ଆଜିର ଦିନରେ କୋହଲି ଖେଳିଥିଲେ ପ୍ରଥମ ଦିନିକିଆ, ଟୁଇଟର୍‌ରେ ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଅଛି ଏବଂ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ପୂର୍ବରୁ ତିନିଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳୁଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ବିରାଟ କୋହଲିଙ୍କ ପ୍ରଦର୍ଶନକୁ ଆଜିର ଦିନରେ ବହୁ ପ୍ରଶଂସା କରାଯାଉଛି। ସେ ଦିନିକିଆ ଶୃଙ୍ଖଳାରେ ଖେଳାଯାଇଥିବା ଉଭୟ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ବିରାଟ କୋହଲି ଏବେ ତିନି ଫର୍ମାଟରେ ଅଧିନାୟକ ଅଛନ୍ତି। ସେ ଆଜିର ଦିନରେ ଅର୍ଥାତ ୧୧ ବର୍ଷ ପୂର୍ବରୁ (୨୦୧୮ ଅଗଷ୍ଟ ୧୮) ନିଜ କ୍ୟାରିୟରର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

ବିରାଟ କୋହଲି କିଛି ବର୍ଷ ହେବ ଭଲ ଫର୍ମରେ ଅଛନ୍ତି ଏବଂ କ୍ରମାଗତ ଭାବେ ଶତକ ହାସଲ କରୁଛନ୍ତି। ମାତ୍ର କୋହଲି ବିଶ୍ୱକପ୍‌-୨୦୧୯ରେ ଆଶାନୁସାରେ ପ୍ରଦର୍ଶନ କରି ନ ଥିଲେ। ବିରାଟ କୋହଲି ନିଜ କ୍ୟାରିୟରର ପ୍ରଥମ ଦିନିକିଆ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ଶ୍ରୀଲଙ୍କାର ଦାମ୍ବୁଲା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା। ସେହି ମ୍ୟାଚରେ କୋହଲି ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ।

କୋହଲି ନିଜର ପ୍ରଥମ ଶତକ ୨୦୦୯ରେ ହାସଲ କରିଥିଲେ। ସେହି ଦିନ ଠାରୁ କୋହଲି ଏଯାଏଁ ୪୩ଟି ଦିନିକିଆ ଶତକ ହାସଲ କରିଛନ୍ତି। ସଚିନ ତେନ୍ଦୁଲକର ଦିନିକିଆରେ ୪୯ଟି ଶତକ ହାସଲ କରିଛନ୍ତି।

କୋହଲି ଗୋଟିଏ ଦଶନ୍ଧିରେ ୨୦ ହଜାର ରନ୍‌ ସଂଗ୍ରହ କରିବା ମାମଲାରେ ପ୍ରଥମ ଖେଳାଳି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମରେ ଥିଲା। ପଣ୍ଟିଂ ୧୦ ବର୍ଷ ମଧ୍ୟରେ ୧୮ ହଜାର ୯୬୨ ରନ କରିଥିଲେ।

ସମ୍ବନ୍ଧିତ ଖବର