ନୂଆଦିଲ୍ଲୀ: ସୋମବାର ଭାରତର ତାରକା ବ୍ୟାଟର ବିରାଟ କୋହଲି ଓ ପୂର୍ବତନ ପ୍ରାରମ୍ଭିକ ବ୍ୟାଟର ତଥା ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମେ’ ୧ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (ଏଲ୍ଏସ୍ଜି) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମ୍ୟାଚ୍ ଶେଷ ହେବା ପରେ ଦୁହେଁ ମୁହାଁମୁହିଁ ହୋଇଥିଲେ। ଲାଇଭ୍ କ୍ୟାମେରାରେ ଦୁହିଁଙ୍କ ଝଗଡ଼ା ରେକର୍ଡ ହେବା ପରେ ସାରା ବିଶ୍ବରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
ଏମଧ୍ୟରେ ବିରାଟ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମନ୍ଦିରରେ ପୂଜା କରିଥିବା ଜଣାପଡ଼ିଛି। ଦୁହେଁ ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଅନୁଷ୍କା ଶାଢ଼ି ପିନ୍ଧିଥିବା ବେଳେ ବିରାଟ ଧୋତି ପିନ୍ଧିଥିବା ଦେଖାଯାଇଛି।
View this post on Instagram
ତେବେ ବିରାଟ ଓ ଗମ୍ଭୀରଙ୍କ ଝଗଡ଼ା ହେବା ପରେ ଏହାର ସମାଧାନ ପାଇଁ ମଧ୍ୟସ୍ତି ହେବାର ପ୍ରସ୍ତାବ ଦେଇଛନ୍ତି ଭାରତର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସେ କହିଛନ୍ତି, “ମୁଁ ଭାବୁଛି ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ସେମାନେ ନିଜ ଭୁଲ ବୁଝିପାରିବେ। ଏବଂ ସେମାନେ ଅନୁଭବ କରିବେ ଯେ ବଚସା ନକରି ବହୁତ ଭଲ ଭାବରେ ଏହାର ସମାଧାନ କରାଯାଇପାରିଥାନ୍ତା। ଉଭୟ ସମାନ ରାଜ୍ୟ ପାଇଁ ଖେଳିଛନ୍ତି ଏବଂ ସେମାନେ ଯଥେଷ୍ଟ କ୍ରିକେଟ୍ ଖେଳିଛନ୍ତି। ଗୌତମ ଏକ ବିଶ୍ୱକପ ବିଜେତା, ବିରାଟ ଅନେକଙ୍କ ପାଇଁ ଆଦର୍ଶ। ଉଭୟ ଦିଲ୍ଲୀରୁ ଆସିଛନ୍ତି। ମୁଁ ଭାବୁଛି ଦୁହେଁ ବସି ଏବିଷୟରେ ଆଲୋଚନା କରିବା ପରେ ହିଁ ସବୁକିଛି ଠିକ୍ ହୋଇପାରିବ। ନହେଲେ ମନରେ ଥିବା କ୍ରୋଧ ସମୟ ସହ ବଢ଼ିଚାଲିବ। ତେଣୁ କେହି ଜଣେ ଏହାର ଦାୟିତ୍ବ ନେଇ ଦୁହିଁଙ୍କୁ ବସାଇ ଏହାର ସମାଧାନ କରିବା ଉଚିତ୍। ମୋତେ କରିବାକୁ କୁହାଗଲେ ମୁଁ ତୁରନ୍ତ ମଧ୍ୟସ୍ତି ହୋଇ ସମାଧାନ କରିବାକୁ ଚାହିବି।"