ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

ଭୁବନେଶ୍ବର: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଖ୍ୟାତ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ସୋମବାର ଓଡ଼ିଶା ପହଞ୍ଚିଛନ୍ତି। ଏକ ଘରୋଇ ବିଦ୍ୟାଳୟ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବାକୁ ଆସିଥିବା ସେହବାଗଙ୍କୁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ‌ଟେଷ୍ଟ୍‌ କ୍ରିକେଟ୍‌ରେ ବିସ୍ଫୋରକ ବ୍ୟାଟିଂ କରିବାର ପରମ୍ପରା ଆରମ୍ଭ କରିଥିବା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ଦଳରୁ ୧୦୪ ଟେଷ୍ଟ୍‌, ୨୫୧ ଦିନିକିଆ ଏବଂ ୧୯ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଟେଷ୍ଟ୍ କ୍ରିକେଟ୍‌ରେ ସର୍ବାଧିକ ବ୍ୟକ୍ତିଗତ‌ ସ୍କୋରର୍‌ ଭାରତୀୟ ଭାବେ ୩୧୯ ରନ୍‌ କରିଥିଲେ। ଚେନ୍ନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଏହି ପାଳି ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ରେ ଦ୍ରୁତତମ ତ୍ରିଶତକ (୨୭୮ ବଲ୍) କୀର୍ତ୍ତିମାନ ରଖିଛି। ଦିନିକିଆରେ ଦ୍ବିଶତକ ଏବଂ ଟେଷ୍ଟ୍‌ କ୍ରିକେଟ୍‌ରେ ତ୍ରିଶତକ ହାସଲ କରିବାରେ ସେ ବିଶ୍ବର ଦ୍ବିତୀୟ ଖେଳାଳି। ଅନ୍ୟ ଖେଳାଳି ଜଣଙ୍କ ହେ‌ଲେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌।

ଟେଷ୍ଟ୍‌ରେ ବୀରୁ ୨୩ ଶତକ ସହିତ ୮,୫୮୬ ରନ୍, ଦିନିକିଆରେ ୧୫ ଶତକ ସହିତ ୮,୨୭୩ ରନ୍‌ ଏବଂ ଟି-୨୦ ଅନ୍ତର୍ଜାତୀୟରେ ୨ ଅର୍ଧଶତକ ସହିତ ୩୯୪ ରନ୍ କରିଥିଲେ। ଭାରତୀୟ ଦଳ ବ୍ୟତୀତ ଆଇପିଏଲ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍‌ସ ଏବଂ ରଣଜୀରେ ଦିଲ୍ଲୀ ଦଳର ନେତୃତ୍ବ ମଧ୍ୟ ସଫଳତାର ସହ ତୁଲାଇଛନ୍ତି ଏହି ୪୨ ବର୍ଷୀୟ ତାରକା। କ୍ରିକେଟ୍‌ ପ୍ରେମୀଙ୍କ ଗହଣରେ ସେ ବୀରୁ, ନବାବ ଅଫ୍‌ ନଫଜଗଡ଼, ସୁଲତାନ୍‌ ଅଫ୍ ମୁଲତାନ ଭାବେ ପରିଚିତ। ଅବସର ପରେ ମଧ୍ୟ ସାମଜିକ ଗଣମାଧ୍ୟମ ଜରିଆରେ ମଜାଦାର କଥା କହି ପ୍ରଶଂସକଙ୍କ ହୃଦୟ ଜିତିବା ଧାରାକୁ ଜାରି ରଖିଛନ୍ତି। ଏହା ପୂର୍ବରୁ ସେ ବହୁବାର ଓଡ଼ିଶା ଆସିଛନ୍ତି ଏବଂ ବାରବାଟୀ ଷ୍ଟାଡିୟମ୍‌ରେ ଖେଳିବା ସହ ଦଳର ନେତୃତ୍ବ ବି ନେଇଛନ୍ତି।

ସମ୍ବନ୍ଧିତ ଖବର