ମୁମ୍ବାଇ: ମୁମ୍ବାଇର ଜୁହୁରେ ଥିବା ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ବଙ୍ଗଳାକୁ ବିରାଟ କୋହଲି ଲିଜରେ ନେଇଛନ୍ତି। ଏଠାରେ ସେ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ମୁମ୍ବାଇର ଜୁହୁରେ ଦିବଂଗତ ଗାୟକ କିଶୋର କୁମାରଙ୍କ ବଙ୍ଗଳାଠାରେ ଆରମ୍ଭ ହୋଇଛି। ଏହି ରେଷ୍ଟୁରାଣ୍ଟର ନାମ 'ୱାନ ୮ କମ୍ୟୁନ' ରଖାଯାଇଛି। ଏହି ରେଷ୍ଟୁରାଣ୍ଟର ଇଣ୍ଟେରିୟରକୁ ଏବେ ଲୋକମାନେ ଖୁବ ପସନ୍ଦ କରୁଛନ୍ତି। ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇବା ପାଇଁ ଏହା ଜୁହୁର ଏକ ସର୍ବୋତ୍ତମ ସ୍ଥାନ ଭାବରେ ଏବେ ପରିଚିତ ହୋଇଛି | ଏହି ରେଷ୍ଟୁରାଣ୍ଟର ସୁନ୍ଦରତା ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି | ବିରାଟ କୋହଲିଙ୍କ ଜର୍ସି ଏବଂ ଅଟୋଗ୍ରାଫ୍ ମଧ୍ୟ ଏହି ରେଷ୍ଟୁରାଣ୍ଟରେ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଥିବାବେଳେ ନିକଟରେ କିଛି ତାରକାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଛି | କିଶୋର କୁମାରଙ୍କ ଏହି ବଙ୍ଗଳାର ନାମ ହେଉଛି 'ଗୌର କୁଞ୍ଜ' |
କିଶୋର କୁମାର ଏହି ବଙ୍ଗଳାରେ ରହୁଥିଲେ। ବର୍ତ୍ତମାନ ବିରାଟ ଏହି ବଙ୍ଗଳାକୁ ୫ ବର୍ଷ ପାଇଁ ଲିଜରେ ନେଇଛନ୍ତି। ଗତ କିଛି ମାସ ଧରି ଏହି ବଙ୍ଗଳାକୁ ଏକ ରେଷ୍ଟୁରାଣ୍ଟରେ ପରିଣତ କରିବା ପାଇଁ ଜୋରସୋରରେ କାର୍ଯ୍ୟ ଚାଲିଥିଲା। ଉଲ୍ଲେଖ ଥାଉ କି ବିରାଟ କୋହଲି ସର୍ବାଧିକ ରୋଜଗାର କରୁଥିବା ଖେଳାଳିଙ୍କ ତାଲିକାରେ ବିଶ୍ୱର ଶ୍ରେଷ୍ଠ ୧୦୦ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ସେ ବର୍ତ୍ତମାନ ୩୦ରୁ ଅଧିକ ବ୍ରାଣ୍ଡର ବିଜ୍ଞାପନ କରୁଥିବାବେଳେ ଏକ ଆକଳନ ଅନୁଯାୟୀ, ତାଙ୍କର ସମ୍ପତ୍ତି ୯୦୦ କୋଟିରୁ ମଧ୍ୟ ଅଧିକ । ବିରାଟ କୋହଲି ଅନେକ ବ୍ୟବସାୟରେ ତାଙ୍କ ଟଙ୍କା ବିନିଯୋଗ କରିଛନ୍ତି। ସେ ୟୁଏଇ ରୟାଲ୍ସ ନାମକ ଏକ ଟେନିସ୍ ଦଳର ସହ-ପ୍ରତିଷ୍ଠାତା | ଉଲ୍ଲେଖ ଥାଉ କି କିଶୋର କୁମାର ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ପ୍ରସିଦ୍ଧ ନାମ ହୋଇଥିବାବେଳେ ତାଙ୍କ କ୍ୟାରିଅରରେ ସେ ୧୦୦ରୁ ଅଧିକ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ୨୬୭୮ଟି ଗୀତ ଗାଇଥିଲେ। କିଶୋର କୁମାର ମଧ୍ୟ ଅଭିନୟ କରୁଥିଲେ। ସେ ପ୍ରାୟ ୮୮ଟି ଚଳଚ୍ଚିତ୍ରରେ ଅଭିନେତା ଭାବରେ କାର୍ଯ୍ୟ କରିଥିଲେ | ପ୍ରାୟ ୩୫ ବର୍ଷ ପୂର୍ବେ, ତାଙ୍କର ଦେହାନ୍ତ ହୋଇଯାଇଥିଲା |