ଧାୱନ-ରାହୁଲ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହେବ: ଭିଭିଏସ୍ ଲକ୍ଷ୍ମଣ

ଟି-୨୦ ଶୃଙ୍ଖଳା ଲାଗି ଯେତେବେଳେ ଦଳ ଘୋଷଣା ହେଲା ମୁଁ ଅନୁଭବ କରିଥିଲି ଭାରତକୁ ବାଂଲାଦେଶ ମାତ୍‌ ଦେବା ଲାଗି ଭଲ ସ‌ୁ‌ଯୋଗ ରହିଛି। ପେସ୍‌ ବୋଲିଂକୁ ଛାଡ଼ି ବାଂଲାଦେଶର ଅଭିଜ୍ଞତା ଏବଂ ବିରାଟ କୋହଲିଙ୍କ ଅନୁପସ୍ଥିତିକୁ ନଜରରେ ରଖି ଏଭଳି ଆକଳନ କରିଥିଲି। ମାତ୍ର ବିଗତ କିଛି ଦିନରେ ଏ ସବୁ ବଦଳିଯାଇଛି। ଭ୍ରମଣକାରୀ ଦଳ ଏହାର ସବୁଠୁ ଅଭିଜ୍ଞ ଅଲରାଉଣ୍ଡର୍ ତଥା ଅଧିନାୟକ ସକିବ୍ ଅଲ ହାସନଙ୍କ ବିନା ଖେଳିବ। ସକିବଙ୍କୁ ଆଇସିସି ନିଲମ୍ବିତ କରିଥିବା ବେଳେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ତମିମ୍ ଇକବାଲ୍‌ଙ୍କ ସେବାରୁ ମଧ୍ୟ ବଞ୍ଚିତ ରହିବ। ଏହା ହିଁ ବାଂଲାଦେଶକୁ ନିଜ ଅସଲ ଚରିତ୍ରର ପରୀକ୍ଷା ପାଇଁ ସୁଯୋଗ ଆଣିଛି। ଏଭଳି ଯୁଗଳ ଝଟ୍‌କା ଭିତରେ ଦଳ କିଭଳି ଖେଳୁଛି ଦେଖିବାର ଅଛି। ତଥାପି ଧଳା ବଲ୍‌ରେ ଏହି ଦଳ ଶକ୍ତିଶାଳୀ।

ଭାରତ ଗତ ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳାକୁ ଜିତି ନପାରିବା ଦୁର୍ଭାଗ୍ୟଜନକ ଥିଲା। ଆସନ୍ତା ବର୍ଷର ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତ ପାଇଁ ଏହି ୩ ମ୍ୟାଚ୍‌ ଶୃଙ୍ଖଳା ନିଶ୍ଚିତ ପ୍ରସ୍ତୁତି ଆଣିଦେବ। ଭାରତ ବିଜୟକୁ ଅଭ୍ୟାସରେ ପରିଣତ କରିବାକୁ ଚାହିଁବ, କାରଣ ଏହି ଫର୍ମାଟରେ ବିଜୟ ଲୟର ବହୁମୂଲ୍ୟ ରହିଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ମୋର ବିଶ୍ବାସ କେଏଲ୍ ରାହୁଲ ୩ ନମ୍ବରରେ ଖେଳିବେ। କୋହଲିଙ୍କ ପ୍ରତ୍ୟାବର୍ତନ ପୂର୍ବରୁ ଏହି ଶୃଙ୍ଖଳା ନିଶ୍ଚିତ ଧାୱନ ଏବଂ ରାହୁଲଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ଆଣିବ। ‌କୋହଲି ଫେରିବା ପରେ ରୋହିତଙ୍କ ପ୍ରାରମ୍ଭିକ ସାଥୀ କିଏ ହେବ ଏହି ଶୃଙ୍ଖଳା ନିଶ୍ଚିତ ନିର୍ଣ୍ଣୟ କରିବ। ସେହିଭଳି ନିଜକୁ ପ୍ରମାଣିତ କରିବା ଲାଗି ଋଷବ ପନ୍ତ୍‌ ମଧ୍ୟ ବଡ଼ ସୁଯୋଗ ପାଇବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ବାହାରେ ରହିଥିବା ପନ୍ତ୍‌ଙ୍କୁ ନିଜ ଗେମ୍‌ ପ୍ଲାନ୍‌କୁ ଶାଣିତ କରିବାକୁ ପଡ଼ିବ। ଜଣେ ପ୍ରଭାବୀ ତଥା ମ୍ୟାଚ୍‌ ବିଜେତା ‌ଖେଳାଳି ଭାବେ ସେ ଥରେ ରନ୍‌ ସଂଗ୍ରହ ଆରମ୍ଭ କରିଦେଲେ ଏକ ଭିନ୍ନ ଖେଳାଳି ପାଲଟିଯିବେ। ଭାରତର ମଧ୍ୟକ୍ରମ ସାମାନ୍ୟ ଅନଭିଜ୍ଞ ଲାଗୁଛି, କିନ୍ତୁ ଅଧିକାଂଶ ଆଇପିଏଲରେ ନିଜକୁ ପ୍ରମାଣିତ କରିସାରିଛନ୍ତି। ଏହାକୁ‌ ସେମାନେ ଅନ୍ତର୍ଜାତୀୟ ସ୍ତରରେ ରୂପାନ୍ତର କରିନପାରିବାର କିଛି କାରଣ ନାହିଁ। ମୁଁ ଆଗ୍ରହର ସହ ଶିଭମ ଦୁବେଙ୍କ ଅଗ୍ରଗତି ଉପରେ ନଜର ରଖିବି। ଭାରତୀୟ କ୍ରିକେଟ୍‌ରେ ସେ ଏକ ବିରଳ କିସମର ଖେଳାଳି। ହାର୍ଡ ହିଟିଂ ବ୍ୟାଟିଂ ସହିତ ମଧ୍ୟମଗତି ବୋଲିଂ କରିପାରନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୁଯୋଗ ପାଇଥିବାରୁ ସେ କେତେ ଫାଇଦା ନେଇ ପାରୁଛନ୍ତି ଦେଖିବାର ଅଛି।

ୟୁଜବେନ୍ଦ୍ର ଚହଲଙ୍କ ପ୍ରତ୍ୟାବର୍ତନ ସତ୍ତ୍ବେ ଭାରତର ବୋଲିଂ ଅଭିଜ୍ଞତା ଉପରେ ନିର୍ଭର କରିବ। ବୋଲିଂ ବିକଳ୍ପକୁ ଉପଯୋଗ କରିବା ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ନିଶ୍ଚିତ ବଡ଼ ଆହ୍ବାନ ରହିବ। ବହୁମାତ୍ରାରେ ଧଳା ବଲ୍‌ କ୍ରିକେଟ୍ ଖେଳାଯିବାକୁ ଥିବାରୁ ଯଶପ୍ରୀତ୍ ବୁମରା ଏବଂ ଭୁବନେଶ୍ବର କୁମାରଙ୍କ ଭଳି ନିୟମିତ ଦ୍ରୁତ ବୋଲରଙ୍କ ବିକଳ୍ପ ରଖିବା ମଧ୍ୟ ଆବଶ୍ୟକ। ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତିରେ କୃନାଲ ପାଣ୍ଡ୍ୟାଙ୍କ ବାମହାତୀ ସ୍ପିନ୍‌ ଉପରେ ମଧ୍ୟ ଗୁରୁଦାୟିତ୍ବ ରହିବ। ସେ ମଧ୍ୟ ଉଭୟ ହାତରେ ସ‌ୁଯୋଗ ହାତେଇନେବାକୁ ଚାହିଁବେ।

ସମ୍ବନ୍ଧିତ ଖବର