ନିଜକୁ କଟାକ୍ଷ କଲେ ସେହବାଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ସର୍ବଦା ମଜାଦାର ଟ୍ବିଟ୍‌ କରିବାର ଅନେକ ଉଦାହରଣ ରହିଛି। କେତେବେଳେ ପ୍ରଶଂସା ତ କେତେବେଳେ ସମାଲୋଚନା କରିବାକୁ ସେ ପଛାନ୍ତି ନାହିଁ। ସୋମବାର କିନ୍ତୁ ସେହବାଗ ନିଜକୁ କଟାକ୍ଷ କରିବାର ଅନନ୍ୟ ଉଦାହରଣ ଛାଡ଼ିଛନ୍ତି। ସାମାଜିକ ଗଣମାଧ୍ୟମରେ ନିଜକୁ ଟାଣି କଟାକ୍ଷ କରିଛନ୍ତି ଏହି ମହାନ ଖେଳାଳି। ୨୦୧୧ ମସିହାରେ ଭାରତ ଇଂଲଣ୍ଡ ଗସ୍ତରେ ୦-୪ରେ ଟେଷ୍ଟ୍ ଶୃଙ୍ଖଳା ହାରିଥିଲା। ସେହବାଗ ପ୍ରଥମ ଦୁଇ ଟେଷ୍ଟ୍ ଖେଳିନଥିଲେ। ତୃତୀୟ ଟେଷ୍ଟ୍‌ରେ କିନ୍ତୁ ସେ ଉଭୟ ପାଳିରେ ଶୂନରେ ଆଉଟ୍ ହୋଇ ଅଲୋଡ଼ା‌ ପେୟାର (୦,୦) ପାଇଥିଲେ। ପ୍ରଥମ ପାଳିରେ ଷ୍ଟୁଆର୍ଟ ବ୍ରଡ ଏବଂ ଦ୍ବିତୀୟ ପାଳିରେ ଜେମ୍ସ ଆଣ୍ଡରସନଙ୍କ ଶିକାର ‌ହୋଇଥିଲେ। ଏହି ଘଟଣାର ଅଷ୍ଟମ ବାର୍ଷିକୀକୁ ମନେ ପକାଇ ସେହବାଗ ଲେଖିଛନ୍ତି ‘ଆଜକୁ ଠିକ୍ ୮ ବର୍ଷ ତଳର କଥା, ମୁଁ ୨ ଦିନ ଧରି ବିମାନଯାତ୍ରା କରିବା ପରେ ୧୮୮ ଓଭର ଫିଲଡିଂ କରି ବର୍ମିଂହାମ୍‌ରେ କିଙ୍ଗସ ପେୟାର ପାଇଥିଲି। ଅଜ୍ଞାତରେ ଆର୍ଯ୍ୟଭଟ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଯଦି ବିଫଳତାର ଶୂନ ସମ୍ଭାବନା ଥାଆନ୍ତା ତେବେ ଆପଣ କ’ଣ କରିଥାନ୍ତେ, ଯଦି ଅଛି ତେବେ କରନ୍ତୁ’। ଏମିତି ମଜାଳିଆ କଥା‌ ଲେଖି ଶୂନର ସ୍ରଷ୍ଟା ପ୍ରାଚୀନ ଭାରତୀୟ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କୁ ମନେ ପକାଇଥିଲେ। ସୂଚନାଯୋଗ୍ୟ, ସେହି ଟେଷ୍ଟ୍‌ରେ ଭାରତ ପ୍ରଥମ ପାଳିରେ ୨୨୪ ରନ୍ କରିବା ପରେ ଆଲେଷ୍ଟର୍ କୁକ୍‌ଙ୍କ ୨୯୪ ରନ୍ ବଳରେ ଇଂଲଣ୍ଡ ୭୧୦/୭ ରନ୍ କରିଥିଲା। ଭାରତ ଦ୍ବିତୀୟ ପାଳିରେ ୨୪୪ ରନ୍ କରିବା ସହିତ ୨୪୨ ରନ୍‌ ଏବଂ ପାଳି ବ୍ୟବଧାନରେ ହାରିଥିଲା।

ସମ୍ବନ୍ଧିତ ଖବର