ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ର ମେଗା ନିଲାମର ସମାପ୍ତି ଭାରତୀୟ କ୍ରିକେଟରେ ଅନେକ ପରିବର୍ତ୍ତନ ଆଣିଛି। ପୂର୍ବରୁ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ସର୍ବାଧିକ ପାରିଶ୍ରମିକପ୍ରାପ୍ତ ଖେଳାଳି ଥିବା ବେଳେ ଏବେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ଋଷଭ ପନ୍ତ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (ଏଲଏସଜି) ଋଷବଙ୍କୁ ୨୭କୋଟିରେ କିଣିବା ପରେ କ୍ରିକେଟର ଏବେ ସର୍ବାଧିକ ପାରିଶ୍ରମିକପ୍ରାପ୍ତ ଖେଳାଳି ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିରାଟଙ୍କୁ ଫ୍ରାଞ୍ଚାଇଜରେ ରଖିବା ପାଇଁ ୨୧କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ଋଷବ ପନ୍ତଙ୍କୁ ଏଲଏସଜି ୨୭କୋଟିରେ କିଣିଛି, ଯାହା ଆଇପିଏଲ ଇତିହାସରେ ସର୍ବାଧିକ।
ବର୍ତ୍ତମାନ ଆଇପିଏଲ ଖେଳାଳିଙ୍କ ଦରମା ନିଶ୍ଚିତ ହେବା ପରେ ଋଷବ ପନ୍ତ ସର୍ବାଧିକ ଆୟ କରୁଥିବା ଭାରତୀୟ କ୍ରିକେଟର ଭାବରେ ଉଭା ହୋଇଛନ୍ତି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ ବର୍ଷକୁ ଏବେ ମୋଟ ୩୨କୋଟି ଟଙ୍କା ରୋଜଗାର କରିବାକୁ ଥିବା ବେଳେ ବିରାଟ କୋହଲି ବର୍ତ୍ତମାନ ବାର୍ଷିକ ୨୮କୋଟି ରୋଜଗାର କରିବେ।
କ୍ରିକେଟ କଥା ଦେଖିବାକୁ ଗଲେ ଉଭୟ ପନ୍ତ ଏବଂ କୋହଲିଙ୍କର ଆୟ ଦୁଇଟି ଉତ୍ସରୁ ହୋଇଥାଏ; ଗୋଟାଏ ହେଲା ବିସିସିଆଇ ଏବଂ ଅନ୍ୟଟି ହେଲା ଆଇପିଏଲ୍ | ବିସିସିଆଇରୁ ପନ୍ତଙ୍କୁ ବାର୍ଷିକ ୫କୋଟି ମିଳୁଥିବା ବେଳେ ଏବେ ଆଇପିଏଲରୁ ସେ ୨୭କୋଟି ରୋଜଗାର କରିବେ। କୋହଲିଙ୍କ କଥା କହିବାକୁ ଗଲେ ବିସିସିଆଇ ତାଙ୍କୁ ବର୍ଷକୁ ୭କୋଟି ଦେଉଥିବା ବେଳେ ଆଇପିଏଲରୁ ସେ ୨୧କୋଟି ରୋଜଗାର କରିବେ।
କୁହାଯାଉଛି ଯେ, ୨୦୨୫ରେ ବିସିସିଆଇ ପନ୍ତଙ୍କୁ ଏ ପ୍ଲସ୍ ବର୍ଗକୁ ନେଇ ତାଙ୍କ ପାରିଶ୍ରମିକ ବଢ଼ାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/29/gPC8i27IpM4ebw0DJxnh.jpg)