ମାକ୍ସୱେଲ୍‌ଙ୍କ ୧୦୦ ମିଟର ଛକା ଦେଖି ବିରାଟ କୋହଲି ତାଟକା

ଚେନ୍ନାଇ : ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସୱେଲ୍‌ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ। ପଡ଼ିଆକୁ ଆସିବା ମାତ୍ରେ ତାଙ୍କ ବ୍ୟାଟରୁ ଛକା ଚୌକା ବାହାରିଥାଏ। କିନ୍ତୁ ଗତ ଆଇପିଏଲରେ ସେ ଗୋଟିଏ ବି ଛକା ମାରିବାକୁ ସକ୍ଷମ ହୋଇପାରିନଥିଲେ। ଅବିଶ୍ବାସ ଲାଗୁଥିଲେ ବି ଏହା ସତ। ଗତ ଆଇପିଏଲରେ ସେ ୧୧ଟି ମ୍ୟାଚ୍‌ ଖେଳିଥିଲେ ବି ମାତ୍ର ୧୦୮ ରନ୍‌ କରିପାରିଥିଲେ।

ତେବେ ଏଥରର ଆଇପିଏଲ ତାଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । କାରଣ ପ୍ରଥମ ମ୍ୟାଚ୍‌ରେ ହିଁ ତାଙ୍କ ବ୍ୟାଟରୁ ଏକ ବିଶାଳ ଛକା ବାହାରିଥିଲା। ଛକାଟି ପ୍ରାୟ ୧୦୦ ମିଟର ଦୂରରେ ଥିବା ଷ୍ଟାଡିୟମ ଛାତରେ ପଡ଼ିଥିଲା। ଏତେ ବଡ଼ ଛକା ଦେଖି ତାଙ୍କ ସହିତ ବ୍ୟାଟିଂ କରୁଥିବା ବିରାଟ କୋହଲି ମଧ୍ୟ ତାଟକା ହୋଇ ଚାହିଁ ରହିଥିଲେ। ବିରାଟଙ୍କ ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି। ମୁମ୍ବାଇ ବିପକ୍ଷ ଏହି ମ୍ୟାଚ୍‌ରେ ମାକ୍ସୱେଲ୍‌ ୨୮ ବଲ୍‌ରେ ୩୯ ରନ କରି ବାଙ୍ଗାଲୋର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନିଜର ଏହି ପାଳିରେ ସେ ମୋଟ ୨ଟି ଛକା ମାରିଥିଲେ। ଆଇପିଏଲ ଆରମ୍ଭରୁ ନିଜର ଏହି ସଫଳତାରେ ମାକ୍ସୱେଲ୍‌ ବେଶ୍ ଖୁସି ଅଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ଗତ ବର୍ଷ ଆଇପିଏଲରେ ଗୋଟିଏ ବି ଛକା ମାରି ନଥିବା କଥା ସେ କୋହଲିଙ୍କୁ କହିଥିଲେ। ଏ ବର୍ଷ ଛକାରୁ ଆଇପିଏଲ ଆରମ୍ଭ କରିଥିବାରୁ ସେ ଆଶ୍ବସ୍ତ ଅଛନ୍ତି। ଏହା ସହିତ ଗତ ବର୍ଷର ନିରାଶା ମଧ୍ୟ ଅପସରିଯାଇଛି। କ୍ରିଜର ଗୋଟିଏ ପଟେ ଅଧିନାୟକ ଖେଳୁଥିବା ବେଳେ ଅନ୍ୟପଟେ ଭଲ ପ୍ରଦର୍ଶନ କରିବା ଖୁବ ଖୁସିର ବିଷୟ ବୋଲି ସେ ସାଥୀ ଖେଳାଳି ହର୍ଷଲ ପଟେଲଙ୍କ ସହ କରିଥିବା ବାର୍ତ୍ତାଳାପ ସମୟରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର