ରେକର୍ଡ ସୃଷ୍ଟି କଲେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି : ବିଦେଶରେ ଗାଙ୍ଗୁଲିଙ୍କ ସମକକ୍ଷ ହେଲେ, ଖୁବ୍ ଶୀଘ୍ର ଭାଙ୍ଗିବାକୁ ଯାଉଛନ୍ତି ଧୋନୀଙ୍କ ରେକର୍ଡ !
ମେଲବୋର୍ଣ୍ଣ : ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟରେ ୧୩୭ ରନର ବଡ ବ୍ୟବଧାନରେ ଭାରତ ଘରୋଇ କଙ୍ଗାରୁ ଦଳକୁ ମାତ ଦେଇଛି । ଏହା ସହ ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି ବିରାଟ ବାହିନୀ । ତେବେ ଏହି ସିରିଜରେ ସବୁଠାରୁ ବଡ ରେକର୍ଡ ସୃଷ୍ଟି କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ।
Sambad is now on WhatsApp
Join and get latest news updates delivered to you via WhatsApp
ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ସହ ଅଧିନାୟକ ବିରାଟ କୋହଲି ବିଦେଶରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ସମକକ୍ଷ ହେବା ସହ ସମାନ ଭାବେ ଗାଙ୍ଗୁଲି ସହ ସବୁଠାରୁ ସଫଳ ଭାରତୀୟ ଅଧିନାୟକ ହୋଇଛନ୍ତି । ମେଲବୋର୍ଣ୍ଣ ଟେଷ୍ଟରେ କୋହଲିଙ୍କ ଅଧିନାୟକତ୍ତ୍ୱରେ ବିଦେଶ ମାଟିରେ ଏହା ଭାରତର ୧୧ତମ ବିଜୟ ଅଟେ । ଆଉ ଏହି ବିଜୟ ପରେ କୋହଲି ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପୂର୍ବରୁ ସୌରଭ ଗାଙ୍ଗୁଲିରେ ନେତୃତ୍ୱରେ ବିଦେଶୀ ମାଟିରେ ଭାରତ ସର୍ବାଧିକ ୧୧ଟି ଟେଷ୍ଟ ମ୍ୟାଚ୍ ଜିତିଥିଲା ।
ବିଦେଶରେ ଭାରତର ସଫଳ ଅଧିନାୟକ :
୧. ବିରାଟ କୋହଲି – ୨୪ଟି ଟେଷ୍ଟ ମ୍ୟାଚରୁ ୧୧ଟି ବିଜୟ
୨. ସୌରଭ ଗାଙ୍ଗୁଲି – ୨୮ ଟେଷ୍ଟ ମ୍ୟାଚରୁ ୧୧ଟି ବିଜୟ
୩. ମହେନ୍ଦ୍ର ସିଂହ ଧୋନୀ – ୩୦ଟି ଟେଷ୍ଟ ମ୍ୟାଚରୁ ୬ଟି ବିଜୟ
୪. ରାହୁଲ ଦ୍ରାବିଡ୍ – ୧୭ଟି ଟେଷ୍ଟ ମ୍ୟାଚରେ ୫ଟି ବିଜୟ
କେବଳ ଏତିକି ନୁହେଁ, କୋହଲି ଖୁବଶୀଘ୍ର ଭାରତର ସବୁଠାରୁ ସଫଳ ଅଧିନାୟକ ହେବାକୁ ଯାଉଛନ୍ତି । ଯଦି ସିଡନୀରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ କୋହଲିଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରୁଛି, ତେବେ ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନୀଙ୍କ ସହ ସମକକ୍ଷ ଭାବେ ଭାରତର ସବୁଠାରୁ ସଫଳ ଅଧିନାୟକ ଭାବେ ବିବେଚିତ ହେବେ । ଏହା ସହ କମ ମ୍ୟାଚରେ ଭାରତକୁ ଅଧିକ ବିଜୟ ଦେବାରେ ମଧ୍ୟ କୋହଲି ଧୋନୀଙ୍କୁ ପଛରେ ପକାଇବେ । ତେବେ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ମୋଟ୍ ୬୦ଟି ଟେଷ୍ଟ ଖେଳିଥିବା ବେଳେ, ୨୭ଟି ମ୍ୟାଚରେ ବିଜୟ ହାସଲ କରିଛି। ସେହିପରି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୪୫ଟି ମ୍ୟାଚ ଖେଳିଥିବା ବେଳେ ୨୬ଟି ବିଜୟ ହାସଲ କରିଛି ।