ମୁମ୍ବାଇ: ଗତକାଲି ଭାରତ ଟସ୍‌ ଜିତି ନେପାଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବର୍ଷାବାଧାପ୍ରାପ୍ତ ମ୍ୟାଚ୍‌ରେ ନବାଗତ ନେପାଳକୁ ସହଜରେ ହରାଇ ଭାରତ ଏସିଆ କପ୍‌ରେ ଗ୍ରୁପ୍‌ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି। ନେପାଳ ପ୍ରଥମେ ବ୍ୟାଟିଂ କରି ୨୩୦ ରନ୍‌ କରିଥିବା ବେଳେ ଭାରତ ୧୦ ଓ୍କିକେଟ୍‌ରେ ନେପାଳକୁ ପରାସ୍ତ କରିଛି। ଡିଏଲ୍‌ଏସ୍‌ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍‌ ଧାର୍ଯ୍ୟ କରାଯାଇଥିଲା। ଜବାବରେ ରୋହିତ (୫୯ ବଲ୍‌ରୁ ୭୪* ରନ୍‌) ଓ ଶୁବମନ ଗିଲ୍‌ (୬୨ ବଲ୍‌ରୁ ୬୭* ରନ୍‌)ଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ୧୭ ବଲ୍‌ ବଳକା ଥାଇ ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା।

Advertisment

ମ୍ୟାଚ୍‌ ପରେ ବିରାଟ ‌କୋହଲି ନେପାଳ ଖେଳାଳି ସୋମପାଲ କାମିଙ୍କୁ ତ‌ାଙ୍କ ଜୋତାରେ ନିଜର ଅଟୋଗ୍ରାଫ ଦେଇଛନ୍ତି। ଏହାକୁ ଟ୍ବିଟ୍‌ (ଏକ୍ସ) ପୋଷ୍ଟ୍‌ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ନେପାଳୀ ବୋଲିଂ ଅଲ୍‌ରାଉଣ୍ଡର୍‌ ସୋମପାଲ୍। ସେ ତାଙ୍କ ଟ୍ବିଟ୍‌ (ଏକ୍ସ) ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ବିରାଟ କୋହଲି କେବଳ ଜଣେ କ୍ରିକେଟର୍‌ ନୁହଁନ୍ତି, ଏକ ଭାବପ୍ରବଣ’’।

ସୋମପାଲ୍‌ଙ୍କ ଏହି ଟ୍ବିଟ୍‌ ଉପରେ ଅନେକ ପ୍ରତିକ୍ରିୟା ମିଳିଛି। ଅଧିକାଂଶ ଲୋକ ବିରାଟଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ସୋମପାଲ କାମି ହେଉଛନ୍ତି ନେପାଳର ବୋଲିଂ ଅଲ୍‌ରାଉଣ୍ଡର୍‌। ସେ ଭାତର ବିପକ୍ଷରେ ମ୍ୟାଚ୍‌ ଖେଳି ୫୬ ବଲ୍‌ରେ ୪୮ ରନ୍‌ କରିଥିଲେ।  ସେଥିରେ ସେ ଗୋଟାଏ ଚୌକା ଓ ୨ଟି ଛକା ମାରିଥିଲେ।

ପ୍ରଥମ ଥର ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତକୁ ସାମ୍ନା କରୁଥିଲେ ମଧ୍ୟ ଦୁଇ ପ୍ରାରମ୍ଭିକ ବ୍ୟାଟର କୁଶାଲ ଭୁର୍ତେଲ ଓ ଆସିଫ୍‌ ଶେଖ ଅର୍ଦ୍ଧଶତକୀୟ ଭାଗୀଦାରି (୬୫) କରିଥିଲେ। ଦଶମ ଓଭରରେ ଭୁର୍ତେଲ୍‌ଙ୍କୁ ଆଉଟ୍‌ କରି ଶାର୍ଦ୍ଦୁଳ ଠାକୁର ଯୋଡ଼ି ଭାଙ୍ଗିବା ପରେ ରବୀନ୍ଦ୍ର ଜାଦେଜା ନେପାଳର ବିପର୍ଯ୍ୟୟ ଘଟାଇଥିଲେ। ଜାଦେଜା ୩୬ ରନ୍‌ ମଧ୍ୟରେ ଭିମ୍‌ ସାରକି, ରୋହିତ ପୌଡେଲ୍‌ ଓ କୁଶାଲ ମଲ୍ଲଙ୍କୁ ଆଉଟ୍‌ କରିଥିଲେ। ପ୍ରଥମ ନେପାଳି ଖେଳାଳି ଭାବେ ଭାରତ ବିପକ୍ଷରେ ଅର୍ଦ୍ଧଶତକ କରିଥିବା ଆସିଫ୍‌ଙ୍କୁ ସିରାଜ ଆଉଟ୍‌ କରି ୧୩୨ ରନ୍‌ ମଧ୍ୟରେ ଅଧା ଖେଳାଳିଙ୍କୁ ପାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ତଥାପି ଦୀପେନ୍ଦ୍ର ସିଂହ ଆଇରି ଓ ସୋମପାଲ୍‌ କାମି ସପ୍ତମ ୱିକେଟ୍‌ରେ ୫୦ ରନ୍‌ର ଭାଗୀଦାରି କରି ଦଳକୁ ସମ୍ମାନଜନକ ସ୍ଥାନରେ ପହଞ୍ଚାଇଥିଲେ। ସୋମପାଲ୍‌ ଦ୍ରୁତ ରନ୍‌ ସଂଗ୍ରହ କରି ଅର୍ଦ୍ଧଶତକଠୁ ୨ ରନ୍‌ ଦୂରରେ ଥାଇ ଆଉଟ୍‌ ହେବାରୁ ଦଳ ୨୩୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା।