ଶ୍ରେଷ୍ଠ ଖେଳାଳି ଦୌଡ଼ରେ ବିରାଟ, ସୂର୍ଯ୍ୟ

ଦୁବାଇ : ସଂପ୍ରତି ଅଷ୍ଟ୍ରେଲିଆରେ ଚାଲିଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଶୁକ୍ରବାର ମନୋନୀତ ତାଲିକା ଘୋଷଣା କରିଛି। ଏଥିରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବଙ୍କ ସହ ୯ ଜଣ ରହିଛନ୍ତି। ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା, ପାକିସ୍ତାନର ସଦାବ ଖାନ, ସାହିନ ଶାହ ଆଫ୍ରିଦୀ, ଇଂଲଣ୍ଡର ଜୋସ ବଟଲର, ଆଲେକ୍ସ ହେଲ୍ସ, ସାମ କରନ ଏବଂ ଜିମ୍ବାୱେର ସିକନ୍ଦର ରାଜା ଏହି ଶ୍ରେଷ୍ଠ ଖେଳାଳି ଦୌଡ଼ରେ ରହିଛନ୍ତି। କୋହଲି (୨୯୬) ଓ ସୂର୍ଯ୍ୟକୁମାର (୨୩୯) ଏହି ପ୍ରତିଯୋଗିତାର ଅଗ୍ରଣୀ ରନ୍‌ ସ୍କୋରର୍‌। କିନ୍ତୁ ଏମାନଙ୍କ ଶ୍ରେ‌ଷ୍ଠ ପ୍ରଦର୍ଶନ ସତ୍ତ୍ବେ ଭାରତ ‌ସେମିଫାଇନାଲ୍‌ରେ ଇଂଲଣ୍ଡଠୁ ୧୦ ୱିକେଟ୍‌ରେ ହାରି ବିଦାୟ ନେଇଛି।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସିକନ୍ଦର ରାଜା ୭ ଥର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ହେଲେ ତାଙ୍କ ଦଳ ସୁପର ୧୨ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ହସରଙ୍ଗା ଚଳିତ ପ୍ରତିଯୋଗିତାରେ ୮ ମ୍ୟାଚ୍‌ ଖେଳି ୬.୪୧ ଇକୋନୋମିରେ ୧୫ ୱିକେଟ୍‌ ଅକ୍ତିଆର କରିଛନ୍ତି। ଇଂଲଣ୍ଡ ଦ୍ରୁତ ବୋଲର ସାମ୍‌ କରନ ଦେଶର ପ୍ରଥମ ଖେଳାଳିଭାବେ‌ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୫ ୱିକେଟ୍‌ ଅକ୍ତିଆର କରିଛନ୍ତି। ସଦାବ ଖାନ୍‌ ନିକଟରେ ପାକିସ୍ତାନର ସର୍ବାଧିକ ଟ୍ବେଣ୍ଟି-୨୦ ୱିକେଟ୍‌ ହାସଲକାରୀ ସାହିଦ ଆଫ୍ରିଦୀ (୯୮) ଙ୍କ ସମକକ୍ଷ ହୋଇଥିଲେ। ବାମହାତୀ ବୋଲର ସାହିନ ଆଫ୍ରିଦୀ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି।

ସମ୍ବନ୍ଧିତ ଖବର