ପାରଳା ମହାରାଜାଙ୍କ ଘୋଡ଼ାଦୋୖଡ଼ରେ ଆଗ୍ରହ ନେଇ ଟ୍ବିଟ୍‌ କରିଥିଲେ ବିଷ୍ଣୁମୋହନ

ଭୁବନେଶ୍ବର: ୧୬ ଜୁନ୍ ‘ସମ୍ବାଦ’ ଖେଳ ପୃଷ୍ଠାରେ ପ୍ରକାଶିତ ‘ପାରଳା ମହାରାଜାଙ୍କ ଘୋଡ଼ାଦୋୖଡ଼ରେ ଆଗ୍ରହ ଥିଲା’ ଶୀର୍ଷକ ଏକ ସ୍ବତନ୍ତ୍ର ଆଲେଖ୍ୟର ମୂଳ ଉତ୍ସର ସୂଚନା ମିଳିଛି। ‘ସମ୍ବାଦ’ର ପାଠକ ବିଷ୍ଣୁମୋହନ ଅଧିକାରୀଙ୍କ ମୂଳ ଟ୍ବିଟ୍‌ରେ ପ୍ରଦତ୍ତ ତଥ୍ୟର ଐତିହାସିକ ଦିଗକୁ ଭିତ୍ତିକରି ଏହି ଆଲେଖ୍ୟଟି ପ୍ରକାଶ କରାଯାଇଥିଲା। ଆମ ପ୍ରତିନିଧିଙ୍କ ପାଖକୁ ଶ୍ରୀ ଅଧିକାରୀଙ୍କ ଟ୍ବିଟ୍‌ରେ ଥିବା ସୂଚନା ଓ ଫଟୋ ପଠାଇଥିଲେ ଇଂଲଣ୍ଡରେ ପ୍ରାୟ ଏକ ଦଶନ୍ଧି ଧରି ଅବସ୍ଥାନ କରିଆସୁଥିବା ‘ସମ୍ବାଦ’ର ଆଉ ଜଣେ ପାଠକ ବିଶ୍ବାଶିଷ ଗନ୍ତାୟତ।

ସୂଚନାଯୋଗ୍ୟ, ଆମ ରାଜ୍ୟର ଐତିହ୍ୟ ଓ ସଂସ୍କୃତିର ସନ୍ତକ ବହନ କରୁଥିବା ଗୋୖରବମୟ ଅଥଚ ଅନାଲୋଚିତ ଅଧ୍ୟାୟଗୁଡ଼ିକୁ ‘ସମ୍ବାଦ’ ପ୍ରକାଶ କରିବା ଦିଗରେ ଆଗ୍ରହ ପ୍ରକାଶ କରିଆସିଛି। କ୍ରିକେଟ୍‌ ଓ ଲନ୍ ଟେନିସର ପ୍ରସାରରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ପାରଳା ମହାରାଜାଙ୍କ ଅବଦାନ ବିଷୟରେ ଲୋକେ ଅବଗତ ଥିବାବେଳେ ଗଲ୍‌ଫ ଖେଳ ସହ ମଧ୍ୟ ତାଙ୍କର ସଂପୃକ୍ତି ଥିବାର ଅନାଲୋଚିତ ଦିଗକୁ ନେଇ ପ୍ରଥମେ ‘ସମ୍ବାଦ’ରେ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା। ମହାରାଜାଙ୍କ ଘୋଡ଼ାଦୋୖଡ଼(ଡେର୍ବୀ)ରେ ମଧ୍ୟ ବହୁତ ରୁଚି ଥିବା ନେଇ ଗତ ୧୧ ଜୁନ୍‌ରେ ଶ୍ରୀ ଅଧିକାରୀ ଟୁଇଟ୍ କରିଥିଲେ। ଓଡ଼ିଶାର ଜଣେ କୃତବିଦ୍ ସନ୍ତାନଙ୍କର ଏହି ଅନାଲୋଚିତ ଅବଦାନକୁ ଟ୍ବିଟର୍‌ରେ ‌ଫଟୋ ସହ ପୋଷ୍ଟ କରି ‘ସମ୍ବାଦ’କୁ ଏହାର ପ୍ରସାର ପାଇଁ ପ୍ରେରିତ କରିଥିବାରୁ ଶ୍ରୀ ଅଧିକାରୀଙ୍କ ଉଦ୍ୟମକୁ ଏହି ଗଣମାଧ୍ୟମର କ୍ରୀଡ଼ା ସଂପାଦନା ବିଭାଗ ତରଫରୁ ସାଧୁବାଦ ଦିଆଯାଇଛି।

ସମ୍ବନ୍ଧିତ ଖବର