କୋହଲି ଭାରତୀୟ କ୍ରିକେଟ୍‌ର ମାଲିକ: ଶାସ୍ତ୍ରୀ

ଭାରତୀୟ କ୍ରିକେଟରଙ୍କ ପାଇଁ ‘ସ୍ବାଗତଯୋଗ୍ୟ ବିରତି’

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଶନିବାର ଅଧିନାୟକ ବିରାଟ କୋହଲିଙ୍କୁ ଭାରତୀୟ କ୍ରିକେଟ୍‌ର ମାଲିକ ବୋଲି ଅଭିହିତ କରିଛନ୍ତି। ଦଳର ସହକାରୀମାନେ ତାଙ୍କ ବୋଝକୁ ଲାଘବ କରିଥାନ୍ତି ବୋଲି ମଧ୍ୟ ମତ ଦେଇଛନ୍ତି। ଘରୋଇ ମାଟିରେ ଭାରତର ଲଗାତାର ୧୨ ଟେଷ୍ଟ୍ ବିଜୟର ବିଶ୍ବ କୀର୍ତ୍ତିମାନ ପଛରେ ବ୍ୟାଟିଂ ମାଷ୍ଟର୍‌ କୋହ‌ଲି ମୁଖ୍ୟ ଥିଲେ। ‘ମୁଁ ସବୁବେଳେ ବିଶ୍ବାସ କରେ ଅଧିନାୟକ ହିଁ ଦଳର ମାଲିକ, ପ୍ରଶିକ୍ଷକ ମଣ୍ଡଳିର କାମ ହେଉଛି ପିଲାଙ୍କୁ ଯଥା ସମ୍ଭବଃ ଶ୍ରେଷ୍ଠ ଉପାୟରେ ପ୍ରସ୍ତୁତ କରିବା। ସାହସର ସହିତ ସକାରାତ୍ମକ ଓ ଭୟଶୂନ୍ୟ କ୍ରିକେଟ୍‌ ଖେଳିବାକୁ ସେମାନଙ୍କୁ ପଡିଆକୁ ପଠାଇବା’। ସ୍କାଏ କ୍ରିକେଟ୍‌ ପୋଡକାଷ୍ଟ୍‌ର ଏକ କାର୍ଯ୍ୟକ୍ରମ ବେଳେ ଇଂଲଣ୍ଡର ୩ ପୂର୍ବତନ ଅଧିନାୟକ ନାସିର୍ ହୁସେନ୍‌, ମାଇକେଲ୍ ଆଥରଟନ୍‌ ଏବଂ ରବ୍‌ କିଙ୍କ ସହ ଆଲୋଚନା ବେଳେ ‌ଶାସ୍ତ୍ରୀ ଏହି କଥା କହିଛନ୍ତି।

‘ଅଧିନାୟକ ଉଦାହରଣ ସହ ନେତୃତ୍ବ ଦିଅନ୍ତି। ଅନ୍ୟମାନଙ୍କୁ ତାଙ୍କ ଉପରେ ଥିବା ବୋଝ ହାଲ୍‌କା କରିବାର ଦାୟିତ୍ବ ଥାଏ। ମଝି ପଡିଆରେ ଅଧିନାୟକ ଲୟ ଆଣିବା ପରେ ଅନ୍ୟମାନଙ୍କୁ ଏହାକୁ ଆଗକୁ ନେବାର ଉତ୍ସାହ ଦେଇଥାଏ, ଅଧିନାୟକ କିନ୍ତୁ ସମ୍ପୂର୍ଣ୍ଣ ‌ସୋ’କୁ ନିୟନ୍ତ୍ରଣ କରିଥାନ୍ତି’ ବୋଲି ଶାସ୍ତ୍ରୀ ପ୍ରକାଶ କରିଥିଲେ। ୨୦୧୭ ମସିହାରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ନେବା ପରେ ଭାରତ ଆଇସିସି ଟେଷ୍ଟ୍ ମାନ୍ୟତାରେ ଶୀର୍ଷକୁ ଉଠିବାର ଶ୍ରେୟ କୋହଲିଙ୍କୁ ମିଳିବ। କୋହଲିଙ୍କ ଫିଟନେସ୍‌ ଗୁୁରୁତ୍ବ ଦଳର ଅନ୍ୟ ଖେଳାଳିଙ୍କ ଉପରେ ପ୍ରଭାବ ପକାଇଛି। ସକାଳୁ ଉଠି ସେ ନିଜକୁ କହିଥାନ୍ତି ‘ଏହି ଖେଳକୁ ଖେଳିବାର ଥିଲେ ନିଜକୁ ବିଶ୍ବର ସବୁଠୁ ଫିଟ୍‌ ଖେଳାଳି କରି ରଖିବାର ଅଛି, ସମସ୍ତ ପ୍ରକାର ପରିସ୍ଥିତିରେ ଖେଳିବାକୁ ହେଲେ ନିଜ ଶରୀରକୁ ଏଭଳି ପ୍ରସ୍ତୁତ କରିବାର ଅଛି’। କେବଳ ତାଲିମ ନୁହେଁ କୋହଲି ମଧ୍ୟ ନିଜ ଖାଦ୍ୟରେ ସଂଜମତା ଆଣିବା ସହ ତ୍ୟାଗ କରିଥାନ୍ତି। ଦିନେ ସକାଳ ଉଠି ମୋତେ କହିଥିଲେ ‘ରବି ମୁଁ ଶାକାହାରି’। ଆଉ ସେ ଯେତେବେଳେ ଏଭଳି ଉଦାହରଣ ଧାର୍ଯ୍ୟ କରିଦିଅନ୍ତି, ଏହା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଏ। ଟେଷ୍ଟ୍ କ୍ରିକେଟ୍ ଆମ ପାଇଁ ସବୁଠୁ ବୃହତ୍‌ ଫର୍ମାଟ୍‌, ଆମେ ଏଥିରେ ଉଚ୍ଚ ମାନ ଧାର୍ଯ୍ୟ କରିବାକୁ ଆଗ୍ରହୀ’ ବୋଲି ଶାସ୍ତ୍ରୀ ପ୍ରକାଶ କରିଥିଲେ।

କରୋନା ଗୃହାବଦ୍ଧ କାହା ପାଇଁ କେମିତି
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କ୍ରୀଡ଼ା ଜଗତ ପୂରା ସ୍ଥାଣୁ ପାଲଟି ଯାଇଛି। ଶହେରୁ ଶହେ ପ୍ରତିଶତ ପ୍ରତିଯୋଗିତା ସ୍ଥଗିତ ହୋଇଛି କିମ୍ବା ବାତିଲ କରି ଦିଆଯାଇଛି। ଇତିମଧ୍ୟରେ କେନ୍ଦ୍ର ସରକାର ଘୋଷଣା କରିଥିବା ୨୧ ଦିନିଆ ଗୃହାବଦ୍ଧ ନିର୍ଦେଶ ଭାରତୀୟ କ୍ରିକେଟରଙ୍କ ପାଇଁ ‘ସ୍ବାଗତଯୋଗ୍ୟ ବିରତି’ ଓ ‘ପ୍ରତୀକ୍ଷିତ ବିଶ୍ରାମ’ ବୋଲି ଏଭଳି ଭାବନା ବ୍ୟକ୍ତ କରିଛନ୍ତି କୋହଲି ବାହିନୀର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଏକ ଟେଲିଭିଜନ୍ କାର୍ଯ୍ୟକ୍ରମ ପାଇଁ ଇଂଲଣ୍ଡର ଦୁଇ ପୂର୍ବତନ କ୍ରିକେଟର ମାଇକ୍ ଆଥରଟନ୍ ଓ ନାସିର ହୁସେନଙ୍କ ସହ କ୍ରିକେଟ୍ ଉପରେ କରୋନା ପ୍ରଭାବ ବିଷୟରେ ଆଲୋଚନା କରି ଶାସ୍ତ୍ରୀ କହିଛନ୍ତି ଯେ ଏହି ବିଶ୍ରାମ ଆମ ପାଇଁ ଖରାପ ବୋଲି କହିବିନି। ନ୍ୟୁଜିଲାଣ୍ଡ ଗସ୍ତ ଶେଷ ଆଡ଼କୁ ଆମ ଦଳର ଏକାଧିକ ଖେଳାଳି ଶାରୀରିକ ଓ ମାନସିକ ଭାବେ ଯେ ପୂରା ହାଲିଆ ହୋଇଯାଇଥିଲେ, ତାହା ସ୍ପଷ୍ଟ ଜଣାପଡ଼ୁଥିଲା। ଦଳ ଦକ୍ଷତା ମୂଳକ ପ୍ରଦର୍ଶନ ଦେଇ ପାରିନଥିଲା। ଏହି କଷ୍ଟକର ଗସ୍ତ ପରେ ଖେଳାଳିମାନେ କରୋନା ପାଇଁ ମିଳିଥିବା ବିଶ୍ରାମକୁ ନିଜକୁ ସତେଜ ଓ ସ୍ବାସ୍ଥ୍ୟବାନ କରିବାରେ ଉପଯୋଗ କରିପାରିବେ। ଗତ ଦଶ ମାସ ଭିତରେ ଆମେ ଏତେ କ୍ରିକେଟ୍ ଖେଳିଥିଲୁ ଯେ ଏହା ଦଳୀୟ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଆରମ୍ଭ କରି ଦେଇଥିଲା। ମୁଁ ଓ ପ୍ରଶିକ୍ଷକମଣ୍ଡଳିରେ ଥିବା ଅନ୍ୟ କେତେକ ସହକାରୀ ଅଧିକାରୀ, ମେ ୨୩ରେ ବିଶକପ୍ ପାଇଁ ଘର ଛାଡ଼ିଥିଲୁ। ସେବେଠାରୁ ଆମେ ମାତ୍ର ୧୦ କିମ୍ବା ୧୨ ଦିନ ଘରେ ରହିଛୁ। କିଛି ଖେଳାଳି ଲଗାତାର ତିନିଟି ଯାକ ଫର୍ମାଟରେ ଖେଳୁଥିଲେ। ଏଣୁ ଆପଣମାନେ ଭାବି ପାରୁଥିବେ, ସେମାନଙ୍କ ଉପରେ କେତେ ଚାପ ଥିବ। ବିଶେଷ କରି ଟ୍ବେଣ୍ଟି-୨୦ ଓ ଦିନିକିଆ ଖେଳି ତା’ ପରେ ଟେଷ୍ଟ ମ୍ୟାଚ୍ ଲାଗି ଖାପ ଖୁଆଇବା ସେମାନଙ୍କ ପାଇଁ କେତେ କଷ୍ଟକର ଥିବ। ତା’ ସହ ନିୟମିତ ଯାତ୍ରାର ପ୍ରଭାବ ମଧ୍ୟ ଥିଲା। ବିଶ୍ବକପ୍ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା। ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୃଙ୍ଖଳା ଖେଳିଥିଲା। ତା’ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା, ଯେଉଁଥିରେ ଟ୍ବେଣ୍ଟି-୨୦, ଦିନିକିଆ ଓ ଟେଷ୍ଟ ଥିଲା, ତାକୁ ଖେଳିଥିଲା। ଏଣୁ ମୁଁ ଭାବୁଛି, ଏବର ଗୃହାବଦ୍ଧ ସମୟ ଖେଳାଳିଙ୍କ ପାଇଁ ସ୍ବାଗତଯୋଗ୍ୟ ବିଶ୍ରାମ।

ସମ୍ବନ୍ଧିତ ଖବର