ମେଲବର୍ଣ୍ଣ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ଟେଷ୍ଟ୍ ଅଧିନାୟକ ଟିମ୍ ପେନ୍‌ଙ୍କ ଜୀବନରେ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌, ସେ ନିଜ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଆଚରଣରେ ପ୍ରତିପକ୍ଷଠାରୁ କୌଣସି ସଫଳତା ଛଡ଼ାଇ ଆଣିପାରନ୍ତି ବୋଲି ଟିମ୍ ପେନ୍‌ କହିଛନ୍ତି। ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଐତିହାସିକ ଟେଷ୍ଟ୍‌ ଶୃଙ୍ଖଳା ବିଜୟୀ ହୋଇଥିବା ବେଳେ ଟିମ୍ ପେନ୍‌ ଅଧିନାୟକ ଥିଲେ। ପେନ୍‌ କହିଛନ୍ତି ଏହି ଶୃଙ୍ଖଳା ବେଳେ ବିରାଟ କୋହଲି ଓ ମୁଁ ଅନେକ ଥର କଥା ହୋଇଛୁ। ସେ ଏଭଳି ଜଣେ ଖେଳାଳି ଯେ ତୁମେ ତାଙ୍କୁ ନିଜ ଦଳରେ ରଖିବାକୁ ଚାହିଁବ। ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଭାବନାର ଏବଂ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌।

Advertisment

ଗିଲି ଆଣ୍ଡ୍ ଗସ୍‌ ପୋଡକାଷ୍ଟରେ ଆଲୋଚନା ବେଳେ ୩୬ ବର୍ଷୀୟ ପେନ୍‌ ଏଭଳି କଥା କହିଛନ୍ତି। ବିରାଟଙ୍କ ବିପକ୍ଷରେ‌ ଖେଳିବା ଆହ୍ବାନଭରା। ସେ ଏତେ ଭଲ ଯେ ତୁମ ଭିତରେ ପଶିଯିବେ ଏବଂ ଏତେ ପ୍ରତିଦ୍ବନ୍ଦ୍ବୀ ଯେ ସଫଳତା ଛଡ଼ାଇନେବେ। ମୁଁ ନିଶ୍ଚିତ ଭାବେ ତାଙ୍କୁ ସବୁବେଳେ ମନେ ରଖିବି। ଗତବର୍ଷ ପେନ୍‌ କହିଥିଲେ, କୋହଲି ଭାରତୀୟ ଦଳର ଅନ୍ୟତମ ଖେଳାଳି ମାତ୍ର, ଯିଏ ମୋତେ ବାସ୍ତବରେ ବିଚାରକୁ ନିଅନ୍ତି ନାହିଁ। ଏହ‌ି ସୁପରଷ୍ଟାରଙ୍କୁ ଅଷ୍ଟ୍ରେଲୀୟାନେ ‘ଘୃଣା କରିବା ଲାଗି ଭଲ ପାଇଥାନ୍ତି’।

ନୂଆଦିଲ୍ଲୀ: ଆଘାତ ଜନିତ ସମସ୍ୟା ଲାଗି ଅଧାରୁ ବନ୍ଦ ରହିଥିବା ଆଇପିଏଲ୍‌-୨୦୨୧ରେ ଖେଳିପାରି ନଥିବା ସନ୍‌ରାଇଜର୍ସ ଓ ଭାରତୀୟ ଦ୍ରୁତ ବୋଲର ଟି ନଟରାଜନ ଦ୍ରୁତ ଆରୋଗ୍ୟ ପଥରେ ରହିଛନ୍ତି। ଦିନକୁ ଦିନ ପୂର୍ବାପେକ୍ଷା ନିଜକୁ ଅଧିକ ଶକ୍ତିଶାଳୀ ମନେ କରୁଛନ୍ତି ବୋଲି ଟ୍ବିଟ୍ କରି ଜଣାଇଛନ୍ତି ସେ। ରବିବାର ନଟରାଜନ ମଧ୍ୟ ନିଜ ଘରେ ଅଭ୍ୟାସ କରୁଥିବାର ଭିଡିଓ ପ୍ରକାଶ କରିଛନ୍ତି। ଗତ ଏପ୍ରିଲ ମାସରେ ହୋଇଥିବା ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଚଳିତବର୍ଷର ଆଇପିଏଲ୍‌ରୁ ସଂପୂର୍ଣ୍ଣ ବାଦ୍ ପଡ଼ିଥିବା ନଟରାଜନ ସଂପ୍ରତି ଭାରତୀୟ ଦଳଠାରୁ ମଧ୍ୟ ଦୂରରେ ରହିଛନ୍ତି। ସଂପୂର୍ଣ୍ଣ ସୁସ୍ଥତା ପାଇବା ପରେ ଯାଇ ଚୟନକର୍ତ୍ତାମାନେ ତାଙ୍କୁ ଜାତୀୟ ଦଳ ପାଇଁ ବିଚାରକୁ ନେବେ।

ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ୍ ଦଳର ଗତ ଅଷ୍ଟ୍ରେଲିଆ ଗସ୍ତରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଏହି ୩୦ ବର୍ଷୀୟ ତାମିଲନାଡୁ ବୋଲର ପ୍ରଥମ ଖେଳାଳି ଭାବେ ଗୋଟିଏ ଗସ୍ତରେ କ୍ରିକେଟ୍‌ର ତିନିଟି ଯାକ ଫର୍ମାଟ୍ ଯଥା ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତୀୟ କ୍ରିକେଟ୍ ଦଳ ପକ୍ଷରୁ ସେ ଗୋଟିଏ ଟେଷ୍ଟ୍, ୨ଟି ଦିନିକିଆ ଓ ୪ଟି ଟ୍ବେଣ୍ଟି-୨୦ ଖେଳିଛନ୍ତି। ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରି ଜାତୀୟ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିବା ନଟରାଜନ ୟର୍କର ‌‌ବିଶେଷଜ୍ଞ ଭାବେ ଉଚ୍ଚ ପ୍ରଶଂସିତ ହୋଇ ଆସୁଛନ୍ତି।

ନୂଆଦିଲ୍ଲୀ: ଆସନ୍ତା ମାସରେ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଖେଳାଯିବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ୍‌ ପ୍ରତିଯୋଗିତା (ଡବ୍ଲୁଟିସି) ଫାଇନାଲରେ ଭାରତ ନିଶ୍ଚିତ ଭାବେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିବ ବୋଲି ଆତ୍ମବିଶ୍ବାସର ସହ କହିଛନ୍ତି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ହନୁମା ବିହାରୀ। ନ୍ୟୁଜିଲାଣ୍ଡ୍ କଷ୍ଟକର ପ୍ରତିଦ୍ବନ୍ଦ୍ବୀ ହୋଇଥିଲେ ମଧ୍ୟ ମୁଁ ଏଥିପାଇଁ ନିଜକୁ ଶ୍ରେଷ୍ଠ ପ୍ରସ୍ତୁତି କରୁଛି। ଡବୁଲ୍ୟଟିସି ଫାଇନାଲ୍ ସହିତ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ମଧ୍ୟ ଖେଳିବ। ଡବଲ୍ୟୁଟିସିର ପ୍ରଥମ ସଂସ୍କରଣ ‌ଫାଇନାଲ୍ ହୋଇଥିବାରୁ ପ୍ରଶଂସକମାନେ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଜୁନ୍ ୧୮ରୁ ୨୨ ତାରିଖ ମଧ୍ୟରେ ଏହା ସାଉଥମ୍ପଟନ୍‌ର ଏଜିସ୍ ବାଉଲ୍‌ରେ ଖେଳାଯିବ। ଏଠାରେ ନ୍ୟୁଜିଲାଣ୍ଡ୍ ଭଳି ପ୍ରତିଦ୍ବନ୍ଦ୍ବୀ ବିପକ୍ଷରେ ଖେଳିବା ନିଶ୍ଚିତ ଭାବେ ଆହ୍ବାନଭରା। କିନ୍ତୁ ଆମେ ଭାରତୀୟ ଖେଳାଳିମାନେ ଏହାକୁ ଭଲ ଭାବେ ଜାଣିଛୁ ଏବଂ ଦଳ ନିଶ୍ଚିତ ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିବ ବୋଲି ବିଶ୍ବାସ ରଖିଛି। ଆହତ କାରଣରୁ ଇଂଲଣ୍ଡ ଶୃଙ୍ଖଳାରୁ ବଞ୍ଚିତ ବିହାରୀ ଭାରତୀୟ ଟେଷ୍ଟ୍ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ବାସ୍ତବରେ ଅଷ୍ଟ୍ରେଲିଆ ଗସ୍ତରେ ସିଡନିରେ ମାରାଥନ୍ ପାଳି ଖେଳି ଭାରତକୁ ପରାଜୟରୁ ରକ୍ଷା କରିବା ଅବସରରେ ବିହାରୀ ଆହତ ହୋଇଥିଲେ। ୧୬୧ ବଲ୍‌ ଖେଳି ୨୩ ରନ୍‌ରେ ଅପରାଜିତ ରହିବାରୁ ଭାରତ ପରାଜୟରୁ ବର୍ତ୍ତିଯାଇଥିଲା। ଶୃଙ୍ଖଳା ୧-୧ରେ ରହିବା ପରେ ବ୍ରିସବେନ୍‌ ଟେଷ୍ଟ୍‌ରେ ଭାରତ ବିଜୟୀ ହୋଇ ଲଗାତାର ଦ୍ବିତୀୟ ଥର ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଶୃଙ୍ଖଳା (୨-୧) ସଫଳତା ଅର୍ଜନ କରିଥିଲା।

ଆହତ ସମସ୍ୟାରୁ ଫେରିବା ପରେ ବିହାରୀ ୭ ମ୍ୟାଚ୍‌ ଖେଳିଛନ୍ତି। ଆନ୍ଧ୍ରପ୍ରଦେଶ ପାଇଁ ବିଜୟ ହଜାରେ ଟ୍ରଫିରେ ସେ ଗୋଟିଏ ମାତ୍ର ଦୁଇ ଅଙ୍କ ସ୍କୋର୍ (୬୫) କରିଥିଲେ। ଏବେ ବର୍ମିଂହାମରେ ରହି ୱାରୱିକସାୟାର ପାଇଁ କାଉଣ୍ଟି ଖେଳୁଥିବା ବିହାରୀ ମଧ୍ୟ ୦, ୮, ୩୨, ୫୨, ୮ ଓ ୦ ରନ୍‌ କରି ସେତେଟା ପ୍ରଭାବ ପକାଇ ପାରିନାହାନ୍ତି।