ଆଇସିସି ଏକଦିବସୀୟ ମାନ୍ୟତା : ବିରାଟ କୋହଲି ବିଶ୍ବର ୧ନଂ ବ୍ୟାଟ୍ସମ୍ୟାନ

ଦୁବାଇ : ଆଇସିସି ପକ୍ଷରୁ ଦିନିକିଆ ଓ ଟି-୨୦ ମାନ୍ୟତା ପ୍ରକାଶ ପାଇଛି ।  ଉଭୟ ତାଲିକାର ପ୍ରଥମ ୧୦ଟି ସ୍ଥାନରେ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଅଛନ୍ତି ।

ଭାରତୀୟ ଦଲର ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ଅଛନ୍ତି । ୨ୟ ସ୍ଥାନରେ ଭାରତର ବିସ୍ଫୋରକ ଓପନର ରୋହିତ ଶର୍ମା ଅଛନ୍ତି । ୩ୟ ସ୍ଥାନରେ ପାକିସ୍ତାନର ବାବର ଆଜମ ଓ ୪ର୍ଥରେ ନ୍ୟୁଜିଲାଣ୍ଡର ରସ ଟେଲର ଅଛନ୍ତି । ୫ମରେ ଅଷ୍ଟ୍ରେଲିଆର ଆରନ ଫିଞ୍ଚ୍ ଅଛନ୍ତି ।

ଅନ୍ୟପକ୍ଷରେ ଟି-୨୦ରେ ଇଂଲାଣ୍ଡର ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ ବିଶ୍ବର ୧ ନଂ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଛନ୍ତି । ୨ୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ ଓ ୩ୟ ସ୍ଥାନରେ ଅଛନ୍ତି ପାକିସ୍ତାନର ବାବର ଆଜମ । ୪ର୍ଥରେ ଅଛନ୍ତି ଭାରତର କେ.ଏଲ.ରାହୁଲ । ସେ ଗୋଟିଏ ପାହାଚ ତଳକୁ ଖସି ଏହି ସ୍ଥାନରେ ପହଞ୍ଚିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଲିକାର ୫ମ ସ୍ଥାନରେ ଅଛନ୍ତି । ଏକମାତ୍ର ଭାରତୀୟ ଖେଳାଳୀ ଭାବେ ବିରାଟ କୋହଲି କ୍ରିକେଟର ୩ଟି ଫର୍ମାଟ ଏକଦିବସୀୟ,ଟି-୨୦ ଓ ଟେଷ୍ଟରେ ପ୍ରଥମ ୫ଟି ସ୍ଥାନ ମଧ୍ୟରେ ରହିଛନ୍ତି ।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ବିଶ୍ବର ୧ ନଂ ଏକଦିବସୀୟ ବୋଲର ମାନ୍ୟତା ପାଇଛନ୍ତି । ୨ୟ ସ୍ଥାନରେ ଅଛନ୍ତି  ଆଫଗାନିସ୍ତାନର ମୁଜିବୁର ରେହମାନ  ଓ ୩ୟରେ ଭାରତର ଯଶପ୍ରିତ ବୁମରା ଅଛନ୍ତି ।

ସେହିପରି ଟି-୨୦ ବୋଲର ମାନ୍ୟତା ତାଲିକା ଅନୁସାରେ ଆଫଗାନିସ୍ତାନର ରସିଦ ଖାଁ ବିଶ୍ବର ୧ନଂ ଟି-୨୦ ବୋଲର ମାନ୍ୟତା ପାଇଛନ୍ତି । ୨ୟ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ତବରେଜ୍ ସାମସି  ଓ ୩ୟ ରେ ଆଫଗାନିସ୍ତାନର ମୁଜିବୁର ରେହମାନ ଅଛନ୍ତି ।

ସମ୍ବନ୍ଧିତ ଖବର