ଭୁବନେଶ୍ବର: ପୁରୁଷ ହକି ଇଣ୍ଡିଆ ଲିଗ୍ର ମିନି ନିଲାମ ବୁଧବାର ନୂଆଦିଲ୍ଲୀଠାରେ ବହୁ ଆଡ଼ମ୍ବରରେ ସଂପନ୍ନ ହୋଇଛି। ଅଷ୍ଟ୍ରେଲିଆର ଲିଆମ ହେଣ୍ଡରସନ୍ ସବୁଠୁ ଦାମୀ ଖେଳାଳି ହୋଇଥିଲା ବେଳେ ଓଡ଼ିଆ ପୁଅ ତଥା ଉଦୀୟମାନ ଗୋଲ୍ରକ୍ଷକ ବିବେକ ଲାକ୍ରା ଘରୋଇ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଦରରେ ବିକ୍ରି ହୋଇଛନ୍ତି। ହେଣ୍ଡରସନ୍ଙ୍କୁ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ରେକର୍ଡ ୪୨ ଲକ୍ଷ ଟଙ୍କାରେ କିଣିଛି।
ହେଣ୍ଡରସନ୍ଙ୍କୁ ୪୨ ଲକ୍ଷ ଟଙ୍କାରେ କିଣିଲା କଳିଙ୍ଗ ଲାନ୍ସର୍ସ
୧୪ ବର୍ଷୀୟ କେତନ ସର୍ବକନିଷ୍ଠ ଖେଳାଳି ଭାବେ ବିକ୍ରି ହେଲେ
ମହିଳାରେ ଅଗଷ୍ଟିନା ସବୁଠୁ ଦାମୀ
ଅନ୍ୟପକ୍ଷରେ ୧୮ ବର୍ଷୀୟ ବିବେକଙ୍କୁ ବେଙ୍ଗଲ ଟାଇଗର୍ସ ତାଙ୍କ ମୂଳ ଦର ୨ ଲକ୍ଷ ଟଙ୍କାର ୧୨ଗୁଣ ଅର୍ଥାତ୍ ୨୪ ଲକ୍ଷ ଟଙ୍କାରେ କିଣିଛି। ଜର୍ମାନୀର ଥିଏସ୍ ପ୍ରିନ୍ସ ଏବଂ ନେଦରଲାଣ୍ଡ୍ସର ସାଣ୍ଡର ଡି’ ୱିଜନ୍ ୩୬ ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି। ସେମାନଙ୍କୁ ଯଥାକ୍ରମେ ୟୁପି ରୁଦ୍ରସ୍ ପାଇଁ ହକି ଇଣ୍ଡିଆ ଏବଂ ତାମିଲନାଡ଼ୁ ଡ୍ରାଗନ୍ସ ନିଜ ଦଳରେ ସାମିଲ କରିଛନ୍ତି। ଅନ୍ୟ ଘରୋଇ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ଓଡ଼ିଆ ରକ୍ଷଣଭାଗ ଖେଳାଳି ଆଦ୍ରୋହିତ ଏକ୍କା ୧୧ ଲକ୍ଷରେ ତାମିଲନାଡୁ ଡ୍ରାଗନ୍ସ ଦଳକୁ ନିଲାମ ହୋଇଛନ୍ତି। କେତନ କୁଶୱା ଲିଗ୍ର ସର୍ବକନିଷ୍ଠ ଖେଳାଳି ଭାବେ ବେଙ୍ଗଲ ଟାଇଗର୍ସ ଦଳକୁ ୨.୫ ଲକ୍ଷ ଟଙ୍କାରେ ଯାଇଛନ୍ତି। ଅମିତ ଟପ୍ପୋଙ୍କୁ କଳିଙ୍ଗ ଲାନ୍ସର୍ସ ୨ ଲକ୍ଷ ଟଙ୍କାରେ କିଣିଛି। କଳିଙ୍ଗ ଲାନସ୍ର୍ସ ବୁଧବାର ୩ ଜଣ ଭାରତୀୟ ଓ ୪ ଜଣ ବିଦେଶୀ ଖେଳାଳି କିଣି ନିଜ ଦଳକୁ ଆହୁରି ସମୃଦ୍ଧ କରିଛି। ଆଜିର ନିଲାମ ପ୍ରକ୍ରିୟାରେ ପାଖାପାଖି ୧୦୦ଜଣ ଖେଳାଳି ସାମିଲ ଥିଲେ।
ମହିଳା ବର୍ଗରେ ଆର୍ଜେଣ୍ଟିନାର ଅଗଷ୍ଟିନା ଗୋର୍ଜେଲାନି ସବୁଠାରୁ ଦାମୀ ଖେଳାଳି ହୋଇଥିଲା ବେଳେ ମୋନିକା ସବୁଠୁ ଦାମୀ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଅଗଷ୍ଟିନାଙ୍କୁ ବେଙ୍ଗଲ ଟାଇଗର୍ସ ୪୨ ଲକ୍ଷ ଏବଂ ଗତ ଋତୁରେ ନିଲାମ ହୋଇ ନଥିବା ମୋନିକାଙ୍କୁ ଏହି ଦଳ ୧୫ ଲକ୍ଷ ଟଙ୍କାରେ ନେଇଥିଲା। ସଲିମା ଟେଟେଙ୍କ ଭଉଣୀ ମହିମା ଟେଟେଙ୍କୁ ସୁର୍ମା ହକି କ୍ଲବ୍ ୨ ଲକ୍ଷ ଟଙ୍କାରେ ନିଲାମ ଧରିଥିଲା। ମହିଳା ନିଲାମରେ ମଧ୍ୟ ପାଖାପାଖି ୧୦୦ ଖେଳାଳି ବିଡିଂ ପ୍ରକ୍ରିୟାରେ ସାମିଲ ଥିଲେ।