ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବେଳା ପ୍ରାୟତଃ ଭଲ ନାହିଁ। ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କ ବିଫଳତା ଧାରା ଲମ୍ବି ଚାଲିଛି। ଯାହାଫଳରେ ବିଦେଶରେ ତାଙ୍କ ପ୍ରଦର୍ଶନ ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ନ୍ୟୁଜିଲାଣ୍ଡ ଗସ୍ତରେ ସେ ମୋଟ ୯ ପାଳି (୪ ଟ୍ବେଣ୍ଟି-୨୦, ୩ ଦିନିକିଆ ଓ ୱେଲିଂଟନ୍ ଟେଷ୍ଟ୍) ଖେଳି ସଂଗ୍ରହ କରିଛନ୍ତି ମାତ୍ର ୨୦୧ ରନ୍। ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଯଥାକ୍ରମେ ୪୫, ୧୧, ୩୮ ଓ ୧୧ ରନ୍ କରିବା ପରେ ଦିନିକିଆ ଶୃଙ୍ଖଳାରେ ୫୧, ୧୫ ଓ ୯ ରନ୍ କରିଥିବା କୋହଲି ୱେଲିଂଟନ୍ ଟେଷ୍ଟର ଉଭୟ ପାଳିରେ ଯଥାକ୍ରମେ ୨ ଓ ୧୯ ରନ୍ କରିଥିଲେ। ଫଳରେ ଏସିଆ ବାହାରେ କୋହଲିଙ୍କ ପ୍ରଦର୍ଶନ ଫିକା ପଡ଼ିଯାଇଛି। ବିଶେଷକରି ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ରେ ବିଦେଶ ମ୍ୟାଚ୍ରେ ତାଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି।
ପରିସଂଖ୍ୟାନ ଅନୁଯାୟୀ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଅନ୍ତର୍ଗତ ୧୨ ପାଳିରୁ କୋହଲି ୬ ଲେଖାଏଁ ଉଭୟ ଘରେ ଓ ବାହାରେ ଖେଳିସାରିଛନ୍ତି। ଘରୋଇ ମାଟିରେ ସେ ୧୧୩.୨୫ ହାରରେ ୪୫୩ ରନ୍ କରିଥିଲା ବେଳେ ବିଦେଶରେ ନୈରାଶ୍ୟଜନକ ଭାବେ ୨୬.୧୬ ହାରରେ ସଂଗ୍ରହ କରିଛନ୍ତି ୧୫୭ ରନ୍। ଏପରିକି ଇଂଲଣ୍ଡ ଗସ୍ତଠାରୁ ଏମଧ୍ୟରେ ୭ ଟେଷ୍ଟ୍ ଖେଳିଥିବା କୋହଲି ୩୩ ହାରରେ ୪୩୯ ରନ୍ କରିପାରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଓ ୩ ଅର୍ଧଶତକ ସାମିଲ ରହିଛି। ଏକମାତ୍ର ଶତକ ୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ପାଇଥିଲେ। ୨୦୧୮ ଇଂଲଣ୍ଡ ଗସ୍ତରେ କୋହଲି ମୋଟ ୫୯୩ ରନ୍ କରିଥିଲେ। ହେଲେ ସେବେଠାରୁ ବିଦେଶରେ ସଂଘର୍ଷ ଜାରି ରଖିଛନ୍ତି। ୨୦୧୮ ପର୍ଥରେ ୧୨୩ ରନ୍ ଗତ ଦୁଇ ବର୍ଷ ମଧ୍ୟରେ ବିଦେଶରେ କୋହଲିଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଯାଇଛି। ପୁଣି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ରେ ଏହି ଭାରତୀୟ ଅଧିନାୟକ ଏସିଆ ବାହାରେ ସମସ୍ତ ଭାରତୀୟ ଖେଳାଳିଙ୍କ ମଧ୍ୟରେ ତୃତୀୟ ସର୍ବନିମ୍ନ ହାରାହାରିର ଅଲୋଡ଼ା କୀର୍ତ୍ତି ପାଇଛନ୍ତି। କେବଳ ଚେତେଶ୍ବର ପୂଜାରା (୧୩.୬୬) ଏବଂ ଋଷଭ ପନ୍ତ୍ (୨୦.୪୦) ହିଁ କୋହଲିଙ୍କଠାରୁ ଖରାପ ହାରାହାରିରେ ରହିଛନ୍ତି। ଏସିଆ ବାହାରେ ୩ ଲେଖାଏଁ ମ୍ୟାଚ୍ ତଥା ଅତିକମ୍ରେ ୫ ପାଳି ଖେଳିସାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ପୂଜାରାଙ୍କ ହାରାହାରି ସବୁଠୁ ଖରାପ ଥିଲା ବେଳେ ଆଜିଙ୍କ୍ୟ ରହାଣେ ସବୁଠୁ ଭଲ ହାରାହାରି ପାଇଛନ୍ତି।
କୋହଲିଙ୍କ ବିଦେଶ ପ୍ରଦର୍ଶନକୁ ନେଇ ଚିନ୍ତା
/sambad/media/post_attachments/wp-content/uploads/2019/12/virat-kohli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)