରେ କୋହଲି ସିନା ଦୁର୍ବଳ ଥିଲେ, ହେଲେ କ୍ରିକେଟର ଭାବେ ଅଭୂତପୂର୍ବ ସଫଳତା ପାଇବା ପରେ ତାଙ୍କୁ ଆଉ ପରୀକ୍ଷା ଦେବାକୁ ପଡ଼ି ନଥିଲା।

ସମ୍ବନ୍ଧିତ ଖବର