ବର୍ଷକ ପାଇଁ ଅଲଗା ହେଲେ ଭିଭୋ-ବିସିସିଆଇ, ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କଲା ଭାରତୀୟ କ୍ରିକେଟ୍ ବୋର୍ଡ

ମୁମ୍ବାଇ: ଭାରତ-ଚୀନ୍‌ ସୀମା ବିବାଦ ଭିତରେ ବିସିସିଆଇ ଚଳିତବର୍ଷ ପାଇଁ ଚୀନ ମୋବାଇଲ୍ କଂପାନି ସହ ସଂପର୍କ ଛିନ୍ନ କରିଛି। ଗୁରୁବାର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍-୧୩ରେ ଭିଭୋ ମୁଖ୍ୟ ପ୍ରାୟୋଜକ ରହିବ ନାହିଁ ବୋଲି ଘୋଷଣା କରିଛି। ଲଦାଖ ସୀମାରେ ଚୀନ୍‌ କରିଥିବା ଚକ୍ରାନ୍ତ ପାଇଁ ଆଇପିଏଲ୍ ପ୍ରାୟୋଜକ ପଦରୁ ଭିଭୋକୁ ବିଦା କରିବା ଲାଗି ବିଭିନ୍ନ ସ୍ବଦେଶୀ ବ୍ୟାବସାୟିକ ସଂଗଠନ ଦାବି କରୁଥିଲେ। ତେବେ ଭିଭୋ ନିଜ ଆଡୁ ହିଁ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ପଦରୁ ଓହରି ଯାଇଥିବା ବୁଧବାର ଖବର ପ୍ରକାଶ ପାଇଥିଲା। ‌ହେଲେ ଉଭୟ ଭିଭୋ ଓ ବିସିସିଆଇ ଏଥିନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନଥିଲେ। ଗୁରୁବାର କିନ୍ତୁ ବିସିସିଆଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ଭିଭୋ ସହ ହୋଇଥିବା ଚୁକ୍ତିକୁ ଚଳିତ ବର୍ଷ ପାଇଁ ବାତିଲ କରାଗଲା ବୋଲି କହିଛି। ବିସିସିଆଇ ଓ ଭିଭୋ ମୋବାଇଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଆପୋଷ ସହମତିରେ ଆଇପିଏଲ୍-୨୦୨୦ ଲାଗି କରିଥିବା ଚୁକ୍ତିକୁ ନିଲମ୍ବିତ କରିଛନ୍ତି ବୋଲି ବିସିସିଆଇ ଘୋଷଣା କରିଛି। ତେବେ ଭିଭୋ ସହ ହୋଇଥିବା ପାଞ୍ଚ ବର୍ଷିୟା ଚୁକ୍ତି ସଂପୂର୍ଣ୍ଣ ବାତିଲ ହୋଇନାହିଁ ବୋଲି ପରୋକ୍ଷ ସଙ୍କେତ ଦେଇଛି ବିସିସିଆଇ।

ସୂଚନାଯୋଗ୍ୟ ଯେ ଭିଭୋ ୨୦୧୭ ମସିହାରେ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ହୋଇଥିଲା। ଏଥିଲାଗି କଂପାନି ୨୧୯୯ କୋଟି ଟଙ୍କା ଦେବାର ଥିଲା। ଅର୍ଥାତ୍ ଆଇପିଏଲ୍‌ର ଗୋଟିଏ ସଂସ୍କରଣ ପାଇଁ ଭିଭୋ ବିସିସିଆଇକୁ ପାଖାପାଖି ୪୪୦ କୋଟି ଟଙ୍କା ଦେଉଥିଲା। ଚୁକ୍ତିର ଦୁଇ ବର୍ଷର ଅବଧି ଶେଷ ହୋଇଥିଲା ବେଳେ ଆହୁରି ତିନି ବର୍ଷ ବଳକା ରହିଛି। ତେବେ ସଂପ୍ରତି ଚୀନ୍‌ ବିରୋଧୀ ଲହରି ଭାରତରେ ବୋହୁଥିବାରୁ ୨୦୨୧, ୨୦୨୨ ଓ ୨୦୨୩ରେ ଏହାକୁ ପୂରଣ କରିବାକୁ ଚାହୁଛି। କରୋନା ସଙ୍କଟ ପାଇଁ ଆଇପିଏଲ୍‌କୁ ବିସିସିଆଇ ୟୁଏଇ ନେବା ମଧ୍ୟ କଂପାନିର ନିଷ୍ପତ୍ତିକୁ କିଛି ମାତ୍ରାରେ ପ୍ରଭାବିତ କରିଛି।

ସମ୍ବନ୍ଧିତ ଖବର