ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବାକୁ ଭାରତୀୟ କ୍ରିକେଟ୍ ଦଳ ପ୍ରସ୍ତୁତ ହେଉଥିବାବେଳେ ସମସ୍ତଙ୍କ ନଜର ଦୁଇ ଖେଳାଳିଙ୍କ ଉପରେ ରହିବ। ସେମାନେ ହେଉଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି । ଟିମ୍ ଇଣ୍ଡିଆର ଏହି ଦୁଇ କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ବୟାନ ଦେଇଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର । ସିରିଜରେ ଏହି ଦୁଇ ଖେଳାଳି ଚାପରେ ରହିବେ ବୋଲି ସେ କହିଛନ୍ତି।
ଗୌତମ ଗମ୍ଭୀରଙ୍କ ମତରେ ରୋହିତ ଶର୍ମା ଓ ବିରାଟ କୋହଲି ସିରିଜ୍ ସମୟରେ ଚାପରେ ରହିବେ। ସେ ଷ୍ଟାର ସ୍ପୋର୍ଟସକୁ କହିଛନ୍ତି, ଦ୍ରୁତ ବେଗ, ବାଉନ୍ସ ଏବଂ ସିମ୍, ମୁଁ ବିଶ୍ୱାସ କରେ ଯେ ଆପଣଙ୍କ ବ୍ୟାଟିଂ ଉପରେ ଚାପ ରହିବ। ଦକ୍ଷିଣ ଆଫ୍ରିକା ପାଖରେ ବୋଧହୁଏ ୨୦୧୧ ଭଳି ବ୍ୟାଟିଂ ନାହିଁ, କିନ୍ତୁ ଏହି ଦଳରେ କାଗିସୋ ରାବାଡା, ଜେରାଲ୍ଡ କୋଏଟଜି, ନାନ୍ଦ୍ରେ ବର୍ଜର ଓ ମାର୍କୋ ଜାନସେନଙ୍କ ଭଳି ବୋଲର ଅଛନ୍ତି। ମୁଁ ଭାବୁଛି ଏଠାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ଚାପ ରହିବ କାରଣ ସେମାନେ ଦୁହେଁ ଅଭିଜ୍ଞ।
ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜରେ ୧-୧ରେ ଡ୍ର କରିଥିଲା। ଏବେ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଏପର୍ଯ୍ୟନ୍ତ କୌଣସି ଟେଷ୍ଟ ସିରିଜ୍ ଜିତିପାରିନାହିଁ।