ବିରାଟ କୋହଲିଙ୍କ ସର୍ବଶ୍ରେଷ୍ଠ ଇନିଂସ୍ : ସଚିନ

ମେଲବୋର୍ଣ୍ଣ : ପାକିସ୍ତାନ ବିପକ୍ଷରେ ରବିବାରଦିନ ବିରାଟ କୋହଲି ଖେଳିଥିବା ଇନିଂସକୁ ତାଙ୍କର କ୍ୟାରିୟରର ଏକ ଶ୍ରେଷ୍ଠ ଇନିଂସଭାବେ ଦେଖାଯାଉଛି । ପାକିସ୍ତାନର ବିଶ୍ବସ୍ତରୀୟ ବୋଲିଂ ଆକ୍ରମଣ ବିପକ୍ଷରେ ଆଜି ସେ ଖେଳିଥିବା ୮୨ ରନର ଇନିଂସକୁ କେବଳ ପ୍ରସଂଶକ ନୁହନ୍ତି, ସମାଲୋଚକମାନେ ବି ପ୍ରସଂଶା କରୁଛନ୍ତି ।

ତାଙ୍କର ଏହି ଇନିଂସକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରସଂଶା କରିଛନ୍ତି । ଏକ ଟୁଇଟ କରି ସେ ଲେଖିଛନ୍ତି, ଯେ ଏହା ହେଉଛି ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଇନିଂସ । ଆଜିର ମ୍ୟାଚରେ ତାଙ୍କୁ ଖେଳୁଥିବାରୁ ଦେଖିବା ବେଶ ଆନନ୍ଦଦାୟକ ଥିଲା । ବିଶେଷକରି ୧୯ ତମ ଓଭରରେ ହ୍ୟାରିସ ରୌଫଙ୍କୁ ବ୍ୟାକଫୁଟରେ ଛକା ମାରିବା ବେଶ ଚମତ୍କାର ଥିଲା ।

 

ସେ ବ୍ୟାଟିଂ କରୁଥିବାବେଳେ ଭାରତ ୪ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତଥାପି ସେ ଚାପରେ ନ ପଡ଼ି ସତର୍କତାର ସହ ଏକ-ଦୁଇ ରନ ନେଇ ନିଜର ବ୍ୟାଟିଂ ଜାରି ରଖିଥିଲେ । ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ପ୍ରଥମେ ସ୍ଥିତିକୁ ସମ୍ଭାଳିଥିଲେ । ସ୍ଥିତିକୁ ସମ୍ଭାଳିବା ପରେ ଉଭୟ ବ୍ୟାଟ୍ସମ୍ୟାନ ପାକିସ୍ତାନୀ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଦେଇଥିଲେ । ପାଣ୍ଡ୍ୟା ୪୦ ରନ କରିଥିଲେ ।

ଚାପରେ ସବୁବେଳେ ବିରାଟ ଭଲ ଖେଳନ୍ତି । ବିଶେଷ କରି ଏକ ଟାର୍ଗେଟର ପିଛା କରିବାବେଳେ ବିରାଟ ଭଲ ଖେଳନ୍ତି । ଏହାକୁ ଆଜି ସେ ପୁଣି ପ୍ରମାଣିତ କରିଦେଇଛନ୍ତି ।

ଗତ ଦୁଇ ବର୍ଷ ହେଲେ ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ବିରାଟ ଗତ ଏସିଆ କପରେ ଫର୍ମକୁ ଫେରିଥିଲେ । ଚଳିତ ବିଶ୍ବକପରେ ବି ସେ ନିଜର ଭଲ ଫର୍ମ ବଜାୟ ରଖିଛନ୍ତି । ଏହା ଭାରତୀୟ ଦଳ ପାଇଁ ଏକ ଶୁଭ ସୂଚନା ।

ସମ୍ବନ୍ଧିତ ଖବର