ନୂଆଦିଲ୍ଲୀ: ଏବେକାର ଦୁଇଜଣ ଶ୍ରେଷ୍ଠ ଭାରତୀୟ କ୍ରିକେଟର ହେଲେ ରୋହିତ ଶର୍ମା ଏବଂ ବିରାଟ କୋହଲି। ଦୁହେଁ ଭଲ ଖେଳାଳି ହୋଇଥିଲେ ବି ସେମାନଙ୍କ ବ୍ୟକ୍ତିତ୍ୱରେ ଅନେକ ପାର୍ଥକ୍ୟ ରହିଛି। କୋହଲି କଥା କଥାରେ ପଡ଼ିଆରେ କ୍ରୋଧିତ ହୋଇଯାଉଥିବା ବେଳେ ବର୍ତ୍ତମାନର ଭାରତୀୟ ଅଧିନାୟକ ରୋହିତ ଖୁବ ଶାନ୍ତ। ସେ ବହୁତ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି। ଜଣେ ଭାରତୀୟ ଟେଷ୍ଟ ଦଳକୁ ବିଶ୍ବରେ ଶୀର୍ଷକୁ ନେଇଥିବା ବେଳେ ଅନ୍ୟଜଣେ ଟି-୨୦ ବିଶ୍ୱକପ ବିଜୟରେ ଭାରତର ନେତୃତ୍ୱ ନେଇଥିଲେ। ଏବେ ଦୁହିଁଙ୍କ ସହ ଡ୍ରେସିଂ ରୁମ୍ ସେୟାର କରିଥିବା ଭାରତୀୟ ଲେଗ୍ ସ୍ପିନର ଅମିତ ମିଶ୍ରା ଦୁହିଁଙ୍କ ବ୍ୟକ୍ତିତ୍ବ ବିଷୟରେ ଜଣାଇଛନ୍ତି।
ଦୁହିଁଙ୍କ ବିଷୟରେ କହିବାକୁ ଯାଇ ସେ ଜଣାଇଛନ୍ତି ଯେ, "ପୂର୍ବ ଭଳି କୋହଲିଙ୍କ ସହ ମୋର ସମାନ ସମ୍ପର୍କ ନାହିଁ। କୋହଲି ୧୪ବର୍ଷର ହୋଇଥିବା ବେଳେ ମୁଁ ତାଙ୍କୁ ଜାଣିଛି। ତାଙ୍କୁ ସିଙ୍ଗଡ଼ା ଓ ପିଜ୍ଝା ଖାଉଥିବାର ଦେଖିଛି। ହେଲେ ଚିକୁ ଓ ବିରାଟଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ବିରାଟ ସମୟ ସହ ବଦଳିଛନ୍ତି। ଲୋକପ୍ରିୟତା ମିଳିବା ପରେ ସେ ଅତି ଘନିଷ୍ଠ ବନ୍ଧୁମାନଙ୍କ ସହ ବି ପୂର୍ବ ଭଳି ମିଶୁନଥିବା ମୁଁ ଦେଖିଛି। ହେଲେ ରୋହିତ ସେଭଳି ନୁହନ୍ତି। ସେ ମୋ ସହ ପ୍ରଥମେ ଯେମିତି ଥିଲେ ଏବେ ବି ସେମିତି ଅଛନ୍ତି। ବିରାଟଙ୍କୁ ବହୁତ ଆଗରୁ ମୁଁ ଜାଣିଥିଲେ ବି ତାଙ୍କ ସହ ଏବେ ଥଟ୍ଟା ମଜା କରିପାରୁନାହିଁ। ହେଲେ ରୋହିତଙ୍କ ସହ ସେସବୁ କରିପାରୁଛି, କାରଣ ସେ ମୋତେ ସହଜ ଅନୁଭବ କରାଇଛନ୍ତି। ଯେତେବେଳେ ବି ଦେଖା ହେଲେ ବିରାଟ ସମ୍ମାନ ଦିଅନ୍ତି ସତ। ହେଲେ ପୂର୍ବ ଭଳି ତାଙ୍କ ସହ ନିବିଡ଼ ସମ୍ପର୍କ ନାହିଁ।"
ସେ ଆହୁରି କହିଛନ୍ତି, “ରୋହିତ ଆଦୌ ପରିବର୍ତ୍ତନ ହୋଇନାହାଁନ୍ତି ଏବଂ ସେଥିପାଇଁ ସେ ଏତେ ସଫଳ ଅଟନ୍ତି। ସେ ସମସ୍ତଙ୍କ ସହିତ ମିଶନ୍ତି। କେବେ ବି ସେ ବରିଷ୍ଠ ଏବଂ କନିଷ୍ଠ ମଧ୍ୟରେ ପାର୍ଥକ୍ୟ କରନ୍ତି ନାହିଁ। ଖେଳିବା ବେଳେ ସେ ଗାଳି ଦେଲେ ବି ସେମାନଙ୍କୁ ଖାଇବା ପାଇଁ ସାଙ୍ଗରେ ନିଅନ୍ତି। ସବୁବେଳେ ଜଣେ ବଡ ଭାଇ ପରି ବ୍ୟବହାର କରନ୍ତି। ”