ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ଘନିଷ୍ଠତା କାହାକୁ ବା ଅଛପା? କୋହଲି ଧୋନିଙ୍କୁ ସର୍ବଦା ନିଜର ବନ୍ଧୁ ଓ ଗୁରୁ ଭାବେ ଭାବି ଆସିଛନ୍ତି। ପୂର୍ବରୁ ବି ସେ ଅନେକ ବାର ଧୋନିଙ୍କ ସଂପର୍କରେ ବୟାନ ଦେଇ ସାରିଛନ୍ତି।
ସୋମବାର କୋହଲି ଧୋନିଙ୍କ ଉପରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଷ୍ଟୋରି ଅପ୍ଲୋଡ୍ କରିଛନ୍ତି। କିପରି ଭାରତୀୟ ସ୍କିପର୍ ଧୋନି ସବୁଆଡ଼େ ଥାଆନ୍ତି ସେ ବିଷୟରେ ଇନଷ୍ଟା ଷ୍ଟୋରି ଦେଇଥିଲେ କୋହଲି।
ସେ ତାଙ୍କ ଷ୍ଟୋରିରେ ଏକ ପାଣି ବୋତଲର ଫଟୋ ସେୟାର କରିଛନ୍ତି। ସେଠାରେ ବିଜ୍ଞାପନ ଉଦ୍ଦେଶ୍ୟରେ ଧୋନିଙ୍କ ଫଟୋ ରହିଛି। ସେ ତାହାକୁ ସେୟାର କରି ଲେଖିଛନ୍ତି, ‘ସେ ସବୁ ସ୍ଥାନରେ, ଏପରିକି ପାଣି ବୋତଲରେ।’
ପୂର୍ବରୁ ବି ଧୋନିଙ୍କୁ ପ୍ରଶଂସା କରିଥିଲେ କୋହଲି। ଆପଣ ଜାଣିଥିବେ ନିଶ୍ଚୟ ଯେ ଏସିଆ କପ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଖେଳାଳି ବିରାଟ କୋହଲି ଏକ ଖରାପ ସମୟ ଦେଇ ଗତି କରୁଥିଲେ। ଏପରିକି ବିରାଟଙ୍କର ଖେଳରେ ଖରାପ ପ୍ରଦର୍ଶନକୁ ନେଇ ଲୋକେ ଏମିତି ବି କହିବା ଆରମ୍ଭ କରିଥିଲେ ଯେ ଏବେ ଟି-୨୦ରେ ଭାରତୀୟ ଟିମ୍ରେ ବିରାଟଙ୍କ ପାଇଁ କୌଣସି ସ୍ଥାନ ନାହିଁ। ସେହି ଖରାପ ସମୟ କାରଣରୁ ବିରାଟ ଏସିଆ କପ୍ ପୂର୍ବରୁ ୧ ମାସର ବିରତି ନେଇଥିଲେ। ସେହି ମାସକ ମଧ୍ୟରେ ବିରାଟ ବଲ୍କୁ ହାତ ବି ଲଗାଇ ନଥିଲେ।
ସେ ନେଇ ବିରାଟ ଲେଖିଥିଲେ ଯେତେବେଳେ ସେ ଅଧିନାୟିକତ୍ବ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ଏକମାତ୍ର ଧୋନି ହିଁ ତାଙ୍କୁ ମେସେଜ କରି ସାହସ ଦେଇଥିଲେ। ଧୋନି ମେସେଜ କରିଥିଲେ, ‘ଯେବେ ତୁମକୁ ଜଣେ ମଜବୁତ ଲୋକ ଭାବେ ଆଶା ରଖାଯାଏ, ଜଣେ ମଜବୁତ୍ ଲୋକର ଦୃଷ୍ଟିରେ ଦେଖାଯାଏ। ସେତେବେଳେ ଲୋକେ ତୁମେ କେମିତ ଅଛ ବୋଲି ପଚାରିବାକୁ ଭୁଲିଯାଆନ୍ତି।’ ବିରାଟ କହିଛନ୍ତି ଯେ ମାହିଙ୍କ ଦ୍ବାରା ପଠା ଯାଇଥିବା ସେ ମେସେଜ୍ ତାଙ୍କ ମନକୁ ବଦଳାଇ ଦେଇଥିଲା।