ନୂଆଦିଲ୍ଲୀ: କୋହଲି ମୋ ଉପରକୁ ଛେପ ପକାଇଥିଲେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର କ୍ରିକେଟର ଡିନ ଏଲଗାର ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଏଭଳି ବଡ଼ ଆରୋପ ଲଗାଇଛନ୍ତି। ୨୦୧୫ରେ କୋହଲିଙ୍କ ସହ ହୋଇଥିବା ତାଙ୍କର ପ୍ରଥମ ସାକ୍ଷାତ ସମ୍ପର୍କରେ ଜଣାଇ ଏଲଗାର କହିଛନ୍ତି ଯେ ସେତେବେଳେ ଉଭୟଙ୍କ ମଧ୍ୟରେ ବହୁତ ଝଗଡ଼ା ହୋଇଥିଲା।

Advertisment

ୟୁଟ୍ୟୁବ ଚ୍ୟାନେଲ ବେଟୱେ ଦକ୍ଷିଣ ଆଫ୍ରିକାରେ ଏଲଗାର ଏହି ଖୁଲାସା କରିଛନ୍ତି। ୨୦୧୫ରେ ଏଲଗାରଙ୍କ ପ୍ରଥମ ଭାରତ ଗସ୍ତ ଥିଲା। ଏହି ସମୟରେ ଏଲଗାରଙ୍କର ବିରାଟଙ୍କ ସହ ଯୁକ୍ତିତର୍କ ହୋଇଥିଲା। ସେହି ଘଟଣାକୁ ମନେ ପକାଇ ଏଲଗାର କହିଛନ୍ତି ଯେ, ସେତେବେଳେ କୋହଲି ମୋ ଉପରେ ଛେପ ପକାଇଥିଲେ। ତାଙ୍କର ଏଭଳି କାମକୁ ଦେଖି ମୁଁ ରାଗି ଯାଇଥିଲି। ଯଦି ତୁମେ ପୁଣି ଏହା କର, ମୁଁ ତୁମକୁ ବ୍ୟାଟ୍‌ରେ ପିଟିବି ବୋଲି ମଧ୍ୟ ତାଙ୍କୁ କହିଥିଲି।

ଏହା ଶୁଣି ସାକ୍ଷାତକାର ନେଉଥିବା ବ୍ୟକ୍ତି ପ୍ରଶ୍ନ କରିଥିଲେ ଯେ, କୋହଲି କ’ଣ ଆପଣଙ୍କ ଭାଷା ବୁଝି ପାରିଥିଲେ। ଉତ୍ତରରେ ଏଲଗାର କହିଥିଲେ, 'ହଁ, ସେ ବୁଝିପାରିଥିଲେ କାରଣ ଡିଭିଲିୟର୍ସ ଆରସିବି ଦଳରେ ତାଙ୍କର ସାଥୀ ଖେଳାଳି ଥିଲେ। ‌ତେଣୁ ସେ ଆମ ଭାଷା ବୁଝିପାରୁଥିଲେ। ଆମେ ଭାରତରେ ଥିବାରୁ ମୁଁ କୋହଲିଙ୍କୁ ବେଶୀ କିଛି କହିପାରିନଥିଲି। ତେବେ ୨୦୧୫ରେ ସେ ମୋ ସହ ଏଭଳି ବ୍ୟବହାର କରିଥିବା ବେଳେ ୨୦୧୭-୧୮ରେ ସେ ମୋ‌ତେ କ୍ଷମା ମାଗିଥିଲେ। ଭାରତୀୟ ଟିମ୍ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିଥିବା ବେଳେ ସେ ନିଜ ବ୍ୟବହାର ପାଇଁ ଭୁଲ ମାଗିଥିଲେ।