ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍ ବୀରେନ୍ଦ୍ର ସେହବାଗ ଓ ତାଙ୍କ ପତ୍ନୀ ଆରତୀ ଅଲୱାତଙ୍କ ୨୦ ବର୍ଷର ବୈବାହିକ ଜୀବନରେ ଅନ୍ତ ଘଟିବାକୁ ଯାଉଛି। ସେହବାଗ ଛାଡ଼ପତ୍ର ଲାଗି କୋର୍ଟରେ ଆବେଦନ କରିଥିବା ନେଇ ଶୁଣାଯାଉଛି। ୨୦୦୪ରେ ବିବାହବନ୍ଧନରେ ଆବଦ୍ଧ ହୋଇଥିବା ଏହି ଦମ୍ପତି ଇନ୍ଷ୍ଟାଗ୍ରାମ୍ରେ ଉଭୟ ଉଭୟଙ୍କୁ ଅନ୍ଫଲୋ କରି ସାରିଛନ୍ତି। ଫଳରେ ଉଭୟଙ୍କ ସମ୍ପର୍କରେ ଥିବା ଫାଟ ଲୋକଲୋଚନକୁ ଆସିଛି।
ଏପରିକି ଉଭୟ କିଛିଦିନ ହେବ ଅଲଗା ରହୁଥିଲା ବେଳେ ସେହବାଗ ଛାଡ଼ପତ୍ର ଲାଗି ଆବେଦନ କରିଥିବା ନେଇ ସେମାନଙ୍କ ନିକଟତମ ସୂତ୍ରରୁ ଖବର ମିଳୁଛି। ବୀରେନ୍ଦ୍ର ଓ ଆରତୀ ୨୦୦୭ରେ ଆର୍ଯ୍ୟବୀର ଏବଂ ୨୦୧୦ରେ ବେଦାନ୍ତର ପିତାମାତା ହେବାର ଗୌରବ ପାଇଥିଲେ। ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ଥିବା ଗତ ଦୀପାବଳି ସମୟରେ ପ୍ରଶଂସକମାନେ ଅନୁମାନ କରିଥିଲେ। ବୀରେନ୍ଦ୍ର ଦୁଇ ପୁଅଙ୍କ ସହ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ହେଲେ ଆରତୀଙ୍କୁ ଏହି ଫଟୋରେ ଦେଖିବାକୁ ମିଳି ନଥିଲା। ହେଲେ ଉଭୟ ଛାଡ଼ପତ୍ର ନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହାନ୍ତି।
ଏମଧ୍ୟରେ ବୀରେନ୍ଦ୍ରଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ମୁତାବକ, ବୀରେନ୍ଦ୍ର ମୋଟ ୩୫୦କୋଟିର ମାଲିକ ଅଟନ୍ତି। 'ନଜଫଗଡ଼ର ନବାବ' ବୀରେନ୍ଦ୍ର ସେହୱାଗ ୨୦୨୪ରେ ୩୦କୋଟି ଟଙ୍କା ରୋଜଗାର କରିଥିଲେ ବୋଲି ଜଣାପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୀରେନ୍ଦ୍ର ସେହୱାଗ ସୋସିଆଲ ମିଡିଆରୁ ପ୍ରତି ମାସରେ ପ୍ରାୟ ୨.୫ କୋଟି ଟଙ୍କା ରୋଜଗାର କରନ୍ତି। ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ବ୍ରାଣ୍ଡ ପ୍ରମୋସନ କରି ସେ ଏହି ଟଙ୍କା ଆୟ କରୁଥିବା ଜଣାଯାଇଛି ।
ବୀରେନ୍ଦ୍ର ସେହୱାଗ ବହୁ ବର୍ଷ ଧରି ଆଦିଦାସ, ରିବକ୍, ବୁଷ୍ଟ, ସାମସଙ୍ଗ ଏବଂ ହିରୋ ହୋଣ୍ଡା ଭଳି ଶ୍ରେଷ୍ଠ ବ୍ରାଣ୍ଡର ଆମ୍ବାସାଡାର ରହିଆସିଛନ୍ତି। ବିସିସିଆଇ ମାସକୁ ତାଙ୍କୁ ୭୦ହଜାର ଟଙ୍କା ପେନସନ ଦେଉଥିବା ବେଳେ ଦିଲ୍ଲୀରେ ତାଙ୍କର ୧୩୦କୋଟିର ଘର ରହିଛି। ଏହା ସହ ଅନେକ ବିଳାସପୂର୍ଣ୍ଣ କାରର ମାଲିକ ଅଟନ୍ତି ବୀରେନ୍ଦ୍ର।