ଭୁବନେଶ୍ବର: ମାତ୍ର ୩ ସପ୍ତାହ ଭିତରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଦୁଇଟି ବିଶ୍ବ ମୁକୁଟ ଜିତିଛି। ମହିଳା ଦିନିକିଆ ବିଶ୍ବକପ୍ ପରେ ପ୍ରଥମ ଥର ଲାଗି ଆୟୋଜିତ ଦୃଷ୍ଟିବାଧିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମଧ୍ୟ ଭାରତ ବିଜେତା ହୋଇଛି। ରବିବାର କଲମ୍ବୋର ପି ସାରାଭାନାମୁତୁ ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ଅପରାଜେୟ ଭାରତ ୭ ୱିକେଟ୍ରେ ନେପାଳକୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ଭାରତ ଟସ୍ ଜିତି ନେପାଳକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଚମତ୍କାର ବୋଲିଂ ଓ ଫିଲ୍ଡିଂ କରି ନେପାଳକୁ ୧୧୪/୫ରେ ଅଟକାଇ ଦେଇଥିଲେ। ଏହି ପୂରା ପାଳିରେ ନେପାଳ କେବଳ ଗୋଟିଏ ବାଉଣ୍ଡରି ମାରିବାକୁ ସକ୍ଷମ ହୋଇଥିଲା। ଜବାବରେ ଭାରତ ୧୨.୧ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।
ଓଡ଼ିଆ ଝିଅ ଫୁଲ ସୋରେନ୍ ଚମତ୍କାର ଖେଳି ୨୭ ବଲ୍ରୁ ୪ ବାଉଣ୍ଡରି ସହ ୪୪* ରନ୍ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଫୁଲଙ୍କ ସହ ବିଜେତା ଭାରତୀୟ ଦଳରେ ଓଡ଼ିଶାର ବାସନ୍ତୀ ହାଁସ୍ଦା, ଯମୁନାରାଣୀ ଟୁଡ଼ୁ ଓ ପାର୍ବତୀ ମାରାଣ୍ଡି ରହିଥିଲେ। ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭାରତ ଏବଂ ପାକିସ୍ତାନକୁ ନେପାଳ ହରାଇ ଫାଇନାଲ୍ରେ ପହଞ୍ଚିଥିଲେ। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ପ୍ରତିଯୋଗିତା ଆୟୋଜନ କରିଥିଲେ। ନଭେମ୍ବର ୧୧ରୁ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଦୁଇ ଆୟୋଜକ ଦେଶ ବ୍ୟତୀତ ଅଷ୍ଟ୍ରେଲିଆ, ନେପାଳ, ଆମେରିକା ଓ ପାକିସ୍ତାନ ଅଂଶଗ୍ରହଣ କରିଥିଲେ। ବିଶ୍ବ ବିଜୟ ପରେ ଭାରତୀୟ ଦଳକୁ ମଧ୍ୟ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/hsffshfshfsh-2025-11-24-02-00-47.jpg)