ଲିଜେଣ୍ଡ୍ସ ଚେସ୍‌ରେ ଆନନ୍ଦଙ୍କ କ୍ରମାଗତ ପଞ୍ଚମ ପରାଜୟ

ନୂଆଦିଲ୍ଲୀ : ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ ବିଶ୍ବନାଥନ୍ ଆନନ୍ଦ ୧୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଚେସ୍ ପ୍ରତିଯୋଗିତାରେ କ୍ରମାଗତ ପଞ୍ଚମ ପରାଜୟ ବରଣ କରିଛନ୍ତି। ପଞ୍ଚମ ରାଉଣ୍ଡରେ ଆନନ୍ଦଙ୍କୁ ହଙ୍ଗେରିର ପିଟର ଲେକୋ ୩-୨ରେ ହରାଇ‌ ଦେଇଛନ୍ତି। ୪ ଗେମ୍‌ ବିଶିଷ୍ଟ ପଞ୍ଚମ ରାଉଣ୍ଡରେ ପୂର୍ବତନ ବିଶ୍ବ ବିଜେତା ଆନନ୍ଦ ପ୍ରଥମ ଗେମ୍‌ଟି ଜିତିଥିଲେ ମଧ୍ୟ ପରବର୍ତୀ ୨ଟିକୁ ଅମୀମାଂସିତ ରଖିଥିଲେ। ଚତୁର୍ଥଟିକୁ ଲେକୋ ଜିତି ନେବାରୁ ମୁକାବିଲା ୨-୨ରେ ଶେଷ ହୋଇଥିଲା। ହେଲେ ଅର୍ମାଗେଡନ୍ (ଟାଇବ୍ରେକର୍‌) ପଦ୍ଧତିରେ‌ ଲେକୋ ବାଜି ମାରିନେଇଥିଲେ। ମାଗ୍ନସ କାର୍ଲସନ୍‌ ଚେସ୍ ଟୁର୍‌ରେ ପଦାର୍ପଣ କରିଥିବା ଆନନ୍ଦ ପୂର୍ବରୁ ପିଟର ସିଡଲର୍‌, ମାଗ୍ନସ କାର୍ଲସନ୍‌, ଭ୍ଲାଦିମିର୍ କ୍ରାମନିକ୍ ଓ ଅନିଶ ଗିରିଙ୍କଠାରୁ ହାରିଥିଲେ। ବିଶ୍ବର ଏକ ନମ୍ବର କାର୍ଲସନ୍‌ ଚମତ୍କାର ପ୍ରତ୍ୟାବର୍ତନ କରି ଭାସିଲ୍ ଇଭାନଚୁକଙ୍କୁ ୩-୨ରେ ହରାଇ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଏହି ପ୍ରତିଯୋଗିତାର ବିଜେତା ଅଗଷ୍ଟର ୯ରୁ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ‌ ହେବାକୁ ଥିବା ୩,୦୦,୦୦୦ ଆମେରିକୀୟ ଡଲାର୍ ରାଶି ବିଶିଷ୍ଟ ଫାଇନାଲ୍ ରାଉଣ୍ଡ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ।

ସମ୍ବନ୍ଧିତ ଖବର