ବିରାଟ ବନାମ ସଚିନ୍: ୧୨,୦୦୦ ଦିନିକିଆ ଆନ୍ତର୍ଜାତିକ ରନ୍‌ ପୂରଣ ପର୍ଯ୍ୟନ୍ତ ପାଳି ପାର୍ଥକ୍ୟ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ୧୨,୦୦୦ ଦିନିକିଆ ଆନ୍ତର୍ଜାତିକ ରନ୍‌ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ମ୍ୟାଚ୍‌ରେ ୬୩ ରନ୍‌ର ପାଳି ଖେଳି କୋହଲି ଏହି ମାଇଲଖୁଣ୍ଟ୍‌ ଛୁଇଁଥିଲା ବେଳେ କିଂବଦନ୍ତି ସଚିନ୍‌ ତେନ୍ଦୁଲକରଙ୍କ କୀର୍ତ୍ତିମାନକୁ ଟପି ଯାଇଛନ୍ତି। ଉଭୟ କୋହଲି ଓ ସଚିନ୍‌ଙ୍କ ମଧ୍ୟରେ ତୁଳନାତ୍ମକ ବିବରଣୀ ଲମ୍ବା ସମୟ ଧରି ଜାରି ରହିଛି। ଏପରିସ୍ଥଳେ ୧୨,୦୦୦ ରନ୍‌ ପୂରଣ କରିବା ପରେ ଉଭୟ କୋହଲି ଏବଂ ସଚିନ୍‌ଙ୍କ ମଧ୍ୟରେ ଆମେ ଏଠାରେ ସଂଖ୍ୟାର ଖେଳକୁ ନେଇ ସାରଣୀ ପ୍ରକାଶ କରୁଛୁ। ଏହି ସଂଖ୍ୟା ଖେଳକୁ ଦେଖିଲେ ନିଜ କ୍ୟାରିୟରରେ ପ୍ରତି ୧୦୦୦ ରନ୍‌ ମଧ୍ୟରେ କୋହଲି ହିଁ ସଚିନ୍‌ଙ୍କ ତୁଳନାରେ ଦ୍ରୁତତମ (କମ୍‌ ପାଳି ଭିତ୍ତିରେ) ରହିଛନ୍ତି। ସଚିନ୍‌ ୯୩ ପାଳିରେ ୩୦୦୦ ରନ୍‌ କରିଥିଲା ବେଳେ ସେହି ସମାନ ପାଳିରେ କୋହଲି ୪୦୦୦ ରନ୍‌ କରିସାରିଥିଲେ। ପୁଣି କୋହଲି ୨୦୫ ପାଳିରେ ୧୦,୦୦୦ ରନ୍‌ କରିଥିଲା ବେଳେ ତାଙ୍କଠୁ ୫୪ ପାଳି ଅଧିକରେ ସଚିନ୍‌ (୨୫୯) ୧୦,୦୦୦ ମାଇଲଖୁଣ୍ଟ ଛୁଇଁଥିଲେ। ସଂଯୋଗବଶତଃ ସମାନ ପାଳି (୫୪) ବ୍ୟବଧାନରେ ଦୁହେଁ ମଧ୍ୟ ୧୧,୦୦୦ ରନ୍‌ରେ ପହଞ୍ଚିଥିଲେ। କୋହଲି ୨୨୨ ଓ ସଚିନ୍‌ ୨୭୬ ପାଳି ଖେଳି ଏହି ସଂଖ୍ୟା ହାସଲ କରିଥିଲେ। ବିଶେଷକରି ୧୦୦୦ରୁ ଆରମ୍ଭ କରି ୧୨,୦୦୦ ପର୍ଯ୍ୟନ୍ତ ରନ୍‌ ସ୍କୋର୍‌ ମଧ୍ୟରେ କାହାର ପାଳି କେତେ ଥିଲା ତାହା ସାରଣୀରେ ଦର୍ଶାଉଛୁ।

ଅନ୍ୟପକ୍ଷରେ ଦିନିକିଆ ଆନ୍ତର୍ଜାତିକ କ୍ୟାରିୟରରେ ନିଜ ନିଜର ୧୨,୦୦୦ ରନ୍‌ ପୂରଣ କରିବା ବେଳକୁ ବାଉଣ୍ଡାରି (ଚୌକା ଓ ଛକା) ମାରିବାରେ କିନ୍ତୁ କୋହଲିଙ୍କ ତୁଳନାରେ ସଚିନ୍‌ ଆଗରେ ରହିଛନ୍ତି। ସଚିନ୍‌ (୧୨,୦୧୫ ରନ୍‌) ଏହି ସଂଖ୍ୟାରେ ପହଞ୍ଚିଲା ବେଳକୁ ୧୨୪୯ ଚୌକା ଏବଂ ୧୩୫ ଛକା ମାରିଥିଲେ। ତୁଳନାତ୍ମକ ଭାବେ କୋହଲି (୧୨,୦୪୦ ରନ୍‌) ୧୧୩୦ ଚୌକା ଓ ୧୨୪ ଛକା ମାରିଛନ୍ତି। ସେହିପରି ଆଉ ଏକ ତୁଳନାତ୍ମକ ଦୃଷ୍ଟିରୁ ୧୨,୦୦୦ ରନ୍‌ ପୂରଣ କରିବା ମଧ୍ୟରେ ସଚିନ୍‌ ଘରୋଇ ମାଟିରେ କୋହଲିଙ୍କଠୁ ୮୫୦ ରନ୍‌ ପଛରେ ଥିଲା ବେଳେ ବିଦେଶ ମାଟିରେ ୮୨୫ ରନ୍‌ ଆଗରେ ରହିଛନ୍ତି। ଘରୋଇ ଓ ବିଦେଶରେ କୋହଲି ଯଥାକ୍ରମେ ୪୮୬୫ ଓ ୭୧୭୫ ସ୍କୋର୍‌ କରିଥିଲା ବେଳେ ସଚିନ୍‌ ୪୦୧୫ ଓ ୮୦୦୦ ସ୍କୋର୍‌ କରିଥିଲେ।
କିନ୍ତୁ ୧୨,୦୦୦ ରନ୍‌ ପୂରଣ କରିବା ପରେ ଉଭୟଙ୍କ କ୍ୟାରିୟର ଷ୍ଟ୍ରାଇକ୍‌ ରେଟ୍‌କୁ ତୁଳନା କଲେ କୋହଲି ହିଁ ସଚିନ୍‌ଙ୍କଠୁ ଆଗରେ ରହିଛନ୍ତି। କୋହଲିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୯୩.୨୪ ଥିଲା ବେଳେ ସଚିନ୍‌ଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୮୬.୬୫ ରହିଛି।

ସମ୍ବନ୍ଧିତ ଖବର