ନୂଆଦିଲ୍ଲୀ : ବିନା ବିଶ୍ରାମରେ ଲଗାତାର ମ୍ୟାଚ୍ ଖେଳିବା ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ୨୦୧୪ରେ ଇଂଲଣ୍ଡ ଗସ୍ତ କରିଥିଲେ। ସେଠାରେ ସେ ଘୋର ମାନସିକ ଅବସାଦର ଶିକାର ହୋଇଥିଲେ। ଚିନ୍ତାରେ ମୁଣ୍ଡ ଉଠାଇ ପାରି ନଥିଲେ। ସେତେବେଳେ ତାଙ୍କୁ କାହା ସହ କଥା ହେବାକୁ ମନ ହେଉ ନଥିଲା। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ ପୂର୍ବରୁ ବୁଧବାର କରିଥିବା ସାମ୍ବାଦିକ ସମ୍ମିଳନୀରେ କୋହଲି ନିଜେ ଏକଥା କହିଛନ୍ତି। କୋହଲିଙ୍କ କହିବା କଥା, ଯେତେବେଳେ ମୁଁ ଇଂଲଣ୍ଡ ଗସ୍ତ କରିଥିଲି ସେତେବେଳେ ଏଭଳି ମାନସିକ ଅବସାଦର ଶିକାର ହୋଇଥିଲି ଯେ ମୁଁ ଭାବିଥିଲି ମୋ ପାଇଁ ପୃଥିବୀ ସେହିଠାରେ ସରିଯାଇଛି। କ’ଣ କରିବି, କ’ଣ ନ କରିବି! ମୁଁ ସେକଥା ଆଦୌ ଜାଣି ପାରୁ ନଥିଲି। କାହାକୁ ଓ କେମିତି ଏହି ବିଷୟ ଜଣାଇବି, ସେ କଥା ବି ଭାବି ପାରୁ ନଥିଲି। ଏସବୁ କଥା କିନ୍ତୁ ସାଧାରଣରେ ଚର୍ଚା ହେବା ଉଚିତ। ଖେଳାଳିମାନଙ୍କୁ ଏହି ବିଷୟରେ ସଚେତନ କରାଯିବା ଦରକାର।
ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ମାନସିକ ଅବସାଦର ଶିକାର ହୋଇ ଅନିର୍ଦିଷ୍ଟ କାଳ ପାଇଁ କ୍ରିକେଟ୍ରୁ ଦୂରେଇ ଯିବା ନେଇ ହୋଇଥିବା ପ୍ରଶ୍ନର ଉତ୍ତର ରଖି ଏଭଳି ଘଟଣା ଅନେକ ଖେଳାଳିଙ୍କ ସହ ଘଟେ ବୋଲି ସୂଚନା ଦେଇଛନ୍ତି କୋହଲି। ମ୍ୟାକ୍ସୱେଲ୍ ସାଧାରଣରେ ଏଭଳି କଥା ଖୋଲା ଖୋଲି ଭାବେ ସ୍ବୀକାର କରିଥିବାରୁ କୋହଲି ତାଙ୍କୁ ପ୍ରଶଂସା କରିଛନ୍ତି। ମ୍ୟକ୍ସୱେଲ୍ଙ୍କୁ ସେ ଏହି କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ କରିଛନ୍ତି। ଜଣେ ଖେଳାଳି ପାଇଁ ବିଶ୍ରାମର ନିହାତି ଦରକାର ଅଛି ବୋଲି କୋହଲି ମତ ରଖିଛନ୍ତି। ମ୍ୟାକ୍ସୱେଲଙ୍କ ସାହସକୁ ସଲାମ କରି ସେ କହିଛନ୍ତି ଯେ ମ୍ୟାକ୍ସୱେଲ ସର୍ବସାଧାରଣରେ ଏକଥା କହିବାର ସାହସ ଦେଖାଇ ଥିବାରୁ ସେ ପ୍ରଶଂସାର ପାତ୍ର। ସେ ଏବେ କ୍ରିକେଟର୍ଙ୍କ ପାଇଁ ଉଦାହରଣ। କୋହଲି ଆହୁରି କହିଛନ୍ତି ଯେ ଖେଳାଳି ହେଉଛନ୍ତି ଏକ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ, ଖେଳାଳିଙ୍କୁ ବିଶ୍ରାମ ମିଳିଲେ ସେ ମାନସିକ ଭାବେ ସୁସ୍ଥ ରହିବ ଏବଂ ଭଲ ପ୍ରଦର୍ଶନ କରିପାରିବ।
ସୂଚନାଯୋଗ୍ୟ ଯେ ବାଂଲାଦେଶ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଖେଳାଯାଇଥିବା ଟ୍ବେଣ୍ଟି-୨୦ରେ କୋହଲି ବିଶ୍ରାମ ନେଇଥିଲେ। ପତ୍ନୀ ଅନୁଷ୍କାଙ୍କ ସହ ଛୁଟି ବିତାଇବା ପରେ ଗୁରୁବାରଠୁ ଆରମ୍ଭ ହେବାକୁଥିବା ଟେଷ୍ଟ୍ ଶୃଙ୍ଖଳା ଲାଗି ସେ ଦଳ ସହ ଯୋଗ ଦେଇଛନ୍ତି। ମ୍ୟାକ୍ସୱେଲଙ୍କ ଭଳି ଷ୍ଟିଭ୍ ହାର୍ମିସନ୍, ମାର୍କସ ଟ୍ରେସ୍କୋଥିକ ଓ ଗ୍ରେମ୍ ଫ୍ଲାୱାରଙ୍କ ଭଳି ଖେଳାଳି ମାନସିକ ଅବସାଦର ଶିକାର ହୋଇଥିବାର ଖରବ ପ୍ରକାଶ ପାଇଥିଲେ ମଧ୍ୟ ସେମାନେ ଏହାକୁ କେବେ ବି ସର୍ବସମ୍ମୁଖରେ ସ୍ବୀକାର କରିନାହାନ୍ତି।