ଟେଷ୍ଟ୍‌ ମାନ୍ୟତା: ଶୀର୍ଷ ସ୍ଥାନ ହରାଇଲେ କୋହଲି

ଦୁବାଇ : ଚଳିତ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ନୈରାଶ୍ୟଜନକ ପ୍ରଦର୍ଶନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆଇସିସି ମାନ୍ୟତାରେ ମହଙ୍ଗା ପଡ଼ିଛି। ୱେଲିଂଟନ୍‌ରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟ୍‌ରେ ମୋଟ ୨୧ ରନ୍‌ କରିଥିବା କୋହଲି ଏଥିପାଇଁ ଆଇସିସି ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାର ଶୀର୍ଷ ସ୍ଥାନ ହରାଇଛନ୍ତି। ତାଙ୍କୁ ଏହି ସ୍ଥାନରୁ ହଟାଇ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। କୋହଲି (୯୦୬ ରେଟିଂ ପଏଣ୍ଟ୍‌) ଦ୍ବିତୀୟ ସ୍ଥାନକୁ ଖସି ଯାଇଥିଲା ବେଳେ ସ୍ମିଥ୍‌ (୯୧୧ ରେଟିଂ ପଏଣ୍ଟ୍‌) ନିଜ ଜୀବନରେ ଅଷ୍ଟମ ଥର ପାଇଁ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ପ୍ରାୟ କିଛି ବର୍ଷ ଧରି ଶୀର୍ଷ ସ୍ଥାନ ଉଭୟ କୋହଲି ଓ ସ୍ମିଥ୍‌ଙ୍କ ମଧ୍ୟରେ ଅଦଳବଦଳ ହୋଇଚାଲିଛି। କେବଳ ୨୦୧୫ ଡିସେମ୍ବରରେ ମାତ୍ର ୮ ଦିନ ପାଇଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଏହି ସ୍ଥାନରେ ବସିଥିଲେ। ତେବେ ୱେଲିଂଟନ୍‌ରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୮୯ ରନ୍‌ (ଏକମାତ୍ର ପାଳି) କରିଥିବା ୱିଲିୟମ୍‌ସନ୍‌ (୮୫୩) ତୃତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି। ସେ ଏହି ସ୍ଥାନରୁ ଅଷ୍ଟ୍ରେଲିଆର ମାର୍ନସ୍‌ ଲବୁସାନ୍‌ (୮୨୭)ଙ୍କୁ ପଛକୁ ଠେଲି ଦେଇଛନ୍ତି। ୱେଲିଂଟନ୍‌ ଟେଷ୍ଟ୍‌ ଖେଳିଥିବା ଅନ୍ୟ ଭାରତୀୟଙ୍କ ମଧ୍ୟରୁ ଆଜିଙ୍କ୍ୟ ରହାଣେ (୪୬ ଓ ୨୯ ରନ୍‌) ଗୋଟିଏ ସ୍ଥାନ ଲମ୍ଫ ମାରି ଅଷ୍ଟମରେ ପହଞ୍ଚିଥିଲା ବେଳେ ଯୁବ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ (୩୪ ଓ ୫୮ ରନ୍‌) ମଧ୍ୟ ଗୋଟିଏ ସ୍ଥାନ ଉଠି ଦଶମରେ ପହଞ୍ଚିଛନ୍ତି। କିନ୍ତୁ ଉଭୟ ପାଳିରେ ମୋଟ ୧୧ ରନ୍‌ କରିଥିବା ଟେଷ୍ଟ୍‌ ବିଶେଷଜ୍ଞ ଚେତେଶ୍ବର ପୂଜାରା ଦୁଇଟି ସ୍ଥାନ ଖସି ଯାଇଛନ୍ତି। ତଥାପି ସେ ନବମ ସ୍ଥାନ ସହ ଶୀର୍ଷ-୧୦ରେ ରହିଯାଇଛନ୍ତି। ଅନ୍ୟପକ୍ଷରେ ୧୦୦ତମ ଟେଷ୍ଟ୍‌ ଖେଳିଥିବା ନ୍ୟୁଜିଲାଣ୍ଡର ଅଭିଜ୍ଞ ରସ୍‌ ଟେଲର (୪୪ ରନ୍‌) ୩ ସ୍ଥାନ ଉଠି ତ୍ରୟୋଦଶ ସ୍ଥାନରେ ପହଞ୍ଚିଛନ୍ତି।

ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାର ବୋଲରଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ର ଟିମ୍‌ ସାଉଦି ଓ ଟ୍ରେଣ୍ଟ୍‌ ବୋଲ୍‌ଟ ସବୁଠୁ ଅଧିକ ଫାଇଦା ଉଠାଇଛନ୍ତି। ସାଉଦି ୮ ସ୍ଥାନ ଲମ୍ଫ ମାରି ଷଷ୍ଠରେ ଏବଂ ବୋଲ୍‌ଟ ୪ ସ୍ଥାନ ଉଠି ପାକିସ୍ତାନର ମହମ୍ମଦ ଆବାସ୍‌ଙ୍କ ସହ ଯୁଗ୍ମ ତ୍ରୟୋଦଶ ସ୍ଥାନ ପାଇଛନ୍ତି। ହେଲେ ପ୍ରଥମ ସନ୍ତାନ ଜନ୍ମ ଯୋଗୁଁ ୱେଲିଂଟନ୍‌ ଟେଷ୍ଟ୍‌ରୁ ବଞ୍ଚିତ ହୋଇଥିବା ନିଲ୍‌ ୱାଗ୍‌ନର ଏବେ ବି ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ନ୍ୟୁଜିଲାଣ୍ଡ୍‌ ବୋଲର ଭାବେ ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏକମାତ୍ର ଭାରତୀୟ ଭାବେ ବୋଲରଙ୍କ ମାନ୍ୟତାର ନବମ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଟେଷ୍ଟ୍‌ ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ଦୁଇ ସ୍ପିନର ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଭାରତର ସମ୍ମାନ ବଜାୟ ରଖିଛନ୍ତି। ଜାଦେଜା ତୃତୀୟ ଓ ଅଶ୍ବିନ୍‌ ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଛନ୍ତି।

ସମ୍ବନ୍ଧିତ ଖବର