ବୁଲଗେରିଆରୁ ଭଲଗୋଗ୍ରାଡ୍‌ ଜଳଯାତ୍ରା

ଭଲଗୋଗ୍ରାଡ୍‌,: ବିଶ୍ୱକପ୍‌ ଲାଗି ଯେତେ ସଂଖ୍ୟକ ଇଂଲିସ୍‌ ପ୍ରଶଂସକ ରୁଷିଆ ଯିବେ ବୋଲି ଆଶା କରାଯାଉଥିଲା ସେତିକି ଯାଇ ନାହାନ୍ତି। ହେଲେ ଇଂଲଣ୍ଡର ଜଣେ ପ୍ରଶଂସକ ବିଶ୍ୱକପ୍‌ ଦେଖିବା ଲାଗି ବୁଲଗେରିଆରୁ ବିଶ୍ୱକପର ଅନ୍ୟତମ ଆୟୋଜକ ସହର ଭଲଭୋଗ୍ରାଡ୍‌ ଜଳଯାତ୍ରା କରି ବେଶ୍‌ ଚର୍ଚିତ ହୋଇଛନ୍ତି। ଗ୍ରାହାମ କେଣ୍ଟ୍ସଲି ନାମକ ଏହି ପ୍ରଶଂସକ ଇଂଲଣ୍ଡର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ସଂପ୍ରତି ବୁଲଗେରିଆରେ ରହୁଛନ୍ତି। ଭଲଗୋଗ୍ରାଡରେ ଇଂଲଣ୍ଡର ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବା ଲାଗି ୫ ସପ୍ତାହ ତଳେ ସେ ନିଜ ହାତତିଆରି ନୌକାରେ ନିଜ ଜଳଯାତ୍ରା ଆରମ୍ଭ କରିଥିଲେ। ଅନେକ ଘାତ ପ୍ରତିଘାତକୁ ପାର କରି ଦୀର୍ଘ ୨,୦୦୦ କିଲୋମିଟର ନୌ ଯାତ୍ରା କରି ସେ ଇଂଲଣ୍ଡର ପ୍ରଥମ ମ୍ୟାଚ୍‌ ପୁର୍ବରୁ ଭଲଗୋଗ୍ରାଡ୍‌ ପହଞ୍ଚି ଯାଇଥିଲେ। ଗତ କିଛି ବର୍ଷ ହେବ ଲାଗି ସେ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ସାର୍ଲିନ ନାମକ ତାଙ୍କ ନୌକାର ଲମ୍ବ ୯.୯ ମିଟର ହୋଇଥିଲା ବେଳେ କେଣ୍ଟସ୍‌ଲିଙ୍କ ସହ ଅନ୍ୟ ୩ ଜଣ ଚାଳକ ଦଳ ମଧ୍ୟ ଏଥିରେ ଥିଲେ। ସେମାନେ ଦାନୁବେ ନଦୀରୁ ନିଜ ଯାତ୍ରା ଆରମ୍ଭ କରି କଳା ସାଗର ଦେଇ ଭଲଗୋଗ୍ରାଡ୍‌ରେ ପହଞ୍ଚିଥିଲେ। ବିବାଦୀୟ କ୍ଷେତ୍ର କ୍ରିମିଆ ଏବଂ ରୁଷିଆକୁ ସଂଯୋଗ କରୁଥିବା ଏକ ପୋଲ ପାର କରିବା ବେଳେ ହିଁ କେଣ୍ଟସ୍‌ଲି ଭୟଭିତ ହୋଇ ଯାଇଥିଲେ। ହେଲେ ସେମିତି କିଛି ଅଘଟଣ ଘଟି ନଥିଲା। କେଣ୍ଟ୍ସଲିଙ୍କ ପୂର୍ବତନ ପତ୍ନୀ ଭଲଗୋଗ୍ରାଡର ହୋଇଥିବାରୁ ସେ ଏହି ସହରକୁ ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ତାଙ୍କୁ ଏଠାରେ ରହିବା ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।
ସାଇକେଲ୍‌ରେ ପହଞ୍ଚିଲେ ଫ୍ରାନ୍‌ସିସ୍‌
ନୂଆଦିଲ୍ଲୀ: ସଂପ୍ରତି ଫିଫା ବିଶ୍ୱକପ୍‌ ରୁଷିଆରେ ଚାଲୁ ରହିଛି। ବିଶ୍ୱକପ୍‌ରେ ଭାରତ ଖେଳୁ ନଥିଲେ ମଧ୍ୟ ଏଠାରେ ଫୁଟ୍‌ବଲପ୍ରେମ କମ୍‌ ଥିବା ଦେଖା ଯାଉନାହିଁ। କିଏ ରାସ୍ତାରେ ତ କିଏ ଗାଡ଼ିରେ ଏବଂ ଘରେ ନିଜ ନିଜ ପ୍ରିୟ ଫୁଟ୍‌ବଲ୍‌ ଖେଳୁଥିବା ଦେଶ ଓ ଖେଳାଳିଙ୍କ ଚିତ୍ର ଆଙ୍କିଲାଣି। ଏହି ଭଳି ପାଗଳାମୀ କରି ଜଣେ ଭାରତୀୟ ସପ୍ଟେଓ୍ଵର୍‌ ଇଂଜିନିୟର୍‌ ସ୍ଲିଫିନ୍‌ ଫ୍ରାନ୍‌ସିସ୍‌ ସାଇକେଲ୍‌ରେ ରୁଷିଆରେ ପହଞ୍ଚିଛନ୍ତି। ଦୁବାଇରେ ରହୁଥିବା ଏହି ୨୮ ବର୍ଷୀୟ ଫୁଟ୍‌ବଲ୍‌ପ୍ରେମୀ ବିଶ୍ୱକପ୍‌ ଫେବ୍ରୁଆରି ୨୩ ତାରିଖରେ କେରଳରେ ପହଞ୍ଚିଥିଲେ। ମେସିଙ୍କ ଏହି ଭାରତୀୟ ପ୍ରଶଂସକ ଏଠାରୁ ସିଧା ସାଇକେଲ୍‌ରେ ରୁଷିଆ ଗସ୍ତରେ ବାହରି ଯାଇଥିଲେ। ମୁଁ ବହୁତ ଖୁସି, ଏହା ୪ ମାସର ଯାତ୍ରା ପରେ ପହଞ୍ଚିଲି। ୨୬ ତାରିଖରେ ଖେଳାଯିବାକୁ ଥିବା ଫ୍ରାନ୍ସ-ଡେନ୍‌ମାର୍କ ମ୍ୟାଚ୍‌ର ଟିକେଟ୍‌ କିଣିଛି। ୨୧ ତାରିଖରେ ମସ୍କୋରେ ପହଞ୍ଚିବାର ଆଶା ରଖିଛି ବୋଲି ରୁଷିଆ ସୀମାରେଖା ନିକଟ ସହର ତମ୍ବୋଭରେ ପହଞ୍ଚିବା ପରେ ଫ୍ରାନ୍‌ସିସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର