ବର୍ମିଂହାମ୍‌ରେ ବିରାଟ ପାଳି

ବର୍ମିଂହାମ୍‌ : କଥା ରଖିଲେ କୋହଲି। ୨୦୧୪ ଇଂଲଣ୍ଡ ଗସ୍ତ ବିଫଳତାକୁ ଏଥର ଲିଭାଇବାକୁ କଥା ଦେଇଥିଲେ। ଏବେ କାମରେ କରି ଦେଖାଇଲେ। ବର୍ମିଂହାମ୍‌ ଟେଷ୍ଟ୍‍ରେ ଗୁରୁବାର ଭାରତର ପ୍ରଥମ ପାଳିରେ ସମ୍ମାନରକ୍ଷାକାରୀ ଶତକ ହାସଲ କରିିଛନ୍ତି ଏହି ଭାରତୀୟ ଅଧିନାୟକ। ଏହି ବହୁମୂଲ୍ୟ ଶତକ (୧୪୯, ୨୨୫ ବଲ, ୨୨ ଚୌକା, ୧ ଛକା) ମଧ୍ୟ ଚଳିତ ଟେଷ୍ଟ୍‍ ସହିତ ଶୃଙ୍ଖଳାର ଅବଶିଷ୍ଟ ଭାଗ ପାଇଁ ଭାରତର ମନୋବଳକୁ ବଢ଼ାଇଛି। କୋହଲିଙ୍କ ଖେଳ ଜୀବନର ଏହା ୨୨ତମ ଟେଷ୍ଟ ଶତକ। ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ହୋଇଥିଲେ ମଧ୍ୟ ଇଂଲଣ୍ଡ ମାଟିରେ ପ୍ରଥମ ଟେଷ୍ଟ ଶତକ। ବେନ୍‌ ଷ୍ଟୋକ୍‌ସଙ୍କୁ ପଏଣ୍ଟ ସୀମା ରେଖା ସେପାଖକୁ ଖେଳି କୋହଲି ଶତକ ହାସଲ କରିବା ମାତ୍ରେ ଗର୍ଜି ଉଠିଥିଲେ ଏବଂ ହେଲ୍‌ମେଟ୍‌ ଖୋଲି ଭାରତୀୟ ଖେଳାଳି, ପ୍ରଶଂସକ, ପତ୍ନୀ ଅନୁଷ୍କାଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏଥି ସହିତ ନିଜ ନିର୍ବନ୍ଧ ମୁଦିକୁ ଚୁମି ନିଜ ସ୍ୱତନ୍ତ୍ର ଷ୍ଟାଇଲ୍‌ର ଆଉ ଏକ ଝଲକ ଦେଖାଇଥିଲେ। କୋହଲିଙ୍କ ଏହି କିମିଆ ପାଳି ବଳରେ ଭାରତ ବି ପ୍ରଥମ ପାଳି ଚାପରୁ ବାହାରିଯାଇଥିଲା। ଇଂଲଣ୍ଡର ପ୍ରଥମ ପାଳି ୨୮୭ ରନ୍‌ ଜବାବରେ ୨୭୪ ରନ୍‌ ସଂଗ୍ରହ କରି ମାତ୍ର ୧୩ ରନ୍‌ ପଛରେ ରହିଥିଲା। ଈଶାନ୍ତ ଶର୍ମା ନବମ ଓ୍ଵିକେଟ୍‌ ଭାବେ ଆଉଟ୍‌ ହେବା ପରେ ଶେଷ ବ୍ୟାଟସମ୍ୟାନ୍‌ ଉମେଶ ଯାଦବଙ୍କୁ ଅଧିକ ବଲ୍‌ ସମ୍ମୁଖୀନ ହେବାରୁ ନିବୃତ୍ତ ରଖିବା କୌଶଳରେ ବି କୋହଲି ସଫଳ ହୋଇଥିଲେ। ଏକାଧିକ ସିଙ୍ଗଲ୍‌ ରନ୍‌ ନ ନେଇ ନିଜ ସ୍ମରଣୀୟ ଶତକ ଅର୍ଜନ ସହିତ ମଧ୍ୟ କୋହଲି ଭାରତ ପାଳିକୁ ଏକା ଏକା ବଞ୍ଚାଇ ଦେଇଥିଲେ। ୨୦୧୪ ଗସ୍ତରେ ୫ ଟେଷ୍ଟ୍‍ରୁ ମୋଟ ୧୩୪ ରନ୍‌ କରିଥିବା କୋହଲି ମଧ୍ୟ ଏଥର ପ୍ରଥମ ପାଳିରେ ହିଁ (୧୪୯) ପଛରେ ପକାଇ ଦେଇଛନ୍ତି। ସ୍ୱଳ୍ପ ପାଳି ଖେଳି ୨୨ ଶତକ ହାସଲରେ ସେ ମଧ୍ୟ ତାଲିକାର ଚତୁର୍ଥରେ ପହଞ୍ଚିଯାଇଛନ୍ତି। କୋହଲି ନିଜର ୧୧୩ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ପୂର୍ବରୁ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ (୫୮ ପାଳି), ସୁନୀଲ ଗାଭାସ୍କର (୧୦୧ ପାଳି), ଷ୍ଟିଭେନ୍‌ ସ୍ମିଥ୍‌ (୧୦୮ପାଳି) ସ୍ୱଳ୍ପ ପାଳି ବେଳେ ୨୨ତମ ଶତକ ହାସଲ କରିଥିଲେ। କୋହଲି ଏ କ୍ଷେତ୍ରରେ ସଚିନ ତେନ୍ଦୁଲକର (୧୧୪) ଏବଂ ମହମ୍ମଦ ୟୁସୁଫ୍‌ (୧୨୧)ଙ୍କୁ ପଛରେ ପକାଇଥିଲେ।

ସମ୍ବନ୍ଧିତ ଖବର