ବାବର-କୋହଲି ଭେଟାଭେଟି

ଦୁବାଇ: ଭାରତ-ପାକିସ୍ତାନ ମହାପ୍ରତିଦ୍ବନ୍ଦ୍ବିତାର ଆଉ ଏକ ମହାଅଧ୍ୟାୟ ମାତ୍ର ଦିନକ ପରେ ଦେଖିବାକୁ ମିଳିବ। ଏହି ମହାଲଢ଼େଇରେ ସାଂପ୍ରତିକ କ୍ରିକେଟ୍‌ର ଦୁଇ ମହାରଥୀ ବିରାଟ କୋହଲି ଏବଂ ବାବର ଆଜମ ମଧ୍ୟ ସାମ୍ନାସାମ୍ନି ହେବେ। ଏହି ଦୁଇ ଜଣଙ୍କ ମଧ୍ୟରେ ତୁଳନା ସହ ଉଭୟଙ୍କ ସମ୍ଭାବ୍ୟ ପ୍ରଦର୍ଶନ ଏବେ କ୍ରିକେଟ୍ ଜଗତର ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏସବୁଠାରୁ ଦୂରେଇ ରହି କୋହଲି ଓ ବାବର କିନ୍ତୁ ରବିବାରର ବହୁପ୍ରତୀକ୍ଷିତ ଲଢ଼େଇ ପୂର୍ବରୁ ପରସ୍ପରକୁ ଭେଟିଛନ୍ତି। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ନିଆଁ ଭଳି ବ୍ୟାପୀ ଯାଇଛି। ବିସିସିଆଇ ପକ୍ଷରୁ ପ୍ରକାଶ କରାଯାଇଥିବା ଭିଡିଓରେ କୋହଲି ଓ ବାବର ପରସ୍ପରର ଅଭିବାଦନ ଗ୍ରହଣ କରୁଛନ୍ତି। ୩୫ ସେକେଣ୍ଡର ଏହି ଭିଡିଓକୁ ପ୍ରଶଂସକ ବେଶ୍ ପସନ୍ଦ କରୁଛନ୍ତି। ପ୍ରକାଶ ଥାଉ କି, ପାକିସ୍ତାନ ଅଧିନାୟକ ବାବର ଏବଂ କୋହଲି ପଡ଼ିଆ ଓ ପଡ଼ିଆ ବାହାରେ ପରସ୍ପର ମଧ୍ୟରେ ଭଲ ସଂପର୍କ ରଖି ଆସୁଛନ୍ତି। କୋହଲି ଫର୍ମ ସହ ସଂଘର୍ଷ କରୁଥିଲା ବେଳେ ବାବର ତାଙ୍କୁ ଖୋଲା ସମର୍ଥନ ଦେଇଥିଲେ। ଏହି ଖରାପ ସମୟ ମଧ୍ୟ ପାର ହୋଇଯିବ ବୋଲି ଟ୍ବିଟରରେ ଲେଖି କୋହଲିଙ୍କ ମନୋବଳ ବଢ଼ାଇଥିଲେ। ହେଲେ କ୍ରିକେଟ୍ ପଡ଼ିଆ ଭିତରେ ବାବର ନିଜ ବଳିଷ୍ଠ ପ୍ରଦର୍ଶନ ପରେ କୋହଲିଙ୍କର ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ଭାଙ୍ଗି ଚାଲିଛନ୍ତି। ବାବରଙ୍କୁ ଭେଟିବା ପରେ କୋହଲି ମଧ୍ୟ ପାକିସ୍ତାନର ଅନ୍ୟତମ କିଂବଦନ୍ତି ବ୍ୟାଟର୍‌ ମହମ୍ମଦ ୟୁସୁଫଙ୍କ ସହ ଆଲୋଚନା କରୁଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଅତୀତରେ ୟୁସୁଫ ମଧ୍ୟ କୋହଲିଙ୍କୁ ସମର୍ଥନ କରି ଟ୍ବିଟ୍‌ କରିଥିଲେ। ‘‘ ୭୦ ଶତକ ଅର୍ଜନ କରିବା ସହଜ କଥା ନୁହେଁ। ମୋ ପାଇଁ କୋହଲି ଗତ ୧୦ ବର୍ଷର ସର୍ବଶ୍ରେଷ୍ଠ ବ୍ୟାଟର୍‌।’’ ବୋଲି ଏକଦା ଟ୍ବିଟ୍ କରିଥିଲେ ୟୁସୁଫ୍।

କ୍ରିକେଟ୍ କଥନ

ଯେତେବେଳେ ଖରାପ ସମୟ ଚାଲଯିବ। ମୁଁ ଭଲ ଭାବରେ ଜାଣିଛି, ମୁଁ କ’ଣ କରି ପାରିବି। ୨୦୧୪ ଇଂଲଣ୍ଡ ଗସ୍ତରେ ମୁଁ ଏଭଳି ସ୍ଥିତିର ସମ୍ମୁଖୀନ ‌ହୋଇଥିଲି। ସେଥରଠାରୁ କିନ୍ତୁ ଏବେକାର ସମୟକୁ ସମ୍ମୁଖୀନ ହେବା ମୋ ପାଇଁ ଅପେକ୍ଷାକୃତ ସହଜ ବୋଲି କହିପାରିବି। କାରଣ ମୋ ପାଖରେ ଯଦି ଦକ୍ଷତା ନଥା’ନ୍ତା, ତାହେଲେ ମୁଁ ଆଦୌ ଏତେ ସମୟ ଧରି ଖେଳି ପାରି ନଥା’ନ୍ତି।
-ବିରାଟ କୋହଲି, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ

ସମ୍ବନ୍ଧିତ ଖବର