ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଦୁଇମାସ ପାଇଁ ଖେଳରୁ ବିଶ୍ରାମ ନେଇଥିଲେ। ସେ ଆଇପିଏଲ ୨୦୨୪ ଜରିଆରେ ପୁଣି ଖେଳ ପଡ଼ିଆକୁ ଫେରିଛନ୍ତି।
ବିରାଟ ତାଙ୍କ ଦ୍ବିତୀୟ ସନ୍ତାନ ଜନ୍ମ ସମୟରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ଥିଲେ।
ଦୁଇମାସ ଛୁଟିରେ ରହିବା ପ୍ରସଙ୍ଗକୁ ନେଇ ବିରାଟ କହିଛନ୍ତି, ‘ମୁଁ ଭାରତ ଦେଶରେ ନଥିଲି। ଏମିତି ଏକ ସ୍ଥାନରେ ଥିଲି ଯେଉଁଠାରେ ଲୋକମୋତେ ଚିହ୍ନି ପାରୁ ନଥିଲେ। ଦୁଇମାସ ପୂରା ପରିବାର ସହିତ ରହିବାର ଓ ଜଣେ ନୂଆ ଅତିଥିଙ୍କୁ ସ୍ବାଗତ କରିବାର ଅନୁଭବକୁ ମୁଁ ଶବ୍ଦରେ ବଖାଣି ପାରିବି ନାହିଁ। ପରିବାର ସହିତ ମୋତେ ସମୟ ବିତାଇବା ପାଇଁ ସୁଯୋଗ ମିଳେ ନାହିଁ।
ଏମିତି ସୁଯୋଗ ଦେଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଇବି। ରାସ୍ତାରେ ମୁଁ କେବେ ସାଧାରଣଲୋକ ଭଳି ଯାଇପାରେ ନାହିଁ। ତେଣୁ ଯେଉଁ ଦୁଇମାସ ଛୁଟି ମୁଁ କଟାଇଛି ସେଠାରେ ସାଧାରଣଲୋକଙ୍କ ଭଳି ରାସ୍ତାରେ ବୁଲିବା ମାର୍କେଟିଂ କରିବା ଆଦିର ଖୁବ ମଜା ଉଠାଇଛି। ଜାଣିନି ଏଭଳି ସୁଯୋଗ ମୋତେ ଦ୍ବିତୀୟଥର ମିଳି ପାରିବ କି ନାହିଁ। ଫେବୃଆରି ୨୦ରେ ମୁଁ ପୁତ୍ର ସନ୍ତାନର ବାପା ହୋଇଥିଲି। ଅନୁଷ୍କା ଲଣ୍ଡନରେ ଆକାୟଙ୍କୁ ଜନ୍ମ ଦେଇଥିଲେ। ଏହି ଦିନ ଓ ସ୍ଥାନ ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ।’