ଭିଭିଏସ୍‌ ଲକ୍ଷ୍ମଣ :ଯୁବ ଖେଳାଳି ସୁଯୋଗ ହାତଛଡ଼ା କଲେ

ଧର୍ମଶାଳାରେ ଭାରତୀୟ ଯୁବ ବାହିନୀ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। କୋହଲିଙ୍କ ଅନୁପସ୍ଥିତିରେ ସେମାନେ ବିଶ୍ୱକୁ ଅନେକ କିଛି ଦେଖାଇ ପାରି ଥାଆନ୍ତେ। ସେହିଭଳି କୋହଲିଙ୍କ ଛଡ଼ା ବି ଭାରତୀୟ ଦଳ ଜିତି ପାରିବ ବୋଲି ଜଣାଇଦେଇ ପାରି ଥାଆନ୍ତେ। ହେଲେ ଦୁର୍ଭଗ୍ୟଜନକ ଭାବେ ଏହ ହେଲାନି। ବୋଲରଙ୍କୁ ସୁହାଉଥିବା କଷ୍ଟକର ପିଚ୍‌ ଏବଂ ପ୍ରତିକୂଳ ପରିବେଶରେ ଯେ ଭାରତ ନିଜ ସ୍ୱାଭାବିକ ଖେଳ ଖେଳି ପାରେନି ତାହା ଧର୍ମାଶାଳା ଦିନିକିଆରୁ ସ୍ପଷ୍ଟ ହୋଇଗଲା। ଚଳିତ ବର୍ଷ ଚେନ୍ନାଇରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ଗୌହାଟୀରେ ଖେଳା ଯାଇଥିବା ଟେ୍ଵଣ୍ଟି-୨୦ରେ ବି ଏଭଳି ଘଟିଥିଲା। ଗତବର୍ଷ ପୁନେରେ ଆୟୋଜିତ ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ରେ ବି ଭାରତ ଏଭଳି ପ୍ରଦର୍ଶନ କରିଥିଲା। ସେଥିପାଇଁ ଏହି ସମସ୍ୟାକୁ ଶୀଘ୍ର ଦୂର କରିବାକୁ ହେବ।
ଭାରତୀୟ ଦଳ ଯେ କୋହଲି ଏବଂ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାଓ୍ଵନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ତାହା ଧର୍ମଶାଳା ଦିନିକିଆରୁୁ ଜଣା ପଡ଼ିଗଲା। ରୋହିତ ଏକ ଭଲ ବଲ୍‌ରେ ଆଉଟ୍‌ ହୋଇଥିଲେ। ହେଲେ ଅନ୍ୟମାନେ ଏହି ଅଭିଯୋଗ କରି ପାରିବେ ନାହିଁ। ସେମାନେ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଶିଖିବା କଥା। ଧୋନି ସାହସିକ ବ୍ୟାଟିଂ କରି ସଫଳ ହେଲେ। ଅବଶ୍ୟ ଧର୍ମଶାଳା ପିଚ୍‌ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ଲାଗି ଆଦୌ ଉପଯୋଗୀ ନଥିଲା। ବଲ୍‌ ଏଥିରେ ମାତ୍ରାଧିକ ଦୂରତାକୁ ଘୂରୂଥିଲା। ହେଲେ ଏଭଳି ପରିସ୍ଥିତିରେ ହିଁ ବ୍ୟାଟ୍ସମ୍ୟାନଙ୍କ ଅସଲ ଦକ୍ଷତାର ପରୀକ୍ଷା ହୋଇଥାଏ। ଏଭଳି ପିଚ୍‌ରେ ଶକ୍ତି ଅପେକ୍ଷା କୌଶଳ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ୩୦୦ରୁ ଅଧିକ ଦିନିକିଆ ଖେଳିବା ପରେ ଧୋନି ଏସବୁ ଭଲ ଭାବରେ ଜାଣିଛନ୍ତି। ଶ୍ରେୟସ୍‌ ଆୟରଙ୍କୁ ଛାଡ଼ି ଭାରତୀୟ ଦଳର ଅନ୍ୟ ସମସ୍ତ ଖେଳାଳି ବି ଏସବୁ ବୁଝିବା କଥା। କାରଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାରେ ସେମାନଙ୍କର ଢେର ଅଭିଜ୍ଞତା ରହିଛି।
୧୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇ ପ୍ରତିପକ୍ଷକୁ ତା’ ତଳେ ରୋକିବା ଆଦୌ ସହଜ ନୁହେଁ। ସେଥିପାଇଁ ଭାରତ ପାଇଁ ସବୁକିଛି ଭୁବନେଶ୍ୱର କୁମାର ଏବଂ ଯସପ୍ରୀତ ବୁମରାଙ୍କ ଉପରେ ନିର୍ଭରଶୀଳ ଥିଲା। ସେମାନେ ଆରମ୍ଭରୁ ଦୁଇଟି ଓ୍ଵିକେଟ୍‌ ନେଲେ। ହେଲେ ଯସପ୍ରୀତଙ୍କ ନୋ’ବଲ୍‌ରେ ଉପୁଲ ତରଙ୍ଗା ପାଇଥିବା ଜୀବନଦାନ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ତାଙ୍କୁ ଏହି ଅଭ୍ୟାସ ଛାଡ଼ିବାକୁ ହେବ। ତିନି ଟିକିଆ ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍‌ ଜିତିବା ଦଳ ସବୁବେଳେ ଲାଭରେ ରହିଥାଏ। ହେଲେ ଭାରତ ଏଭଳି ସ୍ଥିତିରେ ଥାଇ ନ୍ୟୁଜିଲାଣ୍ଡକୁ ୨-୧ରେ ହରାଇ ସାରିଛି। ହେଲେ ଏଥର ଘରୋଇ ଦଳକୁ କୋହଲିଙ୍କ ଅନୁପସ୍ଥିତିରେ ଏଭଳି କରିବାକୁ ହେବ। (ଗେମ୍‌ପ୍ଲାନ୍‌)

ସମ୍ବନ୍ଧିତ ଖବର