ବଣମଲ୍ଲୀର ମହକ ଦିଲ୍ଲୀରେ

ଉଦୀୟମାନ ଭାରୋତ୍ତୋଳକ ଭକ୍ତରାମ

ବ୍ରହ୍ମପୁର (ଜ୍ଞାନେନ୍ଦ୍ର ନାରାୟଣ ରଥ): ବଣମଲ୍ଲୀ ବଣରେ ଫୁଟି ବଣରେ ହିଁ ମଉଳିଯାଏ। କିନ୍ତୁ ଭକ୍ତରାମ ଦେଷ୍ଟି ଏପରି ଜଣେ ବଣମଲ୍ଲୀ, ଯିଏକି ବଣରେ ମଉଳି ଯିବା ପରିବର୍ତ୍ତେ ଦିଲ୍ଲୀରେ ପହଁଚି ନିଜ ମହକରେ ସଭିଙ୍କୁ ବିମୋହିତ କରିବାରେ ସକ୍ଷମ ହୋଇଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଖେଲୋ ଇଣ୍ଡିଆ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଅଲିମ୍ପିକ୍‌ ପ୍ରସ୍ତୁତି ପାଇଁ ସେ ମନୋନୀତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏଥିରେ ସହାୟକ ହୋଇଛନ୍ତି ତାଙ୍କର ପ୍ରଶିକ୍ଷିକା ସୀତା ଜେନା।

ଆମ ରାଜ୍ୟର ଏକ ମାଓପ୍ରବଣ ଅଂଚଳ ଭାବେ ପରିଚିତ ମାଲକାନଗିରିର ଜିଲ୍ଲା ଚିତ୍ରକୋଣ୍ଡା ଥାନା ଆରଏସ୍‌ସି-୪ ଗ୍ରାମରେ ଭକ୍ତରାମଙ୍କ ଘର। ଭକ୍ତରାମଙ୍କ ବାପା ସଦନ ଦେଷ୍ଟି ଜଣେ ମାମୁଲି ଚାଷୀ। ନିଜର ଅଳ୍ପ କିଛି ଜମିରେ ସେ ଧାନ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି। ଭକ୍ତରାମ ତାଙ୍କର ଏକ ମାତ୍ର ସନ୍ତାନ। ୨୦୧୩ ମସିହାରେ କ୍ରୀଡ଼ା ଛାତ୍ରାବାସରେ ରହିବା ପାଇଁ ମାଲକାନଗିରି ଷ୍ଟାଡିୟମରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଚୟନ ଶିବିରରେ ଯୋଗ ଦେଇ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ। ପରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟାରେ ମଧ୍ୟ ଭଲ ପ୍ରଦର୍ଶନ କରି ଭାରୋତ୍ତୋଳନ ପାଇଁ ବ୍ରହ୍ମପୁର ଛାତ୍ରାବାସରେ ରହିବା ପାଇଁ ମନୋନୀତ ହୋଇଥିଲେ। ସେପର୍ଯ୍ୟନ୍ତ କିନ୍ତୁ ଭକ୍ତରାମ ଭାରୋତ୍ତୋଳନ ସମ୍ପର୍କରେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି। କ୍ରୀଡ଼ା ଛାତ୍ରାବାସରେ ରହିବା ପରେ ହିଁ ସେ ଏହି କ୍ରୀଡ଼ା ସମ୍ପର୍କରେ ଧିରେଧିରେ ଜାଣିଥିଲେ। ପ୍ରଶିକ୍ଷକ ସଚ୍ଚିନ୍ଦ୍ର ମାଝୀଙ୍କ ତତ୍ତ୍ୱାବଧାନରେ ଭକ୍ତରାମ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ୨୦୧୫ ମସିହାରୁ ସୀତା ଜେନା ତାଙ୍କର ପ୍ରଶିକ୍ଷିକା ହେବା ସହ ଏହି କ୍ରୀଡ଼ାରେ ତାଙ୍କର ଦକ୍ଷତା ବିକାଶରେ ସହାୟକ ହୋଇଥିଲେ। ୨୦୧୬ ମସିହାରେ ଜାତୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ସେ ପ୍ରଥମ ସଫଳତା ହାସଲ କରିଥିଲେ। ୫୦ କେଜି ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। କିନ୍ତୁ ୨୦୧୭ ମସିହାରେ ଆସାମରେ ଅନୁଷ୍ଠିତ ଜାତୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଗଣଶିକ୍ଷା ବିଭାଗର ତ୍ରୁଟି ଯୋଗୁଁ ତାଙ୍କୁ ୫୦ କେଜି ପରିବର୍ତ୍ତେ ୫୬ କେଜି ବର୍ଗରେ ଖେଳିବାକୁ ପଡ଼ିଥିଲା। ତଥାପି ଭକ୍ତରାମ ସେଠାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଥିଲେ। ସ୍ନାଚ୍‌ରେ ୭୫ କେଜି, କ୍ଲିନ୍‌ ଆଣ୍ଡ ଜର୍କ୍‌ରେ ୧୦୧ କେଜି ମୋଟ ୧୭୬ କେଜି ଭାରୋତ୍ତୋଳନ କରିଥିଲେ ମଧ୍ୟ ପଦକ ହାସଲରୁ ବଂଚିତ ହୋଇଥିଲେ। ତାଙ୍କୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସେଥିପାଇଁ ଖେଲୋ ଇଣ୍ଡିଆରେ ଅଂଶଗ୍ରହଣ ପାଇଁ ସୁଯୋଗ ମିଳିଥିଲେ ମଧ୍ୟ ସେ ଏଥିରେ ଯୋଗ ଦେବାପାଇଁ ଅନିଚ୍ଛୁକ ଥିଲେ। କିନ୍ତୁ ପ୍ରଶିକ୍ଷିକା ସୀତା ଜେନା ତାଙ୍କ ମାର୍ଗଦର୍ଶନ କରି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରିଥିଲେ। ଏଥିରେ ଭକ୍ତରାମଙ୍କୁ ନିଜ ଓଜନ ବର୍ଗ (୫୦ କେଜି)ରେ ସ୍ଥାନ ମିଳିଥିଲା। ସେ ସ୍ନାଚ୍‌ରେ ୭୭ କେଜି ଓ କ୍ଲିନ୍‌ ଆଣ୍ଡ ଜର୍କ୍‌ରେ ୯୯ କେଜି ମୋଟ ୧୭୬ କେଜି ଭାରେତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିବା ସହ ସ୍ୱର୍ଣ୍ଣ ପଦକ ହାତେଇଥିଲେ। ଭକ୍ତରାମ ବତ୍ତର୍ମାନ ବ୍ରହ୍ମପୁର ବାରାକ୍ସ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର। ଚଳିତ ବର୍ଷ ସେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଛନ୍ତି। ପୂର୍ବରୁ କୌଣସି ଲକ୍ଷ୍ୟ ନଥିବା ବେଳେ ଏବେ ଭକ୍ତରାମ ଅଲିମ୍ପିକ୍‌ରେ ଅଂଶଗ୍ରହଣ ଓ ପଦକ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି। ରବିବାର ବ୍ରହ୍ମପୁର ଫେରିବା ପରେ ରେଳଷ୍ଟେସନ୍‌ରେ ପ୍ରଶିକ୍ଷିକା ସୀତା ଜେନାଙ୍କ ସହ ଭକ୍ତରାମ ଓ ଅନ୍ୟ ପଦକ (କାଂସ୍ୟ) ବିଜେତା ନନ୍ଦନ ସାହୁଙ୍କୁ ଗଂଜାମ ଭାରୋତ୍ତୋଳନ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର