୫ ରନ୍‌ କରି ବିରାଟ୍‌ ଆଉଟ୍‌, ସହ୍ୟ ନକରି ଆଖି ବୁଜିଲେ ପ୍ରଶଂସକ: ୪ ଦିନ ତଳେ ଦେହରେ ଲଗାଇଥିଲେ ନିଆଁ

ମୁମ୍ବାଇ: ନିକଟରେ ଦକ୍ଷିଣ ଆଫ୍ରିକା ସହିତ ଭାରତ ଖେଳିଥିବା ଟେଷ୍ଟ୍‍ ମ୍ୟାଚ୍‌ରେ ବିରାଟ କୋହଲି ୫ ରନ୍‌ କରି ଆଉଟ୍‌ ହୋଇଯିବାରୁ ଶୁକ୍ରବାର ବିରାଟଙ୍କର ଯେଉଁ ପ୍ରଶଂସକ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନଆଁ ଲଗାଇ ଦେଇଥିଲେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାରଠାରୁ ଏହି ୬୫ ବର୍ଷିଅ ବ୍ୟକ୍ତି ଜଣକ ପ୍ରାୟ ୬୦ ପ୍ରତିଶତ ଜଳିଯିବା ପରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ବିଶେଷ କରି ତାଙ୍କ ମୁହଁ ଏବଂ ବେକର ଅଧିକାଂଶ ଅଂଶ ଜଳି ଯାଇଥିଲା। ପୁଲିସ୍‌ ଘଟଣାର ତଦନ୍ତ ଚାଲୁ ରଖିଛି।

ଉଲ୍ଳେଖଯୋଗ୍ୟ, ନିକଟରେ ଦକ୍ଷିଣ ଆଫ୍ରିକା ସହିତ ଭାରତ ଖେଳିଥିବା ଟେଷ୍ଟ୍‍ ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ନେଇ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ମନରେ ବହୁ ଭରସା ରହିଥିବା ବେଳେ ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ ବିରାଟ। ଏହାକୁ ସହ୍ୟ କରିପାରିଲେ ନାହିଁ ୬୫ ବର୍ଷିଅ କ୍ରିକେଟ୍‌ ପ୍ରେମୀ ବାବୁଲାଲା ବୈରୋ। ସେ ଶେଷରେ ଆୟତ୍ତ ହରାଇ ବସି ନିଜ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇ ଚିକିତ୍ସା କରାଯାଉଥିଲା।

ମଧ୍ୟପ୍ରଦେଶର ଏହି କୋହଲି ପ୍ରଶଂସକ ଜଣକ ମଦ୍ୟପ ହୋଇଥିବାରୁ ସେ ସମୟେ ସମୟେ ଏପରି ଅଜବ କାଣ୍ଡ କରନ୍ତି ବୋଲି ପରିବାର ଲୋକେ କହିଛନ୍ତି। ବିଶେଷ କରି ଟିଭିରେ ଭାରତ ମ୍ୟାଚ୍‌ ଦେଉଥିବା ବେଳେ ସେ ଅତ୍ୟନ୍ତ ଉତ୍ସାହିତ ହୋଇପଡୁଥିଲେ ବୋଲି ପରିବାର ଲୋକ ଜଣାଇଛନ୍ତି।

ଭାରତରେ ଅନେକ ସମୟରେ କ୍ରିକେଟକୁ ନେଇ କ୍ରିକେଟ୍‌ ପ୍ରେମୀମାନଙ୍କର ପାଗଳାମୀ ଦେଖିବାକୁ ମିଳିଥାଏ। କ୍ରିକେଟ୍‌ ପାଇଁ ପୂର୍ବରୁ ମଧ୍ୟ କ୍ରିକେଟ୍‌ ପ୍ରେମୀମାନେ ଏପରି କିଛି କାଣ୍ଡ କରିଥିବା ସୂଚନା ରହିଛି। ପୂର୍ବରୁ ମଧ୍ୟ ୨୦୦୭ ମସିହାରେ ଓ୍ଵାର୍ଲଡ କପ୍‌ରେ ଭାରତର ପରାଜୟ ପରେ କେହି କେହି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର