ରାଷ୍ଟ୍ରପତି ରାମନାଥଙ୍କ ଠାରୁ ‘ଖେଳ ରତ୍ନ’ ପୁରସ୍କାର ଗ୍ରହଣ କଲେ ବିରାଟ-ମୀରାବାଇ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋହଲିଙ୍କ ଠାରୁ ମଙ୍ଗଳବାର ଟିମ୍‌ ଇଣ୍ଡିଆ କ୍ରିକେଟର ନିୟମିତ ଅଧିନାୟକ ବିରାଟ କୋହଲି ‘ରାଜୀବ ଗାନ୍ଧି ଖେଳରତ୍ନ’ ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ ସମାରୋହରେ ବିଶ୍ୱ ଚାମ୍ପିଅନ ଭାରୋତ୍ତୋଳକ ମୀରାବାଇ ଚାନୁ ମଧ୍ୟ ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ପୁରସ୍କାର ଗ୍ରହଣ କରିଛନ୍ତି। ସେ ଗତ ବର୍ଷ ବିଶ୍ୱ ଚାମ୍ପିଅନସିପରେ ୪୮ କିଲୋ ବର୍ଗରେ ସ୍ୱର୍ଣ୍ଣପଦକ ଜିତିଥିଲେ। ସେ ଏବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କିନ୍ତୁ ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରି ନଥିଲେ। ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କ ସମେତ ୨୦ ଜଣ ଅନ୍ୟ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିଛି।

 

ରାଷ୍ଟ୍ରପତି ଭବନର ଅଶୋକା ହଲରେ ଆୟୋଜିତ ସମାରୋହରେ ସମସ୍ତଙ୍କ ନଜର କୋହଲିଙ୍କ ଉପରେ ଥିଲା। କାରଣ ସଚିନ ତେନ୍ଦୁଲକର (୧୯୯୭-୯୮) ଓ ମହେନ୍ଦ୍ର ସିଂହ ଧୋନି (୨୦୦୭)ଙ୍କ ପରେ କ୍ରିକେଟରେ ବିରାଟ କୋହଲିଙ୍କୁ ସର୍ବୋଚ୍ଚ ଖେଳ ପୁରସ୍କାର ମିଳିଛି। କୋହଲି ପୂର୍ବରୁ ୨୦୧୩ରେ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିଲେ। ବିଗତ ୫ ବର୍ଷ ମଧ୍ୟରେ କୋହଲି ଉନ୍ନତ ପ୍ରଦର୍ଶନ କରିଛନ୍ତି। ଏଥି ପାଇଁ ତାଙ୍କୁ ଖେଳ ରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଥିଲା।

ରାଷ୍ଟ୍ରପତି କୋବିନ୍ଦ ଆଜି ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି। କୋହଲି ଏପର୍ଯ୍ୟନ୍ତ ୭୧ ଟେଷ୍ଟ ମ୍ୟାଚରେ ୬୧୪୭ ରନ୍‌ ଓ ୨୧୧ ଦିନିକିଆରେ ୯୭୭୯ ରନ୍‌ ସଂଗ୍ରହ କରିଛନ୍ତି। ପୁରସ୍କାର ଗ୍ରହଣ କରିବା ପାଇଁ କୋହଲି ପତ୍ନୀ ଅନୁଷ୍କା ଶର୍ମା, ମା’ ସରୋଜ କୋହଲି ଓ ଭାଇ ବିକାଶଙ୍କ ସହିତ ରାଷ୍ଟ୍ରପତି ଭବନ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର