୧୨୧ ବର୍ଷର ପ୍ରତୀକ୍ଷା: ‌ଦୌଡ଼କୁଦ ପଦକ ଆଶାରେ ନିରଜ

ଟୋକିଓ : ସାରା ଭାରତ ବର୍ଷ ଏବେ ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ପଦକ ଉପରେ ନଜର ରଖିଛି। ‌ଯୋଗ୍ୟତା ପର୍ଯ୍ୟାୟରେ ୨୩ ବର୍ଷୀୟ ନୀରଜ ୮୬.୫୯ ମିଟର ଫିଙ୍ଗି ଶୀର୍ଷରେ ରହି ଫାଇନାଲ୍‌ରେ ପହଞ୍ଚିଥିଲେ। ପଦକ ଲଢ଼େଇ ପାଇଁ ଶନିବାର ସେ ପଡ଼ିଆକୁ ଓହ୍ଲାଇବେ। ୧୨୧ ବର୍ଷରୁ ଅଧିକ ହେବ ଦୌଡ଼କୁଦରେ ଭାରତକୁ ପଦକଟିଏ ମିଳିନି। ସେ ଯଦି ସଫଳ ହୁଅନ୍ତି ତେବେ ଭାରତର ଏହି ୧୨୧ ବର୍ଷର ପଦକ ମରୁଡ଼ିର ଅବସାନ ଘଟିବ। ୧୯୨୦ରେ ଭାରତ ପ୍ରଥମ ଥର ବେଲ୍‌ଜିୟମରେ ଆୟୋଜିତ ଅନ୍ତ୍ବର୍ପ ଅଲିମ୍ପିକ୍ସରେ ଭାଗ ନେଇଥିଲା। ୫ ଜଣିଆ ଦଳରେ ଟ୍ରାକ୍‌ ଓ ଫିଲ୍ଡରେ ୩ ଓ କୁସ୍ତିରେ ୨ ଜଣ ଖେଳିଥିଲେ। ହେଲେ ସେହି ଦିନଠୁ ଏପର୍ଯ୍ୟନ୍ତ ଟ୍ରାକ୍‌ ଓ ଫିଲ୍ଡରେ ଭାରତର ପଦକ ଖାତା ଖାଲି ରହିଛି। ତେବେ ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ନର୍ମାନ ପିଚାର୍ଡ୍ସ ଦୁଇଟି ରୌପ୍ୟ (୨୦୦ ମିଟର ଦୌଡ଼ ଓ ବାଧାଦୌଡ଼) ପଦକ ଜିତିଥିଲେ। କିନ୍ତୁ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଆଇଏଏଏଫ୍‌) ତାଙ୍କ ପଦକକୁ ଭାରତର ବୋଲି ସ୍ବୀକାର କରିନି। ତେବେ କିଂବଦନ୍ତି ଧାବକ ମିଲ୍‌ଖା ସିଂହ (୧୯୬୪) ଏବଂ ପିଟି ଉଷା (୧୯୮୪) ପଦକ ନିକଟତର ହୋଇଥିଲେ ମଧ୍ୟ ପୋଡିୟମରେ ଠିଆ ହେବାର ଗୌରବ ପାଇନଥିଲେ। ଏହି ପଦକ ମରୁଡ଼ିର ଅବସାନ ଘଟାଇବା ଲକ୍ଷ୍ୟରେ ରହିଛନ୍ତି ହରିଆଣାର ପାନିପତ ନିକଟସ୍ଥ ଖାଣ୍ଡ୍ରା ଗାଁର କୃଷକ ପରିବାରର ପୁଅ ନୀରଜ। ‘‘ଏହା ମୋର ପ୍ରଥମ ଅଲିମ୍ପିକ୍ସ ଏବଂ ମୁଁ ଉତ୍ସାହିତ ଅଛି। ଅଭ୍ୟାସ ଅନୁଯାୟୀ ଶ୍ରେଷ୍ଠ ଫଳ ପାଇନି। କିନ୍ତୁ ଯୋଗ୍ୟତା ପର୍ଯ୍ୟାୟରେ ମୋ ପ୍ରଥମ ଥ୍ରୋ ଭଲ ଥିଲା। ଏବେ ମୁଁ ଅଧିକ ସ୍କୋର୍‌ ସହ ଏହି ପ୍ରଦର୍ଶନ ଦୋହାରାଇବାକୁ ଚେଷ୍ଟା କରିବି।’’ ବୋଲି ନୀରଜ କହିଛନ୍ତି। ଚଳିତ ଅଲିମ୍ପିକ୍ସରେ ୨୦୧୭ ବିଶ୍ବ ବିଜେତା ଜର୍ମାନିର ଜୋହାନେସ ‌ଭେଟ୍ଟରଙ୍କ ସହ ନୀରଜ ସ୍ବର୍ଣ୍ଣ ପଦକର ପ୍ରମୁଖ ଦାବିଦାର ରହିଛନ୍ତି।

ଭାରତୀୟ ୪୦୦ ମିଟର ରିଲେ ଦଳର ଏସୀୟ କୀର୍ତ୍ତିମାନ
ଟୋକିଓ : ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ୪ ଗୁଣା ୪୦୦ ମିଟର ପୁରୁଷ ରିଲେ ଦଳ ପଦକରୁ ବଞ୍ଚିତ ରହିଛି। ହେଲେ ଏହି ଦଳ ନୂଆ ଏସୀୟ କୀର୍ତ୍ତିମାନ ସ୍ଥାପନ କରିଛି। ମହମ୍ମଦ ଆନସ ୟାହିୟା, ନୋହ ନିର୍ମଳ ଟମ୍‌, ଆରୋକିଆ ରାଜୀବ ଏବଂ ଅମୋଜ ଜାକୋବଙ୍କୁ ନେଇ ଗଠିତ ଦଳ ଶୁକ୍ରବାର ରିଲେ ହିଟ୍‌ରେ ୩:୦୦.୨୫ ଟାଇମିଂ ସହ ଏସୀୟ କୀର୍ତ୍ତିମାନ ରଚିଥିଲା। ଅବଶ୍ୟ ଏହି କୀର୍ତ୍ତିମାନଭରା ଟାଇମିଂ ଦଳକୁ ଫାଇନାଲ୍‌ ପହଞ୍ଚିବାରେ ଯଥେଷ୍ଟ ହୋଇନଥିଲା। ଭାରତୀୟ ଦଳ ହିଟ୍‌ରେ ଦଳ ଚତୁର୍ଥ ଏବଂ ମୋଟ ଉପରେ ନବମ ସ୍ଥାନରେ ରହି ଅଳ୍ପକେ ଫ‌ାଇନାଲ୍‌ରୁ ବଞ୍ଚିତ ହୋଇଥିଲା। ଏହା ପୂର୍ବରୁ ରିଲେରେ ଏସୀୟ କୀର୍ତ୍ତିମାନ ୩ ମିନିଟ୍‌ ୫୬ ସେକେଣ୍ଡ୍‌) କାତାର ନାମରେ ଥିଲା।। ସେହି କୀର୍ତ୍ତିମାନ ବଳରେ କାତାର ୨୦୧୮ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ନେଇଥିଲା।

ସମ୍ବନ୍ଧିତ ଖବର