ସିଏଏକୁ ନେଇ କୌଣସି ଟିପ୍ପଣୀ ଦେବାକୁ ମନା କଲେ କୋହଲି; କହିଲେ ମୋର ସଂପୂର୍ଣ୍ଣ ଧାରଣା ନାହିଁ

ଗୁଆହାଟୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଶନିବାର ନାଗରିକ ସଂଶୋଧନ ଆଇନ (ସିଏଏ) ସଂପର୍କରେ ତାଙ୍କର ସଂପୂର୍ଣ୍ଣ ଜ୍ଞାନ ନ ଥିବାରୁ ସେ ନେଇ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି। ଯେଉଁ ବିଷୟରେ ମୋର ଧାରଣା ନାହିଁ ସେ ବିଷୟରେ ଦାୟିତ୍ବହୀନ ଭାବେ ଟିପ୍ପଣୀ ଦେବା ଉଚିତ ନୁହେଁ ବୋଲି ସାମ୍ବାଦିକଙ୍କୁ କହିଛନ୍ତି ଟିମ୍-ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି।  ତେବେ ପୂର୍ବରୁ କୋହଲି ୨୦୧୬ ମସିହାରେ ନୋଟବଂଦୀ ଭାରତୀୟ ରାଜନୀତିର ସବୁଠୁ ବଡ଼ ତଥା ମହତ୍ତ୍ବପୂର୍ଣ୍ଣ ପ୍ରଚେଷ୍ଟା ବୋଲି କହିଥିବା ଯୋଗୁଁ ଲୋକେ ତାଙ୍କର ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଥିଲେ।

ସୂଚନା ଅନୁଯାୟୀ,‌ଭାରତୀୟ କ୍ରିକେଟ ଦଳର ରବିବାର ଗୁଆହାଟୀର ବରସାପରା କ୍ରିକେଟ୍ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ସରିଜର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବାକୁ ପହଞ୍ଚିଥିବା ବେଳେ କୋହଲିଙ୍କୁ ସିଏଏ  ବିଷୟରେ ପ୍ରଶ୍ନ ପଚାରାଯାଇଥିଲା। ତେବେ ସିଏଏ ବିରୋଧରେ ଗୁଆହାଟୀରେ କିଛି ଦିନ ପୂର୍ବରୁ  ବଡ଼ ଧରଣର  ବିରୋଧ ପ୍ରଦର୍ଶନ ‌ହୋଇଥିବା କାରଣକୁ ନେଇ ଏ ପରିସ୍ଥିତିରେ କୋହଲି  ସିଏଏ ସମ୍ବନ୍ଧରେ କୌଣସି ଟିପ୍ପଣୀ ଦେବା ପୂର୍ବରୁ ସତର୍କତା ଅବଲମ୍ବନ କରିଛନ୍ତି। ଏ ନେଇ ବିରାଟ କହିଛନ୍ତି ଯେ, ଯେଉଁ ବିଷୟରେ ତାଙ୍କର କୌଣସି ଜ୍ଞାନ ନାହିଁ ସେ ନେଇ ସେ କୌଣସି ଟିପ୍ପଣୀ ଦେବେ ନାହିଁ। ବରଂ ସେ ବର୍ତ୍ତମା‌ନର ସୁରକ୍ଷା ବ୍ୟବସ୍ଥାରେ ସନ୍ତୁଷ୍ଟ ରହିଥିବା ସହିତ ଦେଶ ସୁରକ୍ଷିତ ରହିଛି ବୋଲି କହିଛନ୍ତି।

ଆସନ୍ତା ୫ ତାରିଖରୁ ଭାରତ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ପୁରୁଖା ଦ୍ରୁତ ବୋଲର ଲସିତ୍‌ ମାଲିଙ୍ଗାଙ୍କ ନେତୃତ୍ବାଧୀନ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଗୁରୁବାର ଗୁଆହାଟିରେ ପହଞ୍ଚିଛି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ରାଜ୍ୟସାରା ବିକ୍ଷୋଭ ଚାଲିଥିବା ବେଳେ ସିଂହଳୀ ଦଳକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିମାନବନ୍ଦରରୁ ସିଧାସଳଖ ହୋଟେଲକୁ ନିଆଯାଇଥିଲା। ଅନ୍ୟପକ୍ଷରେ ଘରୋଇ ଭାରତୀୟ ଦଳର ସଦସ୍ୟମାନେ ଦଫା ଦଫା ହୋଇ ଆଜି ଗୁଆହାଟୀରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର