ପନ୍ତ ଭାରତର ଭବିଷ୍ୟତ, ଭିଭିଏସ୍ ଲକ୍ଷ୍ମଣ

ଦିଲ୍ଲୀ କ୍ୟାପିଟାଲ୍ସଠାରୁ ସନରାଇଜର୍ସ ହାଇଦ୍ରାବାଦ ହାରିବା ଏବଂ ଆଇପିଏଲ-୨୦୧୯ରୁ ବିଦାୟ ନେବା ଆମ ସଂପୂର୍ଣ୍ଣ ଅଭିଯାନର ସାଙ୍କେତିକ ଫଳାଫଳ ଥିଲା। ଆମେ ଆମ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ନଥିଲୁ। ଅସ୍ଥିର ଖେଳ ଖେଳି ସଂଘର୍ଷ କରିବା ସହ, ଶେଷରେ ବିଜୟ ହାତଛଡ଼ା କଲୁ। ଚଳିତ ବର୍ଷର ଅଭିଯାନରୁ କିନ୍ତୁ ଆମେ ଅନେକ କିଛି ଶିଖିଛୁ। ଆସନ୍ତା ଋତୁରେ ଆହୁରି ଭଲ ପ୍ରସ୍ତୁତି ସହ ପ୍ରଶଂସକଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବୁ। ବିଶାଖାପାଟଣାରେ ଆଗରୁ ଖେଳି ସାରିଥିବାରୁ ଦିଲ୍ଲୀକୁ ଅତିକ୍ରମ କରିବା ଲାଗି ଆମେ ଆମ ଅଭିଜ୍ଞତାକୁ ଅସ୍ତ୍ର କରିଥିଲୁ। ଋଦ୍ଧିମାନ ସାହାଙ୍କୁ ସଅଳ ହରାଇବା ସତ୍ତ୍ବେ ମାର୍ଟିନ ଗପ୍ଟିଲଙ୍କ ପାଇଁ ଆମେ ଚମତ୍କାର ଆରମ୍ଭ ବି ପାଇଥିଲୁ। ହେଲେ ଲଗାତାର ତୃତୀୟ ମ୍ୟାଚ୍ ପାଇଁ ମଝି ଓଭରଗୁଡ଼ିକରେ ଦିଗ ହରାଇ ବସିଥିଲୁ। ସ୍ପିନର ହିଁ ଆମ ପାଇଁ କାଳ ହୋଇଥିଲେ। ଆମ ପାଖରେ ସ୍ପିନ୍ ବୋଲିଂର ବହୁତ ଭଲ ଖେଳାଳି ଥି‌ଲେ।  ଏଣୁ କୌଶଳ ଅପେକ୍ଷା ସ୍ପିନକୁ ଖେଳିବାର ଅନାଗ୍ରହ ଆମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।  ଶେଷ ଆଡ଼କୁ ଅବଶ୍ୟ ଆମକୁ ଗତି ମିଳିଥିଲା। ତଥାପି ଆମେ ୧୦-୧୫ ରନ୍ କମ୍ କରିଥିଲୁ ବୋଲି ମୁଁ ଭାବୁଛି। ଆମେ ଜାଣିଥିଲୁ ଦିଲ୍ଲୀ ପାୱାର ପ୍ଲେରେ ଜୋରଦାର ଆକ୍ରମଣ କରିବ।  ଶିଖର ଧାୱନ କିଛିଟା ସଂଘର୍ଷ କରିଥିଲେ। ପୃଥ୍ବୀ ସ’ କିନ୍ତୁ ଅତି ସହଜରେ ଷ୍ଟ୍ରୋକ୍ ଖେଳିଥିଲେ।  ତାଙ୍କ ନିର୍ଭିକ ବ୍ୟାଟିଂ ମୋତେ ବେଶ୍ ପ୍ରଭାବିତ କରିଥିଲା। ତଥାପି ଆମେ ଠିକଣା ସମୟରେ ଫେରିଥିଲୁ। ‌ଶେଷ ୪ ଓଭରରୁ ଦିଲ୍ଲୀକୁ ୪୨ ରନ୍‌ର ଦରକାର ଥିବାରୁ ଆମେ ଢେର ଆଶାବାଦୀ ମଧ୍ୟ ଥିଲୁ। ହେଲେ ବିପଜ୍ଜନକ ପନ୍ତ କ୍ରିଜରେ ଥିଲେ ଏବଂ ସେ ବାସିଲ ଥମ୍ପିଙ୍କ ଉପରେ ସବୁ ରାଗ ଶୁଝାଇ ଦେଇଥିଲେ। ଋଷବ ନିଶ୍ଚିତ ଭାବେ ଭାରତୀୟ କ୍ରିକେଟର ଭବିଷ୍ୟତ। ଚାପରେ ଥାଇ ମଧ୍ୟ ସେ  ପରିପକ୍ବ ବ୍ୟାଟିଂ କରିଥିଲେ। ମ୍ୟାଚ୍ ଶେଷ କରି ନଥିବାରୁ ସେ ଟିକିଏ ଦୁଃଖିତ ନିଶ୍ଚିତ ଥିବେ। ସବୁ ଦୋଷ ଦୁର୍ବଳତା ସତ୍ତ୍ବେ, ହାଇଦ୍ରାବାଦ ଯେଭଳି ଭାବେ ଶେଷ ପର୍ଯ୍ୟନ୍ତ ଲଢ଼ିଲା, ତାକୁ ନେଇ ମୁଁ ବେଶ୍ ଗର୍ବିତ। ଶେଷ ତିନି ମ୍ୟାଚ୍‌କୁ ଶେଷ ଓଭର ପର୍ଯ୍ୟନ୍ତ ନେବା ଏବଂ ଗୋଟିକୁ ସୁପର ଓଭରରେ ପହଞ୍ଚାଇବା ଆମ ଲଢ଼ୁଆ ପ୍ରବୃତ୍ତିର ବଳିଷ୍ଠ ଉଦାହରଣ। ଆମକୁ କେତେକ ଦୁର୍ବଳତା ଉପରେ କାମ କରିବାକୁ ପଡ଼ିବ। ମୁଁ ସ୍ଥିର ନିଶ୍ଚିତ ଯେ ଆଇପିଏଲର ତ୍ରୟୋଦଶ ଋତୁରେ ଆମେ ଆହୁରି ଶକ୍ତିଶାଳୀ ହୋଇ ଫେରିବୁ।

ସମ୍ବନ୍ଧିତ ଖବର