ସହିଦଙ୍କ ସମ୍ମାନରେ ବିରାଟ କୋହଲି ନେଲେ ବଡ଼ ନିଷ୍ପତ୍ତି, ବାତିଲ କଲେ ପୁରସ୍କାର ବିତରଣୀ ସମାରୋହ

ନୂଆଦିଲ୍ଲୀ: କ୍ରିକେଟର ବିରାଟ କୋହଲି ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ ଆରପି-ଏସଜି ଭାରତୀୟ ଖେଳ ସମ୍ମାନ କାର୍ଯ୍ୟକ୍ରମକୁ ଶନିବାର ବାତିଲ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ୪୦ ଜଣ ଯବାନ ଗୁରୁବାର ସହିଦ ହୋଇଥିଲେ। ଭାରତୀୟ ଖେଳ ସମ୍ମାନ ଆରପି-ସଂଜୀବ ଗୋୟନକା ଗ୍ରୁପ ଏବଂ ବିରାଟ କୋହଲି ଫାଉଣ୍ଡେସନର ଯୁଗ୍ମ ତତ୍ତ୍ୱାବଧାନରେ ଆୟୋଜନ ହୋଇଥାଏ।

ବିରାଟ କୋହଲି ଟୁଇଟ କରିଛନ୍ତି, ଯେ, ଆରପି-ଏସଜି ଭାରତୀୟ ଖେଳ ସମ୍ମାନର ଆୟୋଜନକୁ ବାତିଲ କରି ଦିଆଯାଇଛି। ଆମର ବୀର ଯବାନ ମାନେ ସହିଦ ହୋଇଥିବାର ବଡ଼ କ୍ଷତି ହୋଇଛି। ଏଥିରେ ସମସ୍ତେ ଆହତ ପାଇଛନ୍ତି। ଏଥି ପାଇଁ ଶନିବାରକୁ ଆୟୋଜିତ ହେବାକୁ ଥିବା ପୁରସ୍କାର ବିତରଣୀ ସମାରୋହକୁ ବାତିଲ କରି ଦିଆଯାଇଛି। କୋହଲିଙ୍କ ସହିତ କିଛି ଅନ୍ୟ ଜଣାଶୁଣା ଖେଳାଳି ମଧ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ଭାରତୀୟ ଖେଳ ସମ୍ମାନ ପାଇଁ କ୍ରିକେଟର ଚେତେଶ୍ୱର ପୂଜାରା, ବକ୍ସର ଏମ୍‌ସି ମେରିକମ୍‌ ଓ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ଚୟନ କରାଯାଇଥିଲା। ସେହିପରି ପୂଜାରା, ରୋହିତ ଶର୍ମା, ଯଶପ୍ରୀତ ବୁମରା, ଫୁଟବଲ ଟିମ ଅଧିନାୟକ ସୁନିଲ ଛେତ୍ରୀଙ୍କୁ ପୁରୁଷ ବର୍ଗରେ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ମହିଳା ବର୍ଗରେ କ୍ରିକେଟର ସ୍ମୃତି ମନ୍ଧାନା, ମିତାଲି ରାଜ, ହରମନପ୍ରୀତ କୌର, ଜାତୀୟ ହକି ଟିମର ଗୋଲକିପର ସବିତା ପୁନିଆଙ୍କୁ ଚୟନ କରାଯାଇଥିଲା।

ସମ୍ବନ୍ଧିତ ଖବର