ବ୍ୟାଟିଂକୁ ‌ନେଇ ଏବେ ବି ଚିନ୍ତା ରହିଛି – -ଭିଭିଏସ୍ ଲକ୍ଷ୍ମଣ

ଜାମାଇକାରେ ଆଉ ଏକ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ସଫଳତାର ସହ ଆମେରିକା ଏବଂ କାରବୀୟ ଗସ୍ତ ଶେଷ କରିଛି। ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ପୋଛି ନେଇ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାରେ ଭାରତ ବି ଅଗ୍ରଣୀ ଲାଭ କରିଛି। ୱେଷ୍ଟଇଣ୍ଡିଜ୍‌ରେ ଭାରତ ଯେଉଁ ପ୍ରକାର ଏବଂ ମାନର କ୍ରିକେଟ୍ ଖେଳିଲା, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ହନୁମା ବିହାରୀ ବ୍ୟାଟ୍ ଏବଂ ଯଶପ୍ରୀତ ବୁମ୍‌ରା ବଲ୍‌ରେ ନୂଆ ଉଦାହରଣ ସୃଷ୍ଟି କଲେ। ବିହାରୀଙ୍କ ଘରୋଇ ଖେଳ ଜୀବନକୁ ମୁଁ ଅତି ନିକଟରୁ ଦେଖିଛି। ସେଥିପାଇଁ ଟେଷ୍ଟ କ୍ରିକେଟ୍‌ରେ ସ୍ଥିର ପ୍ରଦର୍ଶନ ଦେବାର ଦକ୍ଷତା ତାଙ୍କର ଅଛି ବୋଲି ମୁଁ ଜୋର ଦେଇ କହି ପାରିବି। କ୍ରିଜ୍‌ରେ ‌ଥିଲା ବେଳେ ସେ ଶାନ୍ତ ରହିବା ସହ ପରିପକ୍ବ ବ୍ୟାଟିଂ କରନ୍ତି। ଅପୂର୍ବ ପାଦ ଚାଳନାରେ ସ୍ପିନରଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ସବୁବେଳେ ଚେଷ୍ଟା କରନ୍ତି ବିହାରୀ । ସେ ମଧ୍ୟ ଦ୍ରୁତ ବୋଲରଙ୍କୁ ଭଲ ଖେଳି ପାରନ୍ତି। ତଥାପି ତାଙ୍କ ବ୍ୟାଟ୍‌ରୁ ମୁଁ ଆହୁରି ଅନେକ ବଡ଼ ପାଳି ଆଶାରେ ରହିଛି। ବୁମରା ପ୍ରତିଦିନ ଉନ୍ନତି କରୁଛନ୍ତି। ଈଶାନ୍ତଙ୍କ ସ୍ଥିର ପ୍ରଦର୍ଶନ ମଧ୍ୟ ବେଶ୍ ପ୍ରଭାବଶାଳୀ ଥିଲା। ତା’ ସହ ସେ ମଧ୍ୟ ଭଲ ବ୍ୟାଟିଂ କଲେ। ପ୍ରଥମ ଅର୍ଧଶତକ ପାଇଁ ଈଶାନ୍ତ ବ୍ୟକ୍ତିଗତ ଭାବେ ବହୁତ ଖୁସି ଥିବେ। ବୁମରା, ଈଶାନ୍ତ ଏବଂ ମହମ୍ମଦ ସାମିଙ୍କୁ ନେଇ ଗଠିତ ଭାରତୀୟ ବୋଲିଂ ବାହିନୀ ବିଶ୍ବସ୍ତରୀୟ। ଏଥିରେ ଆଦୌ ଦ୍ବିମତ ନାହିଁ। ଏହି ଶୃଙ୍ଖଳାରୁ ଭାରତ ଅନେକ ସକାରାତ୍ମକ ସଫଳତା ପାଇଛି। ତେବେ ବ୍ୟାଟିଂକୁ ନେଇ ଏବେ ମଧ୍ୟ ଚିନ୍ତା ରହିଛି। ନୂଆ ଋତୁରେ ପୂଜାରା ଦୁର୍ବଳ ଆରମ୍ଭ କରିଛନ୍ତି। ସବୁଠୁ ବଡ଼ ଚିନ୍ତା କିନ୍ତୁ ଲୋକେଶ ରାହୁଲଙ୍କୁ ନେଇ ରହିଛି। ତାଙ୍କ ପାଖରେ ଦକ୍ଷତା ଅଛି। ହେଲେ ଏହାର ସଫଳ ରୂପାୟନ ହେଉନି। ଟେଷ୍ଟ କ୍ରିକେଟ୍‌ରେ ସେ ଆଉ ନବାଗତ ହୋଇ ନାହାନ୍ତି। ରାହୁଲଙ୍କୁ ଅଗଣିତ ସୁଯୋଗ ମିଳିଛି। ହେଲେ ସେ ଏହାକୁ ବାରମ୍ବାର ବେକାର ଯିବାକୁ ଦେଉଛନ୍ତି। ବ୍ୟାଟ୍ ଏବଂ ଗ୍ଲୋଭ୍ସରେ ରାହୁଲ ଏବଂ ଋଷବ ପନ୍ତଙ୍କଠାରୁ ଭାରତ ଅଧିକ କିଛି ଆଶା କରୁଛି। ୱେଷ୍ଟଇଣ୍ଡିଜ୍ ବୋଲର ସେଠାକାର ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କଲେ। କିଛି କାରବୀୟ ଖେଳାଳିଙ୍କ ସଟ୍ ଚୟନ ମୋତେ ଅତ୍ୟନ୍ତ ନିରାଶ କରିଥିଲା। ମୋର ମନେ ହୋଇଥିଲା, ସେମାନେ ଅତୀତ ଭୁଲରୁ କିଛି ବି ଶିଖୁ ନାହାନ୍ତି।

ସମ୍ବନ୍ଧିତ ଖବର