ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍
ଟେଷ୍ଟ୍ ଓ ଦିନିକିଆ ଦଳ ଅଧିନାୟକ
ଟେଷ୍ଟ୍ କ୍ରିକେଟର୍ ଅଫ୍ ଦି ଇୟର୍
କ୍ରିକେଟର୍ ଅଫ୍ ଦି ଇୟର୍
ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ପ୍ରଭାବୀ ପ୍ରଦର୍ଶନ ଏବେ ପୁରସ୍କାର ତାଲିକାରେ ପ୍ରତିଫଳିତ ହୋଇଛି। ୨୦୧୮ରେ ସବୁ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିବା କୋହଲି ଆଇସିସି ପୁରସ୍କାର ତାଲିକାର ସବୁ ପ୍ରମୁଖ ପୁରସ୍କାରକୁ ପୋଛି ନେଇଛନ୍ତି। ଏକକାଳୀନ ଆଇସିସି କ୍ରିକେଟର୍ ଅଫ୍ ଦି ଇୟର୍, ଆଇସିସି ଟେଷ୍ଟ୍ କ୍ରିକେଟର୍ ଅଫ୍ ଦି ଇୟର୍ ଏବଂ ଆଇସିସି ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍ ପୁରସ୍କାର ହାସଲ କରିଛନ୍ତି। ଏଥି ସହିତ ଏକ ବିରଳ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। େଗାଟିଏ ବର୍ଷ ପାଇଁ ଏକକାଳୀନ ଆଇସିସିର ଏହି ପ୍ରମୁଖ ୩ ପୁରସ୍କାର ପାଇବାରେ କୋହଲି ମଧ୍ୟ ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି। ବିଶ୍ବର ଏହି ଏକ ନମ୍ବର ମାନ୍ୟତାପ୍ରାପ୍ତ ଟେଷ୍ଟ୍ ବ୍ୟାଟସମ୍ୟାନ୍ ସୀମିତ ଓଭରର ଉଭୟ ଫର୍ମାଟ୍ (ଦିନିକିଆ ଏବଂ ଟ୍ବେଣ୍ଟି-୨୦)ରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ବିଦାୟୀ ବର୍ଷରେ କୋହଲି ସବୁ ଫର୍ମାଟରେ ଚମତ୍କାର ବ୍ୟାଟିଂ କରିଥିଲେ। ୧୩ ଟେଷ୍ଟ୍ରୁ ୫ ଶତକ ସହିତ ୫୫.୦୮ ହାରରେ ୧୩୨୨ ରନ୍ ଏବଂ ୧୪ ଦିନିକିଆରୁ ୬ ଶତକ ସହିତ ୧୩୩.୫୫ ହାରରେ ୧୨୦୨ ରନ୍ କରିଥିଲେ। ଉଭୟ ଫର୍ମାଟରେ ମଧ୍ୟ ଆଇସିସି ମାନ୍ୟତାର ଶୀର୍ଷରେ ରହି ବର୍ଷ ଶେଷ କରିଥିଲେ। ଏହି ବର୍ଷକ ଭିତରେ ଭାରତ ଅଧିକାଂଶ ଶୃଙ୍ଖଳା ବିଦେଶରେ ଖେଳିଥିବାରୁ ତାଙ୍କ ପ୍ରଦର୍ଶନ ମଧ୍ୟ ଶାଣିତ ହେବାରେ ଲାଗିଥିଲା। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ ସହିତ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ସହିତ ଖେଳିଥିଲା ଭାରତ। ‘ମୁଁ ଏଥି ପାଇଁ ଚମତ୍କାର ଅନୁଭବ କରୁଛି। ଏକ କ୍ୟାଲେଣ୍ଡର୍ ବର୍ଷ ସାରା କରିଥିବା କଠିନ ପରିଶ୍ରମର ପୁରସ୍କାର ମିଳିଛି। ମୁଁ ଏଥି ପାଇଁ ବଡ଼ କୃତଜ୍ଞ। ବ୍ୟକ୍ତିଗତ ପ୍ରଦର୍ଶନ ସହିତ ଦଳ ଭଲ କରିଥିବାରୁ ବହୁତ ବହୁତ ଖୁସୀ’ ବୋଲି କୋହଲି ନିଜ ପ୍ରଥମ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ବିଶ୍ବ ସ୍ତରରେ ଏତେ ଖେଳାଳି ଖେଳୁଥିବାରୁ ଆଇସିସି ନିକଟରୁ ସ୍ବୀକୃତି ମିଳିବା ନିଶ୍ଚିତ ଗର୍ବର ବିଷୟ ବୋଲି କୋହଲି ପ୍ରକାଶ କରିଛନ୍ତି। ୩୬ ଜଣିଆ ଭୋଟିଂ ପାନେଲ୍ କୋହଲିଙ୍କୁ ସର୍ବସମ୍ମତକ୍ରମେ ସାର୍ ଗାରଫିଲଡ୍ ସୋବର୍ସ (କ୍ରିକେଟର୍ ଅଫ୍ ଦି ଇୟର୍) ପୁରସ୍କାର ପାଇଁ ମନୋନୀତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା ଉଭୟ ଓଭରଅଲ୍ ଏବଂ ଟେଷ୍ଟ୍ ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ଆଫଗାନିସ୍ତାନର ରସିଦ୍ ଖାନ୍ ଦିନିକିଆରେ କୋହଲିଙ୍କ ପଛକୁ ଦ୍ବିତୀୟରେ ରହିଥିଲେ।
ଅନ୍ୟ ପ୍ରମୁଖ ପୁରସ୍କାର ଗୁଡ଼ିକ ମଧ୍ୟରେ ଅନ୍ତର୍ଜାତୀୟ ପଦାର୍ପଣ ବର୍ଷରେ ହିଁ ଭାରତର ଯୁବ ୱିକେଟ୍ରକ୍ଷକ ଋଷବ ପନ୍ତ୍ ଆଇସିସି ଉଦୀୟମାନ କ୍ରିକେଟର୍ ଅଫ୍ ଦି ଇୟର୍ ପୁରସ୍କାର ପାଇଛନ୍ତି। ଆରୋନ୍ ଫିଞ୍ଚ୍ଙ୍କ ଜିମ୍ବାୱେ ବିପକ୍ଷ ୭୬ ବଲ୍ ୧୭୨ ରନ୍କୁ ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ପାଳି ଭାବେ ମନୋନୀତ କରାଯାଇଛି। ୨୦୧୩ ମସିହାରେ ସେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୫୬ ରନ୍ ପାଳିକୁ ପଛରେ ପକାଇ ନିଜ ଅନ୍ତର୍ଜାତୀୟ କୀର୍ତିମାନକୁ ଭାଙ୍ଗିଥିଲେ। କିନ୍ତୁ ସମସ୍ତ ଟ୍ବେଣ୍ଟି-୨୦ କ୍ଷେତ୍ରରେ ବିଶ୍ବ କୀର୍ତିମାନ ହାସଲରେ ମାତ୍ର ୩ ରନ୍ ପାଇଁ କ୍ରିସ୍ ଗେଲ୍ (୧୭୫) ବଞ୍ଚିତ ହୋଇଥିଲେ। ସ୍କଟ୍ଲାଣ୍ଡ୍ର କାଲମ୍ ମ୍ୟାକଲିଅଡ୍ଙ୍କୁ ବର୍ଷର ଶ୍ରେଷ୍ଠ ଆସୋସିଏସଟ୍ କ୍ରିକେଟର୍ ଅଫ୍ ଦି ଇୟର୍ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ବ କପ୍ ଯୋଗ୍ୟତା ପର୍ଯ୍ୟାୟରେ ସେ ଆଫଗାନିସ୍ତାନ ବିପକ୍ଷରେ ୧୫୭* ରନ୍ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ମ୍ୟାଚ୍ ବିଜୟୀ ୧୪୦* ରନ୍କୁ ଶ୍ରେଷ୍ଠ ଦିନିକିଆ ପାଳି ମାନ୍ୟତା ମିଳିଛି। ଅନ୍ୟପକ୍ଷରେ ଖେଳାଳିରୁ ଅମ୍ପାୟାର୍ ବନିଥିବା ଅଫସ୍ପିନର୍ କୁମାର ଧର୍ମସେନାଙ୍କୁ ଶ୍ରେଷ୍ଠ ଅମ୍ପାୟାର୍ ମନୋନୀତ କରାଯାଇଛି। ନ୍ୟୁଜିଲାଣ୍ଡର କେନ୍ ୱିଲିୟମ୍ସନ୍ (ସ୍ପିରିଟ୍ ଅଫ୍ କ୍ରିକେଟ୍) ଏବଂ ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜୟୀ ଭାରତୀୟ ଦଳ (ପ୍ରଶଂସକଙ୍କ ଶ୍ରେଷ୍ଠ ମୁହୂର୍ତ) ମଧ୍ୟ ପୁରସ୍କାର ତାଲିକାରେ ସ୍ଥାନ ପାଇଛନ୍ତି।
ଯୁଗଳ ଅଧିନାୟକ
କୋହଲି ଯେ କେବଳ ୩ଟି ପ୍ରମୁଖ ପୁରସ୍କାର ଜିତି ହ୍ୟାଟ୍ରିକ୍ କରିଛନ୍ତି ତା ନୁହେଁ। ୨୦୧୮ ମସିହା ପାଇଁ ଘୋଷିତ ଶ୍ରେଷ୍ଠ ଟେଷ୍ଟ୍ ଏବଂ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ତାଙ୍କୁ ମିଳିଛି। ଟେଷ୍ଟ୍ ଦଳର ୱିକେଟରକ୍ଷକ ଭାବେ ଭାରତୀୟ ଯୁବ ପ୍ରତିଭା ଋଷବ ପନ୍ତ୍ଙ୍କୁ ସୁଯୋଗ ମିଳିବା ଅନ୍ୟତମ ପ୍ରମୁଖ ଖବର। ପୂର୍ବରୁ ଶ୍ରେଷ୍ଠ ଉଦୀୟମାନ ପୁରସ୍କାର ପାଇଁ ମନୋନୀତ ଋଷବ୍ଙ୍କ ପାଇଁ ଏହା ଖୁସୀକୁ ଦ୍ବିଗୁଣିତ କରିଛି। କୋହଲିଙ୍କ ଭଳି ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ମଧ୍ୟ ଉଭୟ ଦଳରେ ସ୍ଥାନ ପାଇଛନ୍ତି। ଦିନିକିଆ ଦଳରେ ସ୍ଥାନ ପାଇଥିବା ସର୍ବାଧିକ ୪ ଭାରତୀୟଙ୍କ ମଧ୍ୟରୁ ଅନ୍ୟ ୨ ଜଣ ହେଲେ ରୋହିତ ଶର୍ମା ଏବଂ କୁଲଦୀପ ଯାଦବ।
ଟେଷ୍ଟ୍ ଦଳ: ବିରାଟ କୋହଲି (ଅଧିନାୟକ), ଟମ୍ ଲଥାମ୍, ଦିମୁଥ କରୁଣାରତ୍ନେ, କେନ୍ ୱିଲିୟମ୍ସନ୍, ହେନରି ନିକୋଲ୍ସ, ଋଷବ ପନ୍ତ୍ (ୱିକେଟରକ୍ଷକ), ଜାସନ୍ ହୋଲ୍ଡର, କାଗିସୋ ରାବାଦା, ନାଥନ୍ ଲାୟନ୍, ଯଶପ୍ରୀତ୍ ବୁମରା, ମହମ୍ମଦ ଆବାସ।
ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଜନି ବେୟାରଷ୍ଟୋ, ଜୋ ରୁଟ୍, ରସ୍ ଟେଲର୍, ଜୋସ୍ ବଟଲର୍ (ୱିକେଟରକ୍ଷକ), ବେନ୍ ଷ୍ଟୋକ୍ସ, ମୁସ୍ତାଫିଜୁର ରହମାନ, ରସିଦ୍ ଖାନ୍, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Virat-Kohli-PNG-Transparent-Image-715x455-copy.jpg)