ଅହମଦାବାଦ: ଆଇପିଏଲ-୨୦୨୫ରେ ଆରସିବି ଫାଇନାଲ ମ୍ଯାଚ୍ ଜିତିବା ପରେ ଭାବପ୍ରବଣ ହୋଇଯାଇଥିଲେ ଷ୍ଟାର୍ ବ୍ୟାଟର ବିରାଟ କୋହଲି । ବିଜୟ ପରେ ସେ ଯେତେବେଳେ ପଡିଆରେ ନିଜ ଖୁସି ଜାହିର କରୁଥିଲେ ସେତେବେଳେ ତାଙ୍କ ଆଖିର ଲୁହକୁ ସାରା ଦୁନିଆ ଦେଖୁଥିଲା । କେମିତି ଏହି ବିଜୟ ମୁହୂର୍ତ୍ତ ପାଳିବାକୁ ଜଣେ ୧୮ ବର୍ଷ ଧରି ପ୍ରତୀକ୍ଷା କରିପାରେ ତାର ଉଦାହରଣ ସାଜିଥିଲେ କିଙ୍କ୍ କୋହଲି । ବିରାଟଙ୍କ ଆଖିରେ ଖୁସି ଲୁହ ବୋହି ଆସୁଥିବା ବେଳେ ତାଙ୍କ ଲୁହକୁ ପୋଛି ଦେଇଥିଲେ ତାଙ୍କ ପତ୍ନୀ ଅନୁଷ୍କା ।
ପଡିଆରେ ବିରାଟଙ୍କୁ ଆଲିଙ୍ଗନ ଏବଂ ଚୁମ୍ବନ ଜରିଆରେ ବିଜୟର ଶୁଭେଚ୍ଛା ଅନୁଷ୍କା ଜଣାଇଥିବା ବେଳେ ଅନୁଷ୍କାଙ୍କୁ ଜୋରରେ ଜାବୁଡି ଧରି ଏ ସଫଳତା ପଛରେ ପତ୍ନୀଙ୍କର ବି ହାତ ଥିବା କହି ଅନୁଷ୍କାଙ୍କୁ ବିଜୟର ଶ୍ରେୟ ଦେଇଥିଲେ ବିରାଟ । ତେବେ ଆରସିବି ଯେତେବେଳେ ଜିତିଗଲା ସେତେବେଳେ ଗ୍ୟାଲେରୀରେ ଥିବା ଅନୁଷ୍କା କ୍ଷଣିକ ପାଇଁ ବିଶ୍ବାସ କରି ପାରିନଥିଲେ ଏବଂ ପରେ ଟ୍ରଫି ସହ ଉଭୟ ବିରାଟ- ଅନୁଷ୍କା ବିଭିନ୍ନ ପୋଜରେ ଫଟୋ ଉଠାଇଥିଲେ ।
ଆଇପିଏଲ କୁହନ୍ତୁ କି ଟି-୨୦ ଅବା ଦିନିକିଆ କିମ୍ବା ଟେଷ୍ଟ ବିରାଟ ଯେଉଁଠି ଖେଳୁଥିବେ ସେଠି ଅନୁଷ୍କା ଦେଖୁଥିବେ । ବିଜୟ ହେଉ କି ପରାଜୟ ସବୁ ସମୟରେ ସ୍ବାମୀ ବିରାଟଙ୍କ ପାଖପାଖେ ଥାଆନ୍ତି ପତ୍ନୀ ଅନୁଷ୍କା । ଆରସିବି ଚାମ୍ପିୟନ ହେବା ଖାଲି ବିରାଟଙ୍କ ୧୮ ବର୍ଷର ଅପେକ୍ଷା ନୁହେଁ ବରଂ ଅନୁଷ୍କାଙ୍କ ମଧ୍ଯ ୧୧ ବର୍ଷର ଅପେକ୍ଷାର ଆଜି ଅନ୍ତ ହୋଇଛି ବୋଲି ବିରାଟ ନିଜ ପତ୍ନୀଙ୍କ ବାବଦରେ କହିଛନ୍ତି । ଅନୁଷ୍କାଙ୍କ ତ୍ୟାଗ, କର୍ତ୍ତବ୍ୟପରାୟଣତା ତାଙ୍କ ଖେଳ ପ୍ରତି ସମ୍ମାନକୁ ବିରାଟ ପ୍ରଶଂସା କରିଛନ୍ତି ।