ବାଂଲାଦେଶ କ୍ରିକେଟ ଟିମକୁ ମିଳିଲା ନୂଆ କୋଚ, ଭିଟୋରି ହେଲେ ବୋଲିଂ କୋଚ

ଢାକା: ବିଶ୍ୱକପ-୨୦୧୯ ପରେ ଏବେ କ୍ରିକେଟ ଟିମ ମାନଙ୍କରେ ପରିବର୍ତ୍ତନ ଦେଖିବାକୁ ମିଳୁଛି | କିଛି ଟିମ ନିଜ ନିଜର କୋଚ ବଦଳେଇବାରେ ଲାଗିପଡିଛନ୍ତି | ଏହି କ୍ରମରେ ବାଂଲାଦେଶ କ୍ରିକେଟ ଟିମ ମଧ୍ୟ ନିଜକୁ ସାମିଲ କରିଛି | ଏବେ ବାଂଲାଦେଶ ଖେଳାଳୀମାନଙ୍କୁ ନୂଆ କୋଚ ଟ୍ରେନିଂ ଦେଉଥିବାର ଦେଖିବାକୁ ମିଳିବ | ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଚାର୍ଲ ଲେଗବେଲ୍ଟ ଓ ନ୍ୟୁଜିଲାଣ୍ଡର ସ୍ପିନର ଡେନିୟାଲ ଭିଟୋରି କୋଚିଂ ଦେଉଥିବାର ଦେଖିବାକୁ ମିଳିବ |

ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଭିଟୋରିଙ୍କୁ ସ୍ପିନ ବୋଲିଂ ପାଇଁ କୋଚ ଭାବେ ନିଯୁକ୍ତି ଦିଆଯାଇଛି | ଲେଗବେଲ୍ଟଙ୍କୁ ୨ ବର୍ଷ ପାଇଁ ଚୟନ କରାଯାଇଥିବାବେଳେ ଭିଟୋରି ଆଗାମୀ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଯାଏଁ କୋଚ ଭାବେ ରହିବେ | ଲେଗବେଲ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନର କୋଚ ଭାବେ ରହିଆସିଛନ୍ତି |

୨୦୧୫ରେ ଅବସର ପରେ ଭିଟୋରି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କୋଚିଂ ଭାର ସମ୍ଭାଳିଥିଲେ | ଭିଟୋରି କହିଛନ୍ତି ଯେ ବାଂଲାଦେଶ ହେଉଛି ଏଭଳି ଏକ ଦଳ ଯାହାକି ଏବେ ତୀବ୍ର ଗତିରେ ଉନ୍ନତି କରୁଛି | ଏମାନଙ୍କ ପାଖରେ ପ୍ରତିଭା ଓ କ୍ଷମତା ଉଭୟ ରହିଛି |

ସମ୍ବନ୍ଧିତ ଖବର